ଆଉ ୧୦ କଲେଜରେ ନିର୍ବାଚନ ବାତିଲ୍‌

ଅର୍ଧାଧିକ ବିଶ୍ୱବିଦ୍ୟାଳୟରେ ହେବନି ନିର୍ବାଚନ, ଉତ୍ତର ଓଡ଼ିଶା‌ରେ ବାତିଲ୍‌, କ୍ୟାମ୍ପସ ଅଶାନ୍ତିର ଅସ୍ତ୍ର ସାଜିଛି ସୁତୁଲି ବୋମା

ଭୁବନେଶ୍ୱର : ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ। ଏହାପୂର୍ବରୁ କ୍ୟାମ୍ପସରେ ବଢ଼ିଚାଲିଛି ହିଂସା। ଗୋଟିଏ ପରେ ଗୋଟିଏ କ୍ୟାମ୍ପସକୁ ଏହା ବ୍ୟାପୁଛି। ଗତ ସୋମବାର ନିର୍ବାଚନ ତାରିଖ ଘୋଷଣା ‌େହବା ପରେ ୧୨ଟି କଲେଜ ଓ ୩ଟି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଛାତ୍ର ଅଶାନ୍ତି ଯୋଗୁଁ ନିର୍ବାଚନ ବାତିଲ୍‌ ହୋଇଥିଲା। ଆଜି ନାମାଙ୍କନ ଦାଖଲ ବେଳେ ଛାତ୍ର ଅଶାନ୍ତି ଉଗ୍ରରୂପ ଧାରଣ କରିଥିଲା। ଯେଉଁଥିପାଇଁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଓ ୧୦ଟି ଡିଗ୍ରି କଲେଜ କ୍ୟାମ୍ପସରେ ନିର୍ବାଚନକୁ ବାତିଲ୍‌ କରାଯାଇଛି।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଉତ୍କଳ, ସମ୍ବଲପୁର, ରେଭେନ୍ସା‌ ବିଶ୍ୱବିଦ୍ୟାଳୟ ପରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବନ୍ଦ ହୋଇଛି। କ୍ୟାମ୍ପସରେ ଲଗାତାର ବୋମା ମାଡ଼ ଯୋଗୁଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏଭଳି ନିଷ୍ପତ୍ତିି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ମୋଟ ୧୧ଟି ବିଶ୍ବବିଦ୍ୟାଳୟ ଥିବା ବେଳେ ସେଥିମଧ୍ୟରୁ ଏବେ ସୁଦ୍ଧା ଅର୍ଧାଧିକ ଅର୍ଥାତ୍‌ ୬ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବନ୍ଦ ହୋଇଛି। ଏବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ଯଦି ଆଉ କୌଣସି ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରୁହେ ତେବେ ସେଠାରେ ବି ନିର୍ବାଚନ ବନ୍ଦ କରାଯିବାର ଆଶଙ୍କା ରହୁଛି।ଅନ୍ୟପକ୍ଷରେ ନାମାଙ୍କନପତ୍ର ଦାଖଲ ସମୟରେ ଆଜି ରାଜ୍ୟର ବିଭିନ୍ନ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। କେତେକ କ୍ୟାମ୍ପସରେ ବୋମା ମାଡ଼ ସାଙ୍ଗକୁ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବାତିଲ୍‌ ହୋଇଛି। କଟକ ଜିଲ୍ଲାର ନିଆଳି କଲେଜ, ଯାଜପୁର ଜିଲ୍ଲାର ଏନ୍‌ସି କଲେଜ, ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର ନୀଳକଣ୍ଠେଶ୍ବର ଡିଗ୍ରି କଲେଜ, ବାରିପଦା କଲେଜ, ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ, ଦେବଗଡ଼ କଲେଜ, କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର କଲେଜ, ନୟାଗଡ଼ ଜିଲ୍ଲାର ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଭୁବନେଶ୍ୱର ଉପକଣ୍ଠ ଜୟଦେବ କଲେଜ, କଟକ ଜିଲ୍ଲା‌ ନରସିଂହପୁର ଡିଗ୍ରି କଲେଜରେ ନିର୍ବାଚନକୁ ବାତିଲ୍‌ କରାଯାଇଛି। ନାମାଙ୍କନ ଦାଖଲ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ଥିବାରୁ କୌଣସି ପ୍ରକାର ଅଘଟଣ ଘଟି ନାହିଁ। ଗତକାଲି ପୁରୀ ଜିଲ୍ଲା ପିପିଲି ସ୍ୱୟଂଶାସିତ କଲେଜରେ ଛାତ୍ର ଅଶାନ୍ତିି ଯୋଗୁଁ ନିର୍ବାଚନ ବାତିଲ୍‌ ହୋଇଥିଲା।

ଚଳିତ ନିର୍ବାଚନ ବନ୍ଦ କରିବାର ପ୍ରମୁଖ ଅସ୍ତ୍ର ସାଜିଛି ବୋମା ମାଡ଼। ଗତ ତିନି ଦିନ ହେଲା ୨୦ରୁ ଅଧିକ କ୍ୟାମ୍ପସରେ ବୋମା ମାଡ଼ ହୋଇଛି। ପ୍ରତିଟି ଜାଗାରେ ସୁତୁଲି ବୋମା ମାଡ଼ ହୋଇଥିବା ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଗତକାଲି ରାତିରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଓ ବାରିପଦା କଲେଜରେ ସୁତୁଲି ବୋମା ପକାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ‌ସେହିପରି ଭୁବନେଶ୍ୱର ଉପକଣ୍ଠ ଜୟଦେବ କଲେଜ ଉପରକୁ ବି ଗତକାଲି ରାତିରେ ସୁତୁଲି ବୋମା ମାଡ଼ କରାଯାଇଥିଲା। ଯେଉଁଥିପାଇଁ ନିର୍ବାଚନ ବନ୍ଦ ହୋଇଛି। କ୍ୟାମ୍ପସରେ ପତିଆରା ଜମାଇପାରୁ ନଥିବା ଛାତ୍ର ସଙ୍ଗଠନଗୁଡ଼ିକ ନିର୍ବାଚନ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ସେମାନେ ସୁତୁଲି ବୋମାକୁ ପ୍ରମୁଖ ମାଧ୍ୟମ କରୁଛନ୍ତି। ଶିକ୍ଷାବିତ୍‌ଙ୍କ ମତରେ କ୍ୟାମ୍ପସ ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ। ଏଭଳି ଭାବେ ନିର୍ବାଚନ ବନ୍ଦ କରିବା ଅପେକ୍ଷା ନିର୍ବାଚନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିଦେବା ଭଲ ହେବ। ରାଜ୍ୟର ଅର୍ଧାଧିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ବନ୍ଦ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ଏଥିପ୍ରତି ଚିନ୍ତା କରିବା ଦରକାର।

କ୍ୟାମ୍ପସରେ ନିର୍ବାଚନ ବନ୍ଦକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଶ ପଣ୍ଡା କହିଛନ୍ତି ଯେ ଯେଉଁ କ୍ୟାମ୍ପସରେ ଏବିଭିପି ସମର୍ଥିତ ପ୍ରାର୍ଥୀ ବିଜୟ ହେଉଥିଲେ ସେଠାରେ ନିର୍ବାଚନ ବନ୍ଦ କରାଯାଉଛି। ପ୍ର‌ଥମେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବନ୍ଦ ହୋଇଥିବା ବେଳେ ଏବେ ସମ୍ବଲପୁର ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ବନ୍ଦ କରାଯାଇଛି। ଭୁବନେଶ୍ବର ଉପକଣ୍ଠ ଜୟଦେବ କଲେଜ, ଯାଜପୁର ଏନ୍‌ସି କଲେଜ, ନରସିଂହପୁର କଲେଜରେ ଏବିଭିପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଥିବାରୁ ସେଠାରେ ନିର୍ବାଚନକୁ ବାତିଲ୍‌ ହୋଇଛି। ଏହାର ଜବାବ ଛାତ୍ରଛାତ୍ରୀ ଆଗାମୀ ନିର୍ବାଚନରେ ଦେବେ ବୋଲି ସେ କହିଛନ୍ତି। ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି ଯେ ଏବିଭିପି ଯେଉଁ ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଛାତ୍ର ବିଜେଡି ସବୁବେଳେ ଶାନ୍ତ ଓ ଶୈକ୍ଷିକ କ୍ୟାମ୍ପସ ଉପରେ ବିଶ୍ୱାସ କରେ। ଯେଉଁଠି କ୍ୟାମ୍ପସ ଅଶାନ୍ତି ଦେଖାଦେଉଛି ସେଠାରେ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ୍‌ କରୁଛନ୍ତି। ସେଥିରେ ଆମର କିଛି କହିବାର ନାହିଁ। ବିରୋଧୀ ସଙ୍ଗଠନଗୁଡ଼ିକ ଭୋକ ବିକଳରେ ତାଟିଆ କାମୁଡ଼ୁଛନ୍ତି।

ସମ୍ବନ୍ଧିତ ଖବର