ସମ୍ବଲପୁର : ମଙ୍ଗଳବାର ସମ୍ବଲପୁର ପୁଲିସ ଏକ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି। ଏ ନେଇ ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବୁର୍ଲା ପୁଲିସ ଏହି ଗ୍ୟାଙ୍କର ୩ ଜଣଙ୍କୁ ଗିରଫ କରିବା ସହ ୧୦ଟି ଚୋରି ବାଇକ୍ ଉଦ୍ଧାର କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସୁନ୍ଧିପଦରର ବିକାଶ ବସ୍ତିଆ(୩୪), ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରୁଣ୍ଡିମହୁଲର ପ୍ରୀତମ ସାହୁ ଓରଫ୍ ସଙ୍କୁ(୨୦) ଓ କଣ୍ଟାମାଳ ଥାନା ଠେଲକୋବେଡ଼ାର ଆଶିଷ ପ୍ରଧାନ(୨୫)।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କତରବଗା ଥାନା ଅଧୀନ ଗୁମଲୋଇ ଗାଁର ଗିରିଧାରୀ ବାଗ ବୁର୍ଲା ଥାନାରେ ତାଙ୍କ ବାଇକ୍(ଓଡି ୧୫ଜି ୬୭୪୮) ଚୋରି ହୋଇଯାଇଥିବା ନେଇ ଗତ ଶନିବାର ଅଭିଯୋଗ ଦେଇଥିଲେ। ସେ ଗତ ଶନିବାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବୁର୍ଲା ଭିମ୍ସାର୍କୁ ଆସିଥିଲେ। ତାଙ୍କ ବାଇକ ଭିମ୍ସାର୍ ପରିସରରେ ଥିବା ଏସ୍ବିଆଇ ଏଟିଏମ୍ ନିକଟରେ ପାର୍କ କରି ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲେ। ଫେରିବା ପରେ ସେଠାରେ ଆଉ ତାଙ୍କ ବାଇକ୍ଟି ନଥିଲା। ଖୋଜାଖୋଜି କରିବା ପରେ ବାଇକ ନପାଇବାରୁ ସେ ବୁର୍ଲା ଥାନାରେ ବାଇକ୍ ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ବୁର୍ଲା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ବେଳେ ବୁର୍ଲା ପୁଲିସ ଏହି ବାଇକ୍ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଥିଲା। ବୁର୍ଲା ପୁଲିସ ବିଭିନ୍ନ ଜ୍ଞାନ କୌଶଳ ଏବଂ ସିସିଟିଭି କ୍ୟାମେରା ଫୁଟେଜ୍ ଆଧାରରେ ତଥ୍ୟ ଯୋଗାଡ଼ କରିବା ସହ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ସୁନ୍ଧିପଦର ଗାଁରେ ଚଢ଼ଉ କରିଥିଲା। ସେଠାରେ ବିକାଶ ବସ୍ତିଆକୁ ପୁଲିସ ଗିରଫ କରିବା ସହ ତା ପାଖରୁ ଗିରିଧାରୀଙ୍କ ଚୋରି ହୋଇଥିବା ବାଇକ୍ ସାଙ୍ଗକୁ ଆଉ ୩ଟି ଚୋରି ବାଇକ୍ ଜବତ କରିଥିଲା। ପଚରା ଉଚରା ବେଳେ ବୁର୍ଲା, ଅଇଁଠାପାଲି, କୁଚିଣ୍ଡା ଓ ସମ୍ବଲପୁର ଟାଉନ୍ ଅଞ୍ଚଳରୁ ଏକାଧିକ ବାଇକ୍ ଚୋରି କରିଥିବା ସେ ସ୍ବୀକାର କରିଥିଲା। ତାପରେ ପ୍ରୀତମ ଓ ଆଶିଷକୁ ପୁଲିସ ଗିରଫ କରିବା ସହ ଆଉ ୬ଟି ବାଇକ୍ ଜବତ କରିଥିଲା। ବୁର୍ଲା ପୁଲିସ ମୋଟ ଉପରେ ୧୦ଟି ବାଇକ୍ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।