ରାଜ୍ୟରେ ୧୦ ‌କରୋନା ରୋଗୀ ସୁସ୍ଥ ହେଲେ

୪ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ସରକାର
ଝାରପଡ଼ାରୁ ୩, କ‌ଳାହାଣ୍ଡିରୁ ଜଣେ
ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ
ଝାରପଡ଼ା ମୃତକଙ୍କ ସଂସ୍ପର୍ଶରେ ଆସି ୩ ସଂକ୍ରମିତ
କଳାହାଣ୍ଡି ଆକ୍ରାନ୍ତଙ୍କ ସହ ମିଶି ଅନ୍ୟଜଣେ ପଜିଟିଭ

ଭୁବନେଶ୍ବର : ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟରେ ଚିହ୍ନଟ ହୋଇଥିବା ୪ଜଣ କରୋନା ପଜିଟିଭ୍‌ଙ୍କ ସଂପର୍କରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବି‌ସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଝାରପଡ଼ାରେ ଚିହ୍ନଟ ହୋଇଥିବା ୩ଜଣ ହେଉଛନ୍ତି, ପୂର୍ବରୁ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂପର୍କୀୟ। ସେମାନଙ୍କ ମଧ୍ୟରେ ୨ଜଣ ଶିଶୁ ମଧ୍ୟ ରହିଛନ୍ତି। ‌ସେହିପରି ପୂର୍ବରୁ କଳାହାଣ୍ଡିରେ ବାହାରିନ୍‌ରୁ ଆସିଥିବା ଯୁବକଙ୍କ ସଂସ୍ପର୍ଶରେ ଆସି ଆଉ ଜଣେ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଖୁସିର ଖବର ହେଲା, ଏଯାଏ ଆକ୍ରାନ୍ତମାନଙ୍କ ମଧ୍ୟରୁ ଆଜି ୧୦ ଜଣ ରୋଗୀ ସୁସ୍ଥ ହୋଇ ଯାଇଛନ୍ତି। ସେମାନଙ୍କ ସର୍ବଶେଷ ନମୁନା ନେ‌େଗଟିଭ୍ ଆସିଛି। ଏହି ୧୦ ଜଣଙ୍କ ମଧ୍ୟରେ ୫ ଜଣ ଭୁବନେଶ୍ବରର, ୨ ଜଣ ଭଦ୍ରକର ଏବଂ ଜଣେ ଲେଖାଏଁ କଟକ, ଯାଜପୁର ଓ ପୁରୀର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ଏବଂ ଏଥିପାଇଁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ମଧ୍ୟ ବଧେଇ ଜଣାଇଛି। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ତେଣୁ ଏଯାଏ ମୋଟ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୧୨ ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ଜଣେ ପ୍ରାଣ ହରାଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଗତ ୬ ତାରିଖରେ ଏମ୍‌ସରେ ଝାରପଡ଼ା ଅଞ୍ଚଳର ଜଣେ ୭୨ବର୍ଷର ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ତେବେ ସେହି ବ୍ୟକ୍ତିଙ୍କ ୩ ନିକଟ ସଂପର୍କୀୟ ଗତକାଲି କରୋନା ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ତହିଁରେ ଜଣେ ୩୭ବର୍ଷର ମହିଳା ଥିବା ବେଳେ ୫ ଓ ୯ବର୍ଷର ଦୁଇ ଜଣ ଶିଶୁ ରହିଛନ୍ତି। ଏହି ତିନି ଜଣ ଗତ ୪ରୁ୫ ତାରିଖରେ ଏହି ସଂପର୍କୀୟଙ୍କୁ ଭେଟିବା ଲାଗି ଏମ୍‌ସ ଯାଇଥିଲେ। ପରେ ଘରେ ୬ରୁ ୯ତାରିଖ ଯାଏ ସଙ୍ଗରୋଧରେ ରହିଥିଲେ। ୮ ତାରିଖରେ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ଗତକାଲି ପଜିଟିଭ୍ ଥିବା ଜଣାପଡ଼ିଛି। ଆଜି ସେମାନଙ୍କୁ କିମ୍‌ସରେ ରଖାଯାଇଛି।

ସେହିପରି ଗତ ୪ ତାରିଖରେ କଳାହାଣ୍ଡିର ଜଣେ ବାହାରିନ୍ ଫେରାନ୍ତ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ତେବେ ତାଙ୍କ ସଂସ୍ପର୍ଶରେ ଆସି ଗୋଳମୁଣ୍ଡାର ୨୦ବର୍ଷର ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିବା ଗତକାଲି ସ୍ପଷ୍ଟ ହୋଇଛି। ଏହି ଯୁବକ ଜଣକ ଗତ ୪ ତାରିଖରେ ବାହାରିନ୍‌ରୁ ଫେରିଥିବା ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଦିନ ସେ ଘରେ ରହିଥିଲେ। ଏହାର ପରଦିନ ତାଙ୍କୁ ସଙ୍ଗ‌େରୋଧ କେନ୍ଦ୍ରକୁ ନିଆଯାଇଥିଲା। ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲେ ହେଁ ନିୟମିତ ଯାଞ୍ଚ ଅନୁଯାୟୀ, ଗତ ୯ ତାରିଖରେ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା।

ଆଜି ତାଙ୍କୁ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ଚିହ୍ନଟ ହେଉଥିବା ଅଧିକାଂଶ କରୋନା ସଂକ୍ରମିତଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ତେଣୁ ଲୋକମାନଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ। ପୂର୍ବରୁ ରାଜ୍ୟରେ ଆରଟିପିସିଆର୍‌ରେ କୋଭିଡ୍‌ ପରୀକ୍ଷା ହେଉଥିବା ବେଳେ ଏବେ କେନ୍ଦ୍ର ସରକାର ଆଣ୍ଟିବଡି ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି। ତେଣୁ ରାଜ୍ୟରେ ରାପିଡ୍‌ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ଲକ୍ଷାଧିକ ଲୋକ ଓଡ଼ିଶା ଫେରିଥିବା ବେଳେ ଅବଧି ସରିବା ପରେ ଅନେକ ଲୋକ ଘରକୁ ଫେରିବେ। ଅନେକ ସ୍ଥାନରେ ବାହାରୁ ଆସିଥିବା ଲୋକମାନଙ୍କୁ ସେହି ଗାଁର ଲୋକମାନେ ଘରେ ପୂରାଇବାକୁ ଦେଉନାହାନ୍ତି। ତେଣୁ ରାପିଡ୍‌ ପରୀକ୍ଷା ଆରମ୍ଭ ହେବା ପରେ ଯେଉଁ ଲୋକମାନଙ୍କର କୋଭିଡ୍‌ ପରୀକ୍ଷା ନେଗେଟିଭ୍‌ ଆସିବ, ସେମାନେ ନିଜ ଘରକୁ ଯାଇପାରିବେ ବୋଲି ଡା. ମହାନ୍ତି କହିଥିଲେ।

ସମ୍ବନ୍ଧିତ ଖବର