କ୍ରାଇମ୍‌ବ୍ରାଞ୍ଚ ପଞ୍ଝାରେ ଜଜ୍‌ଙ୍କ ଜ୍ବାଇଁ, ୧୦ କୋଟି ଠକେଇର ମାଷ୍ଟରମାଇଣ୍ଡ୍ ସୌମ୍ୟକାନ୍ତ ଗିରଫ

ମେଡିକାଲ କଲେଜରେ ନାମ ଲେଖାଇଦେବ କହି ଠକୁଥିଲା, ୨୨ ଛାତ୍ରଛାତ୍ରୀଙ୍କଠାରୁ ଲୁଟିଛି କୋଟି କୋଟି ଟଙ୍କା

କଟକ: କ୍ରାଇମ୍‌ବ୍ରାଞ୍ଚ ଜାଲରେ ପଡ଼ିଛନ୍ତି ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ଜ୍ବାଇଁ। ପୁରୀ ଜିଲ୍ଲା ନିମାପଡ଼ାର ମେକାନିକାଲ୍‌ ଇଞ୍ଜିନିୟର ସୌମ୍ୟକାନ୍ତ ମହାନ୍ତି(୩୪) ଦେଶରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ୍‌ କଲେଜରେ ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେଇ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଘଟଣା ଧରା ପଡ଼ିଛି। ୫ଟି ରାଜ୍ୟର କ୍ରାଇମ୍‌ବ୍ରାଞ୍ଚ ସୌମ୍ୟକାନ୍ତକୁ ଖୋଜୁଥିବା ବେଳେ ସେ ବାରମ୍ବାର ଖସି ଯିବାରେ ସଫଳ ହେଉଥିଲା। ଶେଷରେ ସେ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ହାତରେ ସେ ଧରା ପଡ଼ିଛି। ଗିରଫ ପରେ ତାକୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିବାବେଳେ ୪ ଦିନିଆ ରିମାଣ୍ତରେ ଆଣିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଛି। ପୂର୍ବରୁ ସୌମ୍ୟକାନ୍ତକୁ ଧରିବା ପାଇଁ ବେଙ୍ଗାଲୁରୁ ପୁଲିସ ବାରମ୍ବାର ଓଡ଼ିଶାରେ ଚଢ଼ଉ କରିଥିଲେ ବି ସେ ନେପାଳ ଖସି ଯାଉଥିଲା। ସୌମ୍ୟକାନ୍ତକୁ ରିମାଣ୍ତରେ ଅଣାଯିବା ପରେ ଦେଶରେ ମେଡିକାଲ୍‌ କଲେଜରେ ନାମ ଲେଖା ପାଇଁ ଚାଲିଥିବା ବଡ଼ ଧରଣର କେଳେଙ୍କାରୀ ସାମ୍‌ନାକୁ ଆସିପାରିବ ବୋଲି କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମେଡିକାଲ୍‌ କୋଚି˚ ଦେଉଥିବା ବିଭିନ୍ନ ଅନୁଷ୍ଠାନ ସହିତ ଯୋଗଯୋଗ ରଖିଥିଲା ସୌମ୍ୟକାନ୍ତ ଓ ତାର ସହଯୋଗୀ। ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରାଯାଉଥିଲା। ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଯୋଗାଯୋଗ ନମ୍ବର ସ˚ଗ୍ରହ କରି ମ୍ୟାନେଜ୍‌ମେଣ୍ଟ କୋଟାରେ ଦେଶର ପ୍ରତିଷ୍ଠିତ ମେଡିକାଲ୍‌ କଲେଜ୍‌ରେ ଆଡ୍‌ମିସନ କରାଇ ଦେବାର ପ୍ରତିଶ୍ରୁତି ଦେଉଥିଲା ସୌମ୍ୟକାନ୍ତ। ଜଣେ ଆବେଦନକାରୀ ପିଛା ପାଖାପାଖି କୋଟିଏ ଟଙ୍କା ନେଉଥିଲା। ବିଶ୍ବାସ ଜନ୍ମାଇବାକୁ କିଛି ଛାତ୍ରଛାତ୍ରୀଙ୍କୁ କଲେଜରେ ନାମ ବି ଲେଖାଇ ଦେଉଥିଲା। ଦେଶରେ ୫ ଜଣ ଡାକ୍ତର, ୩ ଜଣ ବ୍ୟବସାୟୀଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଓ ସରକାରୀ ଅଧିକାରୀ ସୌମ୍ୟକାନ୍ତ ଦ୍ବାରା ଠକାମିର ଶିକାର ହୋଇଛନ୍ତି। ଆସାମ ସିଲଚର ମେଡିକାଲ୍‌ କଲେଜରେ ପେଡିଆଟ୍ରିକ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର ଥିବା ଡାକ୍ତର ସୁଜିତ ନାଥ ଚୌଧୁରୀ ମଧ୍ୟ ସୌମ୍ୟକାନ୍ତ ଜାଲରେ ଫସି ଯାଇଥିଲେ। ୨୦୧୫ ଜୁଲାଇ ପ୍ରଥମ ସପ୍ତାହରେ ସୌମ୍ୟକାନ୍ତ ଭୁବନେଶ୍ବରରେ ଏକ ଘରୋଇ କଲେଜରେ ସୁଜିତଙ୍କ ଝିଅର ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ପ୍ରଥମେ ୨ ଲକ୍ଷ ଟଙ୍କା ନେଇଥିଲା। ଟଙ୍କା ଦେଇ ସୁଜିତ ଆସାମ ଫେରି ଯାଇଥିଲେ। ୨୦୧୫ ଜୁଲାଇରେ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ସୁଜିତ ୫୧ ଲକ୍ଷ ଟଙ୍କା ଜମା କରିଥିଲେ। ମୋଟ ୫୩ ଲକ୍ଷ ଟଙ୍କା ସୌମ୍ୟକାନ୍ତକୁ ଅନ୍‌ଲାଇନ୍‌ରେ ସୁଜିତ ଦେଇସାରିଲା ପରେ ନାମଲେଖା ପାଇଁ ବାରମ୍ବାର ଯୋଗାଯୋଗ କରିଥିଲେ। ମାତ୍ର ଶେଷରେ ୨୦୧୫ ଅକ୍ଟୋବରରେ ବିନା ପ୍ରବେଶିକା ପରୀକ୍ଷାରେ ନାମ ଲେଖା ସମ୍ଭବପର ନୁହେଁ ବୋଲି ସୌମ୍ୟକାନ୍ତ ତାଙ୍କୁ ସିଧାସଳଖ ଶୁଣାଇ ଦେଇଥିଲା। ପରେ ବେଙ୍ଗାଲୁରୁରେ ଥିବା ସପ୍ତଗିରି ମେଡିକାଲ୍‌ କଲେଜରେ ନାମ ଲେଖାଇବାକୁ କହି ପୁଣି ୨ ଲକ୍ଷ ଟଙ୍କା ଦାବି କରିଥିଲା ସୌମ୍ୟକାନ୍ତ। ୨୦୧୬ ମେ ମାସରେ ସୁଜିତ ପୁଣି ଦାବି ମୁତାବକ ଟଙ୍କା ଦେଇଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ନାମ ଲେଖା କରି ପାରି ନ ଥିଲା ସୌମ୍ୟକାନ୍ତ। ଏଭଳି ବାରମ୍ବାର ଠକାମିର ଶିକାର ହେବା ପରେ ସୁଜିତ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଟଙ୍କା ଫେରସ୍ତ ମାଗିବାରୁ ସୌମ୍ୟକାନ୍ତର ସହଯୋଗୀ ରଘୁନାଥ ୧୦ ଲକ୍ଷ ଟଙ୍କା ଲେଖାଏଁ ଚାରିଟି ଚେକ୍‌ ସୁଜିତ୍‌ଙ୍କୁ ଦେଇଥିଲା। କିନ୍ତୁ ସୁଜିତ ବ୍ୟାଙ୍କରେ ଚେକ୍‌ ଜମା କରିବା ପରେ ତାହା ବାଉନ୍ସ ହୋଇଯାଇଥିଲା। ଏହା ପରେ ରଘୁନାଥ ୧ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୧୭ ମେ ୨୦ ଓ ଅଗଷ୍ଟ ୧ ତାରିଖରେ ପଠାଇଥିଲେ। ପରେ ସୌମ୍ୟକାନ୍ତ ଓ ରଘୁନାଥ ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ। ମୋଟ ୬୯ ଲକ୍ଷ ଟଙ୍କା ସୌମ୍ୟକାନ୍ତ ଓ ତା’ର ସହଯୋଗୀ ତାଙ୍କଠାରୁ ଲୁଟି ନେଇଥିଲେ। ସୁଜିତ ଠକାମିର ଶିକାର ହୋଇଥିବା ଜାଣି କ୍ରାଇମ୍‌ବ୍ରାଞ୍ଚରେ ଜୁନ ୨୪ ତାରିଖରେ ଏତଲା ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ଇନ୍‌ସ୍ପେକ୍ଟର ଦେବୀ ପ୍ରସାଦ ଦାଶ ତଦନ୍ତ ଦାୟିତ୍ବ ନେଇଥିଲେ। ତଦନ୍ତରେ ତାଙ୍କୁ ଇନ୍‌ସ୍ପେକ୍ଟର ଅନିଲା ଆନନ୍ଦ ଏବ˚ ଏସ୍‌ଆଇ ଆଶିଷଦେବ ସାହୁ ସହଯୋଗ କରିଥିଲେ। ଘଟଣାର ତଦନ୍ତ କରି ପୁଲିସ ସୌମ୍ୟକାନ୍ତକୁ ଆଜି ଗିରଫ କରିଥିବା ବେଳେ ତା ନିକଟରୁ ୮ ଲକ୍ଷ ଟଙ୍କାର ଚାରିଟି ଫିକ୍ସଡ ଡିପୋଜିଟ୍‌ ବଣ୍ତ, ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଜବତ କରିଛି। ପିପିଲି ଅଞ୍ଚଳରେ ସେ ୨୨ ଲକ୍ଷ ଟଙ୍କାରେ ଏକ ଆପାର୍ଟମେଣ୍ଟ ତା’ ସ୍ତ୍ରୀ ନାଁରେ କିଣିଥିବା କ୍ରାଇମ୍‌ବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି।

୨୨ ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହିତ ଖେଳ
କ୍ରାଇମ୍‌ବ୍ରାଞ୍ଚ ତଦନ୍ତରୁ ସୌମ୍ୟକାନ୍ତ ସମ୍ପର୍କରେ ଅଧିକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି। ୨୦୧୫ରୁ ସୌମ୍ୟକାନ୍ତ ମେଧାବୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହିତ ଖେଳ ଆରମ୍ଭ କରିଥିଲା। ଯାଜପୁରର ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ଝିଅଙ୍କୁ ୪ ବର୍ଷ ତଳେ ସୌମ୍ୟକାନ୍ତ ପ୍ରେମ ବିବାହ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମେକାନିକାଲ୍‌ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ସୌମ୍ୟକାନ୍ତ ଏଭଳି ଠକାମି ଧନ୍ଦାରେ ପାଖାପାଖି ୨୦ରୁ ଅଧିକ ସଦସ୍ୟଙ୍କୁ ସାମିଲ କରିଥିଲା। ତା ବିରୋଧରେ ଛତିଶଗଡ଼ରେ ୩ଟି ମାମଲା, ବେଙ୍ଗାଲୁରୁରେ ୫ଟି, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ସମେତ ଓଡ଼ିଶାରେ କ୍ରାଇମ୍‌ବ୍ରାଞ୍ଚରେ ଗୋଟିଏ, କଟକ ମର୍କତନଗର ଥାନାରେ ୩ଟି, ଭୁବନେଶ୍ବର ଇନ୍‌ଫୋସିଟି ଥାନା ଏବ˚ ମଞ୍ଚେଶ୍ବର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି। ସେହିପରି ଝାରସୁଗୁଡ଼ା ଥାନାରେ ତା ବିରୋଧରେ ମାମଲା ରହିଛି। ୨୨ରୁ ଅଧିକ ଛାତ୍ରଛାତ୍ରୀ ସୌମ୍ୟକାନ୍ତର ଜାଲରେ ଫସିଥିବା ଜଣାପଡ଼ିଛି। ସୌମ୍ୟକାନ୍ତର ଘନିଷ୍ଠ ସହଯୋଗୀ ଜଗତପୁରର ରଘୁନାଥ ବେହେରା ଗଲା ସେପ୍ଟେମ୍ବର ୩୦ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ହାତରେ ଗିରଫ ହୋଇଥିଲା। ସେ ତା ନାଁ ପୂର୍ବରୁ ‘ଡକ୍ଟର’ ଲେଖିବା ସହ ନିଜକୁ କଟକ ବଡ଼ ମେଡିକାଲ୍‌ର ଜଣେ ଡାକ୍ତର ବୋଲି ପରିଚୟ ଦେଉଥିଲା। ଗିରଫ ସମୟରେ କ୍ରାଇମ୍‌ବ୍ରାଞ୍ଚ ରଘୁନାଥ ନିକଟରୁ ବଡ଼ ମେଡିକାଲ୍‌ର ଷ୍ଟାମ୍ପ ଏବ˚ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ସେ ଜଗତପୁରରେ ରେସ୍‌ମା ସାଇନ୍ସ କଲେଜ୍‌ରେ ସଭାପତି ଥିବା କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର