କଟକ : ଗଞ୍ଜାମ ଜିଲ୍ଲା ଗେଳାନ୍ଥରା ଥାନା ଅନ୍ତର୍ଗତ ମେଣ୍ଢାରାଜପୁରଠାରେ ୧୧କେଭି ବିଦ୍ୟୁତ ତାର ଲାଗି ଗୋଟିଏ ବସ୍‌ର ୧୦ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ପ୍ରାଣହାନି ଓ ୨୨ଜଣ ଗୁରୁତର ହେବା ଘଟଣାକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ରାଜ୍ୟ ଶକ୍ତି ବିଭାଗ, ପରିବହନ ବିଭାଗ ଓ ସାଉଥ୍‌କୋ ପକ୍ଷରୁ ଜାବବ ଦାଖଲ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଫେବ୍ରୁଆରି ୧୭ରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ସାଉଥ୍‌-କୋ ନିକଟରୁ ଜବାବ ତଲବ କରିଥିଲେ।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ମେଣ୍ଢାରାଜପୁର ଡଙ୍କଲପାଡ଼ୁ ଗ୍ରାମ୍ୟ ରାସ୍ତାରେ ୧୧କେଭି ବିଦ୍ୟୁତ ତାର ଲାଗି ଫେବ୍ରୁଆରି ୯ ତାରିଖରେ ୧୦ ଜଣଙ୍କ ଘଟଣାସ୍ଥଳରେ ପ୍ରାଣହାନି ଘଟିଥିଲା। ଅତୀତରେ ରାଜ୍ୟରେ ଏପରି ଘଟଣାରେ ଧନଜୀବନ ହାନି ହୋଇଥିବା ବେଳେ ପୁଣି ଗଞ୍ଜାମରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଦ୍ୟୁତ ତାର ଲାଗି ୨୦୧୬ ସେପ୍ଟେମ୍ବର ୨୦ରେ ୬ଜଣ ବସ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଢେଙ୍କାନାଳ ଜିଲ୍ଲା ଭୁବନଠାରେ ବସ୍‌ରେ ବିଦ୍ୟୁତ ତାର ଲାଗି ଏପରି ଘଟିଥିଲା। ଏଥିସହିତ ଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ବିଦ୍ୟୁତ ତାର ଲାଗି ୧୧୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ମଧ୍ୟ ଏହି ଖବରରେ ଉଲ୍ଲେଖ କରାଯାଇଥିଲା। ଖବର କାଗଜରେ ପ୍ରକାଶିତ ଖବର ସହିତ ହରପ୍ରିୟା ପଟେଲ ଏକ ଚିଠି ହାଇକୋର୍ଟଙ୍କୁ ଲେଖି ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରିଥିଲେ। ଏହାପରେ ଏହି ଘଟଣାକୁ ନେଇ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ମାମଲାରେ ରାଜ୍ୟ ଗୃହ ବିଭାଗ, ଶକ୍ତି ବିଭାଗ, ଆଇନ ବିଭାଗ, ଦକ୍ଷିଣାଞ୍ଚଳ ଆର୍‌ଡିସି, ଗଞ୍ଜାମ ଜିଲ୍ଲାପାଳ, ଏସ୍‌ପି, ସାଉଥ୍‌କୋକୁ ପକ୍ଷଭୁକ୍ତ କରାଯାଇଥିଲା। ଖଣ୍ଡପୀଠ ମାମଲାର ଶୁଣାଣି କରି ଉଚ୍ଚ କ୍ଷମତାସଂପନ୍ନ ତାର ଟଣାଯିବା ପାଇଁ ରହିଥିବା ନିୟମାବଳୀ ଓ ରକ୍ଷଣାବେକ୍ଷଣ ପାଇଁ ଆଇନରେ ରହିଥିବା ବ୍ୟବସ୍ଥା ସଂପର୍କରେ ଅବଗତ କରିବାକୁ ଶକ୍ତି ବିଭାଗ ଓ ସାଉଥ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ। ଗୋଳନ୍ଥରାରେ ୧୧ କେଭି ବିଦ୍ୟୁତ ତାର ଟଣାଯିବା ଓ ରକ୍ଷଣାବେକ୍ଷଣ ପ୍ରସଂଗରେ ନିୟମାବଳୀ ପାଳନ କରାଯାଇଥିଲା କି ନାହିଁ ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ସରକାର ଓ ସାଉଥ୍‌କୋକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥି ସହିତ ଏହି ଘଟଣାରେ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ମଧ୍ୟ ହାଇକୋର୍ଟ ଜବାବ ତଲବ କରିଥିଲେ।