ଭୁବନେଶ୍ବର: ଏକ୍ ପେଡ୍ ମା’ କେ ନାମ୍ ଅର୍ଥାତ୍ ‘ମା’ଙ୍କ ନାମରେ ଗୋଟିଏ ଗଛ’ ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା। ଚଳିତ ବର୍ଷ ଏହି ବୃହତ୍ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ ‘ମା’ଙ୍କ ନାମରେ ଗୋଟିଏ ଗଛ ୨.୦’ ଅଭିଯାନର ଶୁଭାରମ୍ଭ ହେଉଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ଜୁନ୍ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ମଧ୍ୟରେ ୧୦ କୋଟି ଗଛ ଲଗାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀ ବିଶେଷକରି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି।
‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନର ଶୁଭାରମ୍ଭ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
ସମସ୍ତେ ନିଜ ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ, ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ
ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ଏକ୍ ପେଡ୍ ମା’ କେ ନାମ୍’ ଏକ ଭାବନାତ୍ମକ ବିଚାର। ସାରା ଦେଶରେ ବ୍ୟାପକ ବୃକ୍ଷରୋପଣ ଅଭିଯାନ ପାଇଁ ଏହା ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୫କୋଟି ଗଛ ଲଗାଯାଇଛି। ଏହା ମାଟି ମା’ ପ୍ରତି ଆମର ପ୍ରେମ ଏବଂ ନିବିଡ଼ତାର ପ୍ରତୀକ। ଏହି ଅଭିଯାନ କେବଳ ଏକ ପରିସଂଖ୍ୟାନରେ ସୀମିତ ନୁହେଁ ବରଂ ପ୍ରକୃତି ପ୍ରତି ଥିବା ଆମର ସ୍ନେହ ଏବଂ ଦାୟିତ୍ୱବୋଧତାର ସ୍ୱରୂପ ଅଟେ। ଏହାର ପ୍ରମାଣ ହେଉଛି, ୨୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୫୦ ଲକ୍ଷରୁ ଅଧିକ ଗଛ ପାଇଁ କ୍ୟୁଆର୍ କୋଡ୍ ତିଆରି କରିଛନ୍ତି।
ଏହା ହିଁ ଭାରତର ବିଶାଳ ପରିବେଶ ଜ୍ଞାନକୁ ଡିଜିଟାଲ୍ ଏବଂ ସୁଲଭ କରିଛି। ଏହାସହ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ। ସେହି ଗଛକୁ ବଡ଼ ହେବାକୁ ଦିଅନ୍ତୁ ଏବଂ ଏହାର କାହାଣୀ ଅନ୍ୟମାନଙ୍କୁ କୁହନ୍ତୁ। ଆମେ ଲଗାଉଥିବା ପ୍ରତିଟି ଚାରା ଏକ ବାର୍ତ୍ତା ବହନ କରେ ଯେ ଆମେ ପ୍ରକୃତିର ଚିନ୍ତା କରୁ ଏବଂ ତା’ର ସୁରକ୍ଷା ପାଇଁ ମଧ୍ୟ ବେଶ୍ ଯତ୍ନବାନ ଅଛୁ। ମାଟି ମା’ର ସୁରକ୍ଷା ପାଇଁ ସବୁଠୁ ବଡ଼ ଜନ ଆନ୍ଦୋଳନ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।