ପିପିଲି ଉପନିର୍ବାଚନ: ମଇଦାନରେ ଏଥର ଲଢ଼ିବେ ୧୦ ପ୍ରାର୍ଥୀ, ୬ରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ୍ ଭୋଟ୍

ଭୁବନେଶ୍ବର: ପିପିଲି ଉପନିର୍ବାଚନ ମଇଦାନରେ ଏଥର ୧୦ ଜଣ ପ୍ରାର୍ଥୀ ଲଢ଼େଇ କରିବେ। ଆଜି ପିପିିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଯେଉଁଥିରେ ମୋଟ ଦଶଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଚୂଡାନ୍ତ ହୋଇଥିବା ସିିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ଏଥର ପିପିଲି ଉପନିର୍ବାଚନ ପାଇଁ ମୋଟ ୧୫ ଜଣ ନୋମିନେସନ ଫାଇଲ୍ କରିଥିଲେ। ଯେଉଁଥିରୁ ତିନିଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା । ଏହାପରେ ଆଜି ଆଉ ଦୁଇ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଶେଷକୁ ଏବେ ପିପିଲି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ରହିବା ଚୂଡାନ୍ତ ହୋଇଛି ।

ଏଥର ପିପିଲିରେ ମୋଟ ୨,୨୯, ୯୯୮ ଜଣ ଭୋଟ୍‌ର ରହିଛନ୍ତି । ଏମାନଙ୍କ ଭିତରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ । ଏଥିସହିତ ୯୦୯ ଜଣ ଭୋଟର ୮୦ ବର୍ଷରୁ ଅଧିକ ଏବଂ ୧୬୮ ଜଣ ଭିନ୍ନକ୍ଷମ ବୋଲି ସୂଚନା ଦିଆଯାଇଛି । ପିପିଲି ଉପନିର୍ବାଚନ ପାଇଁ ୬ ତାରିଖରୁ ବାଲାଟ୍ ଭୋଟ୍ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପିିପିଲି ଉପ ନିର୍ବାଚନ ପାଇଁ ମୋଟ ୪୨୩ଟି ବୁଥ୍ ହେବ । ଏହା ଭିତରୁ ୧୦୨ଟି ବୁଥକୁ କ୍ରିଟିକାଲ୍ ବୁଥ କରାଯାଇଛି । ତେବେ ଏଥର କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟିଂ ହେବ ନାହିଁ ।

ସମ୍ବନ୍ଧିତ ଖବର