ଶେରଗଡ଼ : ଶେରଗଡ଼ ବ୍ଲକ୍ରେ ଥମୁନି ଝାଡ଼ାବାନ୍ତି। ବରଂ ଦିନକୁ ଦିନ ଏହା ଗାଁକୁ ଗାଁ ବ୍ୟାପିବାରେ ଲାଗିଛି। ଗତ ୨ ମାସ ମଧ୍ୟରେ ବ୍ଲକ୍ର ବିଭିନ୍ନ ଗ୍ରାମାଞ୍ଚଳରେ ଏକ ହଜାରରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏହାସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବ୍ଲକ୍ର ବରମୁଣ୍ଡଳୀ, ପଟାପାବୁଲି, ଷଢଙ୍ଗୀପଲ୍ଲୀ, ପଦ୍ମପୁର, ଗୋବିନ୍ଦପୁର, କରଡ଼ାକଣା, ଶେରଗଡ଼, ଖାସ୍ପା, ଠୂରୁବୁରାଇ ଓ ତାକରଡ଼ା ସମେତ ବିଭିନ୍ନ ଗ୍ରାମର ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଶେରଗଡ଼, ଆସିକା, ହିଞ୍ଜିଳି ଏବଂ ବ୍ରହ୍ମପୁର ସରକାରୀ ଚିକିତ୍ସାଳୟ ସମେତ ଘରୋଇ ଚିକିତ୍ସା କରିଛନ୍ତି। ପୂର୍ବରୁ ଖାସପା, ଗୋବିନ୍ଦପୁର ଓ ପଦ୍ମପୁର ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଥିବା ବେଳେ ଗତ ଦୁଇଦିନ ମଧ୍ୟରେ ବରମୁଣ୍ଡଳିରେ ଝାଡ଼ାବାନ୍ତି ବ୍ୟାପି ଦୁଇଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସରକାରୀ ଭାବେ ୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଅନେକ ଆକ୍ରାନ୍ତ ଘରୋଇ ଡାକ୍ତରଖାନାକୁ ପଳାଇଥିବା ଜଣାପଡ଼ିଛି।
ତେବେ ନିୟମିତ ଭାବେ ଗାଁକୁ ଗାଁ ଝାଡ଼ାବାନ୍ତି ବ୍ୟାପୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହେଉନଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳ ଗୁଡିକରେ ଝାଡ଼ାବାନ୍ତି ଆରମ୍ଭ ହେଲେ ଦିନେ ଦୁଇଦିନ ଗାଁ କୁ ଯାଇ ସଭାସମିତି କରି ନିଜ କର୍ତ୍ତବ୍ୟ ଶେଷ କରି ଦେଉଛନ୍ତି। ଅନ୍ୟ ପକ୍ଷରେ ପ୍ରତି ରାଜସ୍ୱ ଗ୍ରାମରେ ଗାଁ କଲ୍ୟାଣ ସମିତି ରହିବା ସାଙ୍ଗକୁ ଗାଁ ପରିମଳ ଏବଂ ସଚେତନତା ନିମନ୍ତେ ବାର୍ଷିକ ଅନୁଦାନ ଆସୁଥିବା ବେଳେ ତାହାର ସଠିକ ବିନିଯୋଗ ନ ହେବା ଫଳରେ ଗ୍ରାମାଞ୍ଚଳରେ ପରିମଳ ବିପର୍ଯ୍ୟସ୍ତ ହେବା ସହ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ସରକାର ସ୍ୱାସ୍ଥ୍ୟ ସୁରକ୍ଷା ଓ଼ ସଚେତନତା ନେଇ ବିଭିନ୍ନ ଯୋଜନା ପ୍ରଣୟନ ସାଙ୍ଗକୁ ରଥ ପରିକ୍ରମା କରି ବ୍ୟାପକ ଅର୍ଥ ବରାଦ କରୁଥିବା ବେଳେ ଶେରଗଡ଼ରେ ଗତ କିଛି ଦିନ ଧରି ଝାଡ଼ାବାନ୍ତି ନ ଥମିବା ଏବେ ଚିନ୍ତାର ବିଷୟ ହୋଇଛି।