ୟୁପି ମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୦ କୋଟି ହଡ଼ପ ଘଟଣା: ପୁଲିସକୁ ବାନ୍ଧିଲା ପୁଲିସ

ଭୁବନେଶ୍ବର: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଫେକ୍ ଇ-ମେଲ୍ ଆଇଡି ଖୋଲି ବିଭିନ୍ନ କମ୍ପାନିଠାରୁ ବିଜ୍ଞାପନ ଆଳରେ ପ୍ରାୟ ୧୦କୋଟି ଦାଦାବଟି ଆଦାୟ କରିବା ଘଟଣା ରୋଚକ ମୋଡ଼ ନେଇଛି। ଘଟଣାର ତଦନ୍ତ କରୁଥିବା ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଇନ୍ସପେକ୍ଟର ଓ କନେଷ୍ଟବଳ ଜଣେ ସାକ୍ଷୀଙ୍କ ଠାରୁ ସାଢ଼େ ୪ଲକ୍ଷ ଟଙ୍କା ନେବାକୁ ଡିଲ୍ କରିଥିବା ବେଳେ ସିବିଆଇ ଚଢ଼ଉ କରି ସବୁ ପଣ୍ଡ କରିଦେଇଛି। ତଦନ୍ତ ଅଧିକାରୀ ଇନ୍ସପେକ୍ଟର ସଜ୍ଜନ ସିଂହ ଯାଦବଙ୍କ ନିର୍ଦ୍ଦେଶକ୍ରମେ କନେଷ୍ଟବଳ ଅମିତ ଲାହୁଚା ଆଜି ଭୁବନେଶ୍ବରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଘଟଣାରେ ଦ୍ବିତୀୟ ସାକ୍ଷୀ ପଡ଼ିଥିବା ଉଦୟ କୁମାର ସାହୁଙ୍କ ଠାରୁ ସାଢ଼େ ୪ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇର ଏକ ଟିମ୍ ତାଙ୍କୁ ଗିରଫ କରିଛି। ଏହା ସହିତ ଇନ୍ସପେକ୍ଟର ସଜ୍ଜନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ମଧ୍ୟ ସିବିଆଇ ଚଢ଼ଉ କରି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ଭୁବନେଶ୍ବରର ଏକ ଗଣମାଧ୍ୟମ ସଂସ୍ଥାର ଧୂର୍ତ୍ତ ସାମ୍ବାଦିକ ମନୋଜ ସେଠ୍ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ନକଲି ମେଲ୍ ଆଇଡି ଖୋଲି ବିଭିନ୍ନ ବଡ଼ ବଡ଼ ସଂସ୍ଥାକୁ ବ୍ଲାକମେଲ୍ କରୁଥିଲେ। ଆଉ ସେମାନଙ୍କ କମ୍ପାନିକୁ ବନ୍ଦ କରିବାକୁ ଧମକ ଦେଇ ବିଜ୍ଞାପନ ଜରିଆରେ ୨୦୧୬ମସିହାରେ ୧୦କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦିଲ୍ଲୀ ଇଓଡବ୍ଲୁରେ ଅଭିଯୋଗ ହେବା ପରେ ଗତ ଜାନୁଆରି ୨୩ତାରିଖରେ ଖାରବେଳନଗର ଥାନା ପୁଲିସ ସହାୟତାରେ ତଦନ୍ତକାରୀ ଅଧିକାରୀ ସଜ୍ଜନ ସିଂହ ଯାଦବ ରାଜଧାନୀରୁ ଠକ ସାମ୍ବାଦିକକୁ ଗିରଫ କରିଥିଲେ। ପରେ ତଦନ୍ତ ବେଳେ ଧୂର୍ତ୍ତ ମନୋଜ ତାଙ୍କର ସହଯୋଗୀ ଉଦୟନାଥ ସାହୁଙ୍କ ନାଁ ଇଓଡବ୍ଲୁ କହିଥିଲେ। ଇଓଡବ୍ଲୁ ଉଦୟକୁ ତଦନ୍ତରେ ସହଯୋଗ କରିବା ପାଇଁ ଧାରା ୧୬୧ରେ ନୋଟିସ୍ କରିଥିଲା। ପରେ ଉଦୟ ଦିଲ୍ଲୀ ଇଓଡବ୍ଲୁରେ ହାଜର ହୋଇ ସମସ୍ତ ତଥ୍ୟ ପ୍ରମାଣ ଦେଖାଇଥିଲେ। ତଦନ୍ତ ଅଧିକାରୀ ଶ୍ରୀ ଯାଦବ ଚାର୍ଜସିଟରେ ଦ୍ବିତୀୟ ସାକ୍ଷୀ ଭାବେ ଉଦୟଙ୍କୁ ତାଲିକାରେ ରଖିଥିଲେ। ପରେ ଉଦୟଙ୍କୁ ଇନ୍ସପେକ୍ଟର ସଜ୍ଜନ ଗିରଫ କରିବେ ବୋଲି ଧମକାଇଥିଲେ। ସେ ମଧ୍ୟ ମନୋଜଙ୍କ ସହ ମିଶି ମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୦କୋଟି ଆଦାୟ କରିବାରେ ସଂପୃକ୍ତି ଥିବା ସଜ୍ଜନ କହିଥିଲେ। ତେଣୁ ସାଢ଼େ ୪ଲକ୍ଷ ଟଙ୍କା ନ ଦେଲେ ତାଙ୍କୁ ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ସଜ୍ଜନ ଧମକାଇଥିଲେ। ଉଦୟ ଟଙ୍କା ଦେବାକୁ ମନାକରିବାରୁ ଗତ ମାର୍ଚ୍ଚ ୨୩ରେ ଇନ୍ସପେକ୍ଟର ସଜ୍ଜନ କନେଷ୍ଟବଳ ଅମିତଙ୍କୁ ଭୁବନେଶ୍ବର ପଠାଇ ଉଦୟଙ୍କୁ ଧମକାଇଥିଲେ। ଏପରିକି ଟଙ୍କା ନ ଦେଲେ ଉଦୟଙ୍କୁ ଏଇଠି ଗୁଳି କରି ହତ୍ୟା କରିବ ବୋଲି ଅମିତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବା ଅଭିଯୋଗକାରୀ ଉଦୟ ସୂଚନା ଦେଇଛନ୍ତି।

ଏନେଇ ଉଦୟ ସିବିଆଇରେ ଅଭିଯୋଗ କରି ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଇନ୍ସପେକ୍ଟର ସଜ୍ଜନଙ୍କ ନିର୍ଦ୍ଦେଶକ୍ରମେ ଅମିତ ଭୁବନେଶ୍ବର ଆସିଥିବା ବେଳେ ସିବିଆଇ ସଜ୍ଜନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ଉ କରି ତାଙ୍କୁ ଅଟକ ରଖିଥିଲା। ଏହା ସହିତ ଆଜି ସକାଳୁ ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ୟୁକୋ ବ୍ୟାଙ୍କ୍ ନିକଟରୁ କନେଷ୍ଟବଳ ଅମିତ ଟଙ୍କା ନେଉଥିବା ବେଳେ ତାଙ୍କୁ ସିବିଆଇ ଗିରଫ କରିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ୧୦କୋଟି ଟଙ୍କା ହଡ଼ପ କରିଥିବା ଅନ୍ୟତମ ଅଭିଯୁକ୍ତ ତଥା ମୟୂର ପ୍ରିଣ୍ଟିଂ ପ୍ରେସର ମାଲିକ ଲଲାଟ କିଶୋର ଭଂଜ ଏବେ ବି ଫେରାର୍ ଥିବା ଜଣାପଡ଼ିଛି। ଅପରପକ୍ଷରେ ଲାଞ୍ଚ ନେଉଥିବା କନେଷ୍ଟବଳ ଅମିତକୁ ସିବିଆଇ ଆଜି କୋର୍ଟରେ ହାଜର କରିବା ପରେ ୪ଦିନିଆ ରିମାଣ୍ଡରେ ଆଣିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର