ପଥରଗାଡ଼ା ଆନ୍ଦୋଳନ ଅଣାୟତ୍ତ, ୧୦ ବ୍ଲକ୍‌ର ୭୦% ଗାଁରେ ମେଳି

ସୁନ୍ଦରଗଡ଼: ପଡ଼ୋଶୀ ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ଜିଲ୍ଲାକୁ ସଂକ୍ରମିତ ପଥରଗାଡ଼ା (ପଥର ପୋତା) ଆନ୍ଦୋଳନ କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି। ପୁଲିସ୍‌ ଓ ପ୍ରଶାସନ ଆନୁଷ୍ଠାନିକ ଭାବେ ସ୍ୱୀକାର କରୁନଥିଲେ ମଧ୍ୟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୭୦% ଆଦିବାସୀ ଗ୍ରାମ ବସ୍ତୁତଃ ପ୍ରଶାସନ ନିୟନ୍ତ୍ରଣରୁ ଖସିଯାଇଛି। ଆଦିବାସୀ ଭୋଟ ବ୍ୟାଙ୍କ ଖସିଯିବା ଭୟରେ ଜିଲ୍ଲାର ବିଧାୟକମାନେ ବି ଏହାକୁ ଖୋଲାଖୋଲି ବିରୋଧ କରୁନାହାନ୍ତିି। ୨୦୧୭ ମସିହା ସେପ୍ଟେମ୍ବର ୧୩ ତାରିଖରେସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲ ଅନ୍ତର୍ଗତ କାନ୍ଧେମୁଣ୍ଡା ଗ୍ରାମରେ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା। ତହସିଲଦାର ସୀତାଦେବୀ ସେଦିନ ଜିନ୍ଦଲ ଷ୍ଟିଲ୍‌ ଓ୍ଵାର୍କ୍ସ (ଜେଏସ୍‌ଡବ୍ଲ୍ୟୁ)ର ସିମେଣ୍ଟ କାରଖାନା ପାଇଁ ଜମି ମାପିବାକୁ ଯାଇଥିବା ବେଳେ ଆତ୍ମଘୋଷିତ ପେସା ଗ୍ରାମସଭାର ସପକ୍ଷବାଦୀମାନେ ତାଙ୍କୁ ଘେରି ପ୍ରାୟ ୪ ଘଣ୍ଟା ଅଟକ ରଖିଥିଲେ। ପୁଲିସ୍‌ ପହଞ୍ଚି ତହସିଲଦାରଙ୍କୁ ନିରାପଦରେ ଉଦ୍ଧାର କରିଥିଲେ ମଧ୍ୟ ଆତ୍ମଘୋଷିତ ଗ୍ରାମସଭା ପ୍ରସଙ୍ଗକୁ ଗୁରୁତ୍ୱ ଦେଇନଥିଲା। ଏହାର ୫ ମାସ ପରେ କୁତ୍ରା ଥାନା ଅଧିକାରୀ ଗତ ଫେବ୍ରୁଆରିରେ କଟଙ୍ଗ ପଞ୍ଚାୟତକୁ ଯାଇଥିବା ବେଳେ ବିନାନୁମତିରେ ସେ ଗ୍ରାମକୁ ପଶିଥିବା ଅଭିଯୋଗ କରି ଗ୍ରାମସଭା ସପକ୍ଷବାଦୀମାନେ ତାଙ୍କୁ ୩ ଘଣ୍ଟା କାଳ ଅଟକ ରଖିଥିଲେ। ଏହାର ୨ ମାସ ପରେ ଗତ ଏପ୍ରିଲ୍‌ ୧୬ରେ ରାଜଗାଙ୍ଗପୁର ବ୍ଲକ କେଶ୍ରାମାଲ ପଞ୍ଚାୟତର ଆମ୍ବଘାଟରେ ଥିବା ଓଡ଼ିଶା ସିମେଣ୍ଟ ଲିମିଟେଡ୍‌ (ଓସିଏଲ୍‌)ର ପମ୍ପ ହାଉସ୍‌କୁ ସ୍ଥାନୀୟ ଗ୍ରାମସଭା ସପକ୍ଷବାଦୀମାନେ ତାଲା ମାରି ବନ୍ଦ କରିଥିଲେ। ସେହି ଦିନରୁ ଓସିଏଲ୍‌କୁ ସେହି ଉତ୍ସରୁ ଜଳ ଯୋଗାଣ ବନ୍ଦ ରହିଥିଲେ ମଧ୍ୟ ପ୍ରଶାସନ ଏ ପର୍ଯ୍ୟନ୍ତ ସମାଧାନ ପନ୍ଥା ନିର୍ଣ୍ଣୟ କରିପାରି ନାହିଁ। ମାସେ ନଯାଉଣୁ ପଥରଗାଡ଼ା ଗ୍ରାମସଭାର ଚତୁର୍ଥ କାର୍‌ନାମା ଦେଖିବାକୁ ମିଳିଥିଲା ହାତୀବାରି ଥାନା ବନୈଲତା ଗ୍ରାମରେ। ଗିରଫ ପରଓ୍ଵାନା ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆଇଆଇସିଙ୍କ ନେତୃତ୍ୱରେ ୭ ଜଣ ପୁଲିସ୍‌ ମେ’ ୧୩ରେ ବନୈଲତା ଗ୍ରାମକୁ ଯାଇଥିଲା ବେଳେ ‘ବିନାନୁମତିରେ ସେମାନେ ଗ୍ରାମକୁ ପ୍ରବେଶ କରିଥିବା’ ଅଭିଯୋଗ କରି ସପକ୍ଷବାଦୀମାନେ ସେମାନଙ୍କୁ ରାତି ସାରା ଅଟକ ରଖିଥିଲେ। ଭୋର୍‌ରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ସଦଳବଳ ସେଠାରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଚଳିତ ମାସ ୧୯ ତାରିଖରେ କୁତ୍ରାର ଗଡ଼ପୋଷଠାରେ ଏକ କାରଖାନାର ପାଚେରି ନିର୍ମାଣକୁ ପଥରଗାଡ଼ା ସମର୍ଥକମାନେ ବିରୋଧ କରୁଥିବା ବେଳେ ବିପକ୍ଷବାଦୀମାନେ ସେମାନଙ୍କୁ ମୁକାବିଲା କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୮ ଜଣ ଗୁରୁତର ହୋଇଥିଲେ। ଗତ ମଙ୍ଗଳବାର ଆହତଙ୍କ ମଧ୍ୟରୁ ତେଲିଘଣା ଗ୍ରାମର ଡମ୍ବରୁଧର ସେଠ୍‌ଙ୍କ ମୃତ୍ୟୁ ଘଟିଥିଲା। ଏସବୁ ଘଟଣାକ୍ରମ ପାଇଁ ପୁଲିସ୍‌ ଓ ପ୍ରଶାସନ ପଥରଗାଡ଼ା ଅଞ୍ଚଳ ଯିବାକୁ ଦୁଃସାହସ କରୁନଥିବା ଲକ୍ଷ୍ୟ କରାଯାଉଛି। ବିଧାୟକ ମଙ୍ଗଳା କିଷାନ କହିଛନ୍ତି ଯେ, କିଛି ନେତା ଆଦିବାସୀଙ୍କୁ ବିଭ୍ରାନ୍ତ କରି ଏଭଳି ବେଆଇନ ଆନ୍ଦୋଳନକୁ ଉସୁକାଉଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥା ଅନ୍ତର୍ଗତ ପେସା ଗ୍ରାମସଭା ଆଇନସମ୍ମତ। ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନରେ ନିର୍ବାଚିତ ଅଧ୍ୟକ୍ଷ ପଦଗୁଡ଼ିକ ଆଦିବାସୀଙ୍କ ପାଇଁ ସଂରକ୍ଷିତ। ମାତ୍ର ଆନ୍ଦୋଳନକାରୀ ନେତାମାନେ ନୂଆ ସମ୍ବିଧାନ ଲେଖିବାକୁ ଚାହୁଁଚନ୍ତି; ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଅନ୍ୟପକ୍ଷରେ, ପେସା ଆଇନ ୧୯୯୬ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପଥରଗଡ଼ାକୁ ନେଇ ବିଭ୍ରାନ୍ତମୂଳକ ବାତାବରଣ ସୃଷ୍ଟି କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର କରାଯାଉଥିବା ରାଉରକେଲା ପାନ୍ଥ ନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜର୍ଜ ତିର୍କୀ କହିଛନ୍ତି।

ସମ୍ବନ୍ଧିତ ଖବର