୧୦ କୋଟିର ସରକାରୀ ଜମି ହଡ଼ପ୍‌ ଯୋଜନା!

କଟକ : ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଥିବା ମୂଲ୍ୟବାନ ସରକାରୀ ଜମିକୁ ହାତେଇ ନେବା ପାଇଁ ହୋଇଥିବା ଏକ ବଡ଼ ଧରଣର ଚଞ୍ଚକତା ଧରା ପଡ଼ି ଯାଇଛି। ବୋର୍ଡ ଅଫ ରେଭିନ୍ୟୁର ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟରେ ଥିବା ଅତିରିକ୍ତ କମିସନରଙ୍କ କୋର୍ଟରେ ମିଥ୍ୟା ତଥ୍ୟ ଦେଇ ଜମିକୁ ହାତେଇ ନେବାକୁ ଜାଲ ବିଛା ଯାଇଥିବା ବେଳେ ତାହାକୁ ଜଣେ ରେକର୍ଡ କିପର ଧରା ପକାଇ ଦେଇଛନ୍ତି। ସହରର ପ୍ରମୁଖ ଅଞ୍ଚଳରେ ଥିବା ଏହି ଜମିର ଆନୁମାନିକ ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନରଙ୍କ କୋର୍ଟରେ ହୋଇଥିବା ମାମଲା (୫୮୭/୨୦୧୫) ଅନୁଯାୟୀ, ଉପରୋକ୍ତ ମୌଜାରେ ସାବିକ ଖାତା ନ˚ ୧୦, ସାବିକ ପ୍ଲଟ ନ˚ ୪୧୬ ରେ ରେକର୍ଡଭୁକ୍ତ ହୋଇଥିବା ୩ ଏକର ୭ ଡିସିମିଲ ଜମି ରାଣୀହାଟର ରାମଚନ୍ଦ୍ର ସେନ୍‌ଙ୍କ ପୁଅ ପ୍ରାଣକୃଷ୍ଣ ସେନ୍‌ଙ୍କ ନାମରେ ରହିଥିଲା। ୧୯୩୧ ମସିହାରେ ପ୍ରକାଶିତ ସାବିକ ପଟ୍ଟାରେ ଏହା ନିଜଦଖଲରେ ରହିଥିବା ଦର୍ଶାଯାଇଥିଲା। କିନ୍ତୁ ଜମି ମାଲିକଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପାଣ୍ତୁରିକକ୍ଷ ସେନ୍‌ ଉକ୍ତ ଜମିରୁ ୨ଏକର ୧୫ ଡିସିମିଲ ଜମିକୁ ଆବେଦନକାରୀ ପ୍ରଶାନ୍ତ କୁମାର ସାହୁଙ୍କ ବାପାଙ୍କୁ ବିକ୍ରି କରି ଦେଇଥିବା ଅତିରିକ୍ତ କମିସନରଙ୍କ କୋର୍ଟରେ କୁହାଯାଇଥିଲା। ମୋଟ ୩ ଏକର ୭ ଡିସିମିଲ୍‌ରୁ ହାଲ୍‌ ପ୍ଲଟ୍‌ ନ˚ ୨୨୫/୧୧୨୧ର ୨୯୭ ଡିସିମିଲ ଓ ପ୍ଲଟ ନ˚ ୮୪୫/୧୧୨୨ର ୩୩୪ ଡିସିମିଲର ମୋଟ ୬୩୧ ଡିସିମିଲ ଜମିକୁ ନିଜ ନାମରେ କରାଇବାକୁ ଆବେଦନ କରାଯାଇଥିଲା। ଉକ୍ତ ଜମିଗୁଡିକୁ ପୂର୍ବରୁ ବିକ୍ରି କବଲା ନ˚ ୩୭୨୯, ତା ୨୮.୬.୧୯୫୦ ଓ ୧୯୩୧ ମସିହାରେ ପ୍ରକାଶିତ ସାବିକ ପଟ୍ଟା ଏବ˚ ୧୯୭୫ ମସିହା ନଭେମ୍ବର ୧୦ ତାରିଖରେ ରାୟ ପ୍ରକାଶ ହୋଇଥିବା ଓଇଏ କେସ୍‌ ନ˚ ୫୪୮୮/୧୯୬୫-୬୬ ଧାରା ୬, ୭, ୮ ଅନୁଯାୟୀ ଅବେଦନକାରୀଙ୍କ ବାପାଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା। କିନ୍ତୁ ୧୯୯୦ ଡିସେମ୍ବର ୧୨ ତାରିଖରେ ପ୍ରକାଶିତ ହାଲ୍‌ ଖାତା ନ˚ ୬୯୨ର ହାଲ୍‌ ସେଟଲମେଣ୍ଟ ପଟ୍ଟାରେ ଜମି ସରକାରଙ୍କ ନାମରେ ଅନାବାଦି ଭାବେ ରେକର୍ଡ ହୋଇ ଯାଇଥିବା କୁହାଯାଇଥିଲା। ତେଣୁ ଅଲଗା ଖାତା ଓ ପ୍ଲଟ୍‌ରେ ଉପରୋକ୍ତ ଜମିକୁ ଆବେଦନକାରୀଙ୍କ ନାମରେ ରେକର୍ଡ କରିବାକୁ ପ୍ରାର୍ଥନା କରାଯାଇଥିଲା। ଏହାକୁ ବିଚାରକରି ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର ଆବେଦନକାରୀଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ପାଇବା ପରେ ସଦର ତହସିଲଦାର ମିସ୍‌ କେସ୍‌ (୩୮/୨୦) କରିବା ସହ ଅମିନଙ୍କ ମାଧ୍ୟମରେ ଜମି ପରିଦର୍ଶନ କରିଥିଲେ। ପରେ ଜମି ରେକର୍ଡରେ ସ˚ଶୋଧନ କରିବାକୁ ରେକର୍ଡ କିପରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ କୋର୍ଟରେ ଆବେଦନକାରୀ ଦର୍ଶାଇଥିବା ଓଇଏ କେସ୍‌ ଓ ଅନ୍ୟ କାଗଜପତ୍ର ରେକର୍ଡ ରୁମ୍‌ରେ ଉପଲବ୍ଧ ଥିବା ରେକର୍ଡ ସହିତ ମେଳ ଖାଇ ନଥିଲା। କେସ୍‌ ରେକର୍ଡରେ ଆବେଦନକାରୀଙ୍କ ବାପାଙ୍କ ନାମରେ ଉପରୋକ୍ତ କବଲା ଓ ଓଇଏ କେସ୍‌ ନମ୍ବର କିଛି ନଥିବା ଦେଖାଯାଇଥିଲା। ବର˚ ଯେଉଁ ଓଇଏ କେସ୍‌ ନମ୍ବର କୋର୍ଟରେ ଦିଆଯାଇଥିଲା, ତାହାକୁ ଜଣେ ବସନ୍ତ କୁମାର ସାହୁ ନାମକ ବ୍ୟକ୍ତିଙ୍କ ଦ୍ବାରା କରାଯାଇଥିବା ଦେଖାଯାଇଥିଲା। ତେଣୁ ଏଭଳି ଘଟଣା ସଂପର୍କରେ ରେକର୍ଡ କିପର ଜଣକ ରେକର୍ଡ ରୁମ୍‌ ଦାୟିତ୍ବରେ ଥିବା ଅଧିକାରୀ ଓ ତହସିଲଦାରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଏଭଳି ସ୍ଥିତିରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର ତାଙ୍କ ପୂର୍ବ ନିର୍ଦ୍ଦେଶରେ ସ˚ଶୋଧନ କରିବାକୁ ପୁଣି ଥରେ ତହସିଲଦାର ଏକ ମିସ୍‌ କେସ୍‌ (୪/୨୨) କରିଥିଲେ ଏବ˚ ସ˚ପୃକ୍ତ ଆର‌୍‌.ଆଇ.ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଆର‌୍‌.ଆଇ. ତାଙ୍କ ତଦନ୍ତରେ ସ˚ପୃକ୍ତ ଜମି ଦୀର୍ଘଦିନ ଧରି ଫାଙ୍କା ପଡ଼ିଥିବା ବେଳେ କେହି ଦଖଲରେ ନେଇ ନଥିବା ରିପୋର୍ଟ ଦେଇଥିଲେ। ତହସିଲଦାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ମୂଲ୍ୟବାନ ଜମିକୁ ହଡପ୍‌ କରିବାକୁ ମସୁଧା ହୋଇଥିବା ସରକାର ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର