ଭୁବନେଶ୍ବର: ଗୋପାଳପୁର ବେଳାଭୂମିରେ ଗତକାଲି ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଆଇନ ଅନୁସାରେ କଠୋର ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୋଧରେ ଏକ ଅପରାଧ। ଏହି ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୁଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି।
ତନାଘନା କଲେ ମୁଖ୍ୟମନ୍ତ୍ରୀ
ରେଡ୍ ଫ୍ଲାଗ୍ରେ ସାମିଲ
ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଶ୍ରେଣୀରେ ସାମିଲ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଶାଖା ଏହାର ତଦନ୍ତ କରିବ। ଏଆଇଜି ସାଇନି ଏସ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ତଦନ୍ତ କରାଯିବ। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳପୁରରେ ପହଞ୍ଚିସାରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ, ନିଜଆଡ଼ୁ ମାମଲା କଲେ ଜାତୀୟ ମହିଳା କମିସନ୍
ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୋପାଳପୁର ବେଳାଭୂମିରେ ଜଣେ ୨୦ ବର୍ଷ ବୟସର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ଜାତୀୟ ମହିଳା କମିସନ୍ ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି। କମିସନର ଅଧ୍ୟକ୍ଷା ବିଜୟା ରହତକାର୍ ଘଟଣାର ତଦନ୍ତ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମୟସୀମା ମଧ୍ୟରେ ତଦନ୍ତ ସହ ପୀଡ଼ିତାଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କହିଛନ୍ତି। ତିନି ଦିନ ମଧ୍ୟରେ ଆକ୍ସନ୍ ଟେକେନ୍ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି। ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ଗୋପାଳପୁର ପୁଲିସ ଆଜି ୧୦ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି। ତଦନ୍ତ ପରେ ଏହି ୧୦ ଜଣିଆ ଗ୍ୟାଙ୍ଗ୍ର ତିନିଜଣ ଦୁଷ୍କର୍ମ କରିଥିବା ପୁଲିସ ସ୍ପଷ୍ଟ କରିଛି। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହୁଣ୍ଡତ ଗ୍ରାମର ପ୍ରମୋଦ ନାୟକ (୨୩), ହିଂଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡ଼ା ଗ୍ରାମର ବାବୁରାମ ଦଳାଇ(୧୯) ଓ ବେଲଗାଁ ଥାନା ଅନ୍ତର୍ଗତ ପାଟପୁର ଗ୍ରାମର କୁନାଲ୍ ପ୍ରଧାନ (୨୪)। ଅନ୍ୟ ୭ ଜଣ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି କାବୁ କରିବା ସହ ଦୁଷ୍କର୍ମ ବେଳେ ସହାୟତା କରିଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତିନି ମୁଖ୍ୟ ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ଭାଇରାଲ୍ କରିବା ଭୟ ଦେଖାଇ ଟଙ୍କା ଦାବି କରିଥିଲେ। ସେମାନଙ୍କଠାରୁ ୧ହଜାର ଟଙ୍କା ଫୋନ୍ପେ ମାଧ୍ୟମରେ ଏବଂ ୩୦୦ ଟଙ୍କା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ବୋଲି ଗୋପାଳପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ଆଇୟୁସିଏଡବ୍ଲ୍ୟୁ ଡିଏସ୍ପି ଅକ୍ଷୟ କୁମାର ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କୁ ଡିଏସ୍ପି ଅଲମା ଲାକ୍ରା ସହଯୋଗ କରୁଛନ୍ତି। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୭ଟି ମୋବାଇଲ୍ ଓ ଦୁଇଟି ବାଇକ୍ ଜବତ କରିଛି। ଗିରଫ ୬ ଜଣ ଅଭିଯୁକ୍ତ ହେଲେ ପ୍ରମୋଦ ନାୟକ, ବାବୁରାମ ଦଳାଇ, କୁନାଲ୍ ପ୍ରଧାନ, ସିକିରି ଗ୍ରାମର ଓମ୍ ପ୍ରଧାନ ଓ ଦୀପକ ତରାଇ। ୪ ନାବାଳକ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶିକିରି ଗ୍ରାମର ବୋଲି ପୁଲିସ କହିଛି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ କେସ୍ ନମ୍ବର ୧୮୬/୨୫ରେ ୬ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିବାବେଳେ ୪ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଛି।
ଘଟଣାରୁ ପ୍ରକାଶ ଯୁକ୍ତ ୩ ଶେଷବର୍ଷର ଜଣେ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗତ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିଲେ। ସେମାନେ ପାନ୍ଥନିବାସ ପଛପଟେ ବସିଥିବା ବେଳେ ୧୦ ଜଣ ସେଠାରେ ପହଞ୍ଚି ଉଭୟଙ୍କୁ କିଛି ଦୂରକୁ ନେଇଥିଲେ। ପୁରୁଷ ବନ୍ଧୁ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ଭୟଭୀତ କରିଥିଲେ। ପରେ ଛାତ୍ରୀଙ୍କୁ ତିନି ଜଣ ଯୁବକ ଗଣଦୁଷ୍କର୍ମ କରି ଚମ୍ପଟ ମାରିଥିଲେ। ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ ରାତି ୧୦ଟାରେ ଗୋପାଳପୁର ଥାନାକୁ ଆସି ଅଭିଯୋଗ କରିଥିଲେ। ଥାନାଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ରାତାରାତି ବିଭିନ୍ନ ସ୍ଥାନରେ ଚଢଉ କରି ୭ଜଣଙ୍କୁ କାବୁ କରିଥିଲେ। ଅନ୍ୟ ୩ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ପୁଲିସ ଟିମ୍ ଗିରଫ କରି ଆଜି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଥିବା ଏସ୍ପି ସୂଚନା ଦେଇଛନ୍ତି। ବେଳାଭୂମିରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି ସହ ଅନ୍ଧାରିଆ ସ୍ଥାନରେ ଲାଇଟ୍ ବ୍ୟବସ୍ଥା ପାଇଁ ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।
ଗୋପାଳପୁର ବେଳାଭୂମିରେ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘଟଣା ମୋତେ ବ୍ୟଥିତ କରିଛି ବୋଲି ଟ୍ବିଟ୍ କରିବା ସହ ୧୦ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି। ଭବିଷ୍ୟତରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ରାଜ୍ୟ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ପର୍ଯ୍ୟଟନସ୍ଥଳୀରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଉଲ୍ଲେଖ କରି ପ୍ରତିଦିନ ମହିଳାଙ୍କ ଉପରେ ବଢ଼ୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ରହିବାକୁ କହିଛନ୍ତି। ମହିଳାଙ୍କ ନିରାପତ୍ତା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ସେଭଳି ରାଜ୍ୟ କଂଗ୍ରେସ ଦାୟିତ୍ବରେ ଥିବା କଂଗ୍ରେସ ନେତା ଅଜୟ କୁମାର ଲଲ୍ଲୁ ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି ବୋଲି ଟ୍ବିଟ୍ କରିଛନ୍ତି।