ଜଳେଶ୍ବର : ପଶ୍ଚିମବଙ୍ଗ ପଟୁ ଓଡ଼ିଶାର ଦ୍ବାର କୁହାଯାଉଥିବା ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଅନ୍ତଃରାଜ୍ୟ ତନଖି ଫାଟକକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ଆଜି ରାଜ୍ୟରେ ଯେଉଁ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧୦ ଜଣ କୋଲକାତା ଫେରନ୍ତା ହୋଇଥିବା ବେଳେ ଏମାନେ ସମସ୍ତେ ଏହି ଲକ୍ଷ୍ମଣନାଥ ତନଖି ଫାଟକ ରାସ୍ତା ଦେଇ ଚଳିତମାସରେ ଘରକୁ ଫେରିଥିବା କୁହାଯାଉଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ହୋଇଛି।
କରୋନା ମହାମାରୀକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ କରାଯାଇଥିବାବେଳେ ଅନ୍ତଃରାଜ୍ୟ ସୀମାଗୁଡ଼ିକୁ ସିଲ୍ କରାଯାଇଛି। ବାହାର ରାଜ୍ୟର ଲୋକଙ୍କ ପ୍ରବେଶ ନିଷିଦ୍ଧ ନିମନ୍ତେ ଗତ ମାର୍ଚ୍ଚ ୨୮ ତାରିଖରୁ ପଶ୍ଚିମବଙ୍ଗ ସୀମାକୁ ଓଡ଼ିଶା ସରକାର ସିଲ୍ କରିଥିବା ବେଳେ ଯାଜପୁର ଓ ଭଦ୍ରକର ଏହି ବ୍ୟକ୍ତିମାନେ କେମିତି ଓଡ଼ିଶା ସୀମା ଭିତରକୁ ପଶିଲେ ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। କଡ଼ା କଟକଣା ସତ୍ତ୍ବେ ସଂପୃକ୍ତ ବ୍ୟକ୍ତିମାନେ ଗଳାବାଟ ହେଉ ବା ତନଖି ଫାଟକ କର୍ମଚାରୀଙ୍କୁ ହାତ କରି ହେଉ, ଭିତରକୁ ପଶିବାରେ ସକ୍ଷମ ହୋଇଥିବା କୁହାଯାଉଛି। ବାଲେଶ୍ବର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୨୮ ତାରିଖରୁ ଲକ୍ଷ୍ମଣନାଥ ତନଖି ଫାଟକଠାରେ ଜଣେ ପୁଲିସ ଏଏସ୍ଆଇଙ୍କ ନେତୃତ୍ବରେ ୬ ଜଣିଆ ପୁଲିସ ଟିମ ଦ୍ବାରା ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା କରାଯାଇଥିଲା। ପ୍ରତି ୮ ଘଣ୍ଟା ଅନ୍ତରରେ ଏହି ପୁଲିସ ଟିମ୍ ବଦଳୁଥିଲେ। ଏହାଛଡ଼ା ସୀମା ସ୍ଥିତି ତଦାରଖ ପାଇଁ ମାର୍ଚ୍ଚ ୨୯ ତାରିଖରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସ୍ପି ଏଠାକୁ ଆସି ସ୍ଥାନୀୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ସତ୍ତ୍ୱେ ପ୍ରତିଦିନ କିଏ ପାଦରେ ଚାଲି ଚାଲି ତ କିଏ ସାଇକେଲରେ ତ ଆଉ କିଏ ବାଇକ୍, ଅନ୍ୟ ଗାଡ଼ିରେ ଓଡ଼ିଶା ଭିତରକୁ ପ୍ରବେଶ କରୁଥିବାର ଦେଖାଯାଉଥିଲା। ଏ ସଂପର୍କରେ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ପ୍ରଶାସନ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଯଦି ଜିଲ୍ଲା ପ୍ରଶାସନ ସତର୍କତାର ସହ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ପରିଚାଳନା କରିଥାନ୍ତା ତେବେ ଆଜି ଏଭଳି ପରିସ୍ଥିତି ଉପୁଜିନଥାନ୍ତା ବୋଲି ଜନସାଧାରଣ ମତପ୍ରକାଶ କରିଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ବାଲେଶ୍ବର ଜିଲ୍ଲାର କେବଳ ଜଳେଶ୍ଵର ମ୍ୟୁନସିପାଲଟି ଅଞ୍ଚଳକୁ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ୬୫ ଜଣ ଫେରିଛନ୍ତି। କେବଳ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଗେଟ୍ ନୁହେଁ, ଓଡ଼ିଶାର ଜଳେଶ୍ଵର ଓ ଭୋଗରାଇ ତହସିଲ ଅଞ୍ଚଳର ୯୦ଟି ଗାଁ ସହ ପଶ୍ଚିମବଙ୍ଗର ୮୨ଟି ଗାଁର ସୀମା ଲାଗିଥିବାରୁ ଏସବୁ ଗାଁ ଦେଇ ମଧ୍ୟ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଲକ୍ଡାଉନ୍ ସମୟରେ ଅନୁପ୍ରବେଶ ହୋଇଥିବା ଅନୁମାନ କରାଯାଉଛି। ଯାହା ଆଜି ବଡ଼ ସମସ୍ୟା ସୃଷ୍ଟି କରିଛି।
ଭୂତାଣୁ ଠାବ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିଶେଷ କରି ସୀମାନ୍ତ ଲକ୍ଷ୍ମଣନାଥ ଅନ୍ତଃରାଜ୍ୟ ତନଖି ଗେଟ୍କୁ ନେଇ ମୁଖ୍ୟଶାସନ ସଚିବ, ପୁଲିସ ଡିଜି, ବାଲେଶ୍ବର ଜିଲ୍ଲାପାଳ ଓ ଏସ୍ପିଙ୍କ ମଧ୍ୟରେ ଆଜି ଆଲୋଚନା ହୋଇଥିବା ଜଣାପଡ଼ିଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଆସନ୍ତାକାଲି ପୁଲିସ ଡିଜି ଶ୍ରୀ ଅଭୟ ଲକ୍ଷ୍ମଣନାଥକୁ ଆସି ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ଡିଜିଙ୍କ ଗସ୍ତ ଥିବାରୁ ଆଜି ଜଳେଶ୍ଵର ଏସ୍ଡିପିଓ ଅଙ୍କିତା କୁମ୍ଭାର ଓ ପୁଲିସ ପଦାଧିକାରୀ ଲକ୍ଷ୍ମଣନାଥରେ ଡେରା ପକାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/toll-plaza.jpg)