ବ୍ରହ୍ମପୁର/ଗୋଳନ୍ଥରା : କିଏ ବାପା-ମା’ଙ୍କୁ ହରାଇଛି ତ କିଏ ଭାଇ ବା ଭଉଣୀକୁ। କିଏ ପୁଣି ନିଜ ହୃଦୟର ଟୁକୁଡ଼ା ବାଳୁତ ପୁଅ-ଝିଅକୁ ହରାଇ ବାହୁନି ହେଉଛି। କାହା ଆଖିରୁ ଲୁହ ଶୁଖୁନି। ଶୋକରେ ଡୁବିଯାଇଛି ପୂରା ଡଙ୍କଲପାଡ଼ୁ ଗାଁ। କାରଣ ବସ୍ରେ ୧୧କେଭି ବିଦ୍ୟୁତ ତାର ଲାଗି ଜିଅନ୍ତା ଜଳି ଯାଇଥିବା ୧୦ ଜଣଙ୍କ ମଧ୍ୟରେ ୮ ଜଣ ଏହି ଗାଁର। ଚନ୍ଦନବାଡ଼ ଓ ଏକସିଙ୍ଗ ଗ୍ରାମର ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଆଜି ଦିନତମାମ ଏହିସବୁ ଗାଁକୁ ଲୋକ ପ୍ରତିନିଧି, ପ୍ରଶାସକ, ସାମ୍ବାଦିକଙ୍କଠୁ ନେଇ ଆତ୍ମୀୟସ୍ବଜନଙ୍କ ସୁଅ ଛୁଟିଛି। ସମସ୍ତେ ଶୋକସନ୍ତପ୍ତ ପରିବାରକୁ ଯାଇ ଭେଟୁଛନ୍ତି; କିନ୍ତୁ ପରିବେଶ ଏମିତି ରହିଛି ଯେ ନିଜ ପରିବାରର ସଦସ୍ୟ/ସଦସ୍ୟାଙ୍କୁ ହରାଇ ପାଗଳ ପ୍ରାୟ ହୋଇ ଯାଇଥିବା ଲୋକଙ୍କୁ କ’ଣ କହି ସାନ୍ତ୍ବନା ଦେବେ ତାହା ଜାଣି ପାରୁନାହାନ୍ତି।
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁରରେ ରବିବାର ଘଟିଥିବା ଏହି ଛାତିଥରା ଅଘଟଣ ସମଗ୍ର ଜିଲ୍ଲାକୁ ଦୋହଲାଇ ଦେଇଥିବାବେଳେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଗାଁଠୁ ନେଇ ହସ୍ପିଟାଲ, ଚାରିଆଡ଼େ ଶୋକାକୁଳ ପରିବେଶ। ଦୋକାନ, ବଜାର, ସ୍କୁଲ, କଲେଜ, ଅଫିସ ସବୁଠି ଏହି ଦୁର୍ଘଟଣାକୁ ନେଇ ଚର୍ଚ୍ଚା। ଯେଉଁ ସ୍ଥାନୀୟ ବାସିନ୍ଦାଙ୍କ ଆଖି ଆଗରେ ଏହି ଦୁର୍ଘଟଣା ଘଟିଥିଲା; ଆଜି ବି ମୃତାହତଙ୍କ ଆର୍ତ୍ତଚିତ୍କାରର ଭୟାନକ ଚିତ୍ର ସେମାନଙ୍କ ଆଖି ଆଗରେ ନାଚି ଉଠୁଛି। ଏକଥା ମନେ ପକାଇ ସେମାନେ ଶିହିରି ଉଠୁଛନ୍ତି। ଆଉ ଯେଉଁମାନେ ଦେଖି ନାହାନ୍ତି, ସେମାନେ ସ୍ତମ୍ଭୀଭୂତ ହୋଇ ଯାଇଛନ୍ତି। ଗୁରୁତର ଆହତ ହୋଇଥିବା ୮ଜଣ କଟକ ଏସ୍ସିବିରେ ଏବଂ ୫ଜଣ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବ୍ରହ୍ମପୁର ବଡ଼ଡାକ୍ତରଖାନା ସର୍ଜରୀ ବିଭାଗରେ ଡଙ୍କଲପାଡ଼ୁ ଗ୍ରାମର ପି. ଭୂମିକା ରେଡ୍ଡି(୧୭), ୟୁ. ମୋହିନୀ ରେଡ୍ଡି(୩୩), ବି. ଜାନକୀଆମ୍ମା(୪୦), ୟୁ. ଲଳିତା ରେଡ୍ଡି(୧୭) ଓ ଇନ୍ଦ୍ରାକ୍ଷୀର ୟୁ. ଡାଲାମ୍ମା(୪୫) ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସମସ୍ତଙ୍କର ଗୋଡ଼ ପୋଡ଼ି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
ପୁଅଘର ପରିବାର ମଧ୍ୟ ଏହି ମର୍ମନ୍ତୁଦ ଘଟଣାର ମୂକ ପାଲଟି ଯାଇଛନ୍ତି। ବନ୍ଧୁବାନ୍ଧବ ଘରକୁ ଆସି ପରିବାରବର୍ଗଙ୍କୁ ଆଶ୍ବାସନା ଦେଉଛନ୍ତି। ସେପଟେ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଅଶୋକଙ୍କ ଘରେ ପହଞ୍ଚି ସମବେଦନା ଜଣାଉଛନ୍ତି। ଅନ୍ୟପଟେ ଚିକରଡ଼ା ଗାଁରେ ଝିଅ ଘରେ ମଧ୍ୟ ସେହି ସମାନ ଅବସ୍ଥା। ଝିଅଘର ଲୋକ ମଧ୍ୟ ଶୋକରେ ଭାଙ୍ଗି ପଡ଼ିଛନ୍ତି। ଝିଅଘର ପକ୍ଷରୁ ଆଜି ବହୁ ସମ୍ପର୍କୀୟ ବଡ଼ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଆଜି ଏ କଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଗତକାଲି ବସ୍ ପଛରେ ଆସୁଥିବା ଅଶୋକ ଓ ଜଗନ୍ନାଥ ବିଦ୍ୟୁତ ତାର ବସ୍କୁ ଛୁଉଁଥିବା ସମ୍ପର୍କରେ ଡ୍ରାଇଭର୍କୁ କହିଥିଲେ। ଗାଡ଼ି ରଖିବା ପାଇଁ ତାଗିଦ୍ କରିଥିଲେ। ହେଲେ ଡ୍ରାଇଭର୍ କିଛି ନଶୁଣି ଗାଡ଼ି ଆଗକୁ ଭିଡ଼ି ଚାଲିଲା। ଯାହା ଫଳରେ ୧୧କେଭି ତାର ଲାଖି ପୂରା ବସ୍ କରେଣ୍ଟ ଚାର୍ଜ ହୋଇ ଯାଇଥିଲା।
ଏହି ଘଟଣାରେ ଗୋଳନ୍ଥରା ଥାନାରେ କେସ୍ ନମ୍ବର ୪୩/୨୦ରେ ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଡ୍ରାଇଭର୍ ଓ ହେଲପର୍ଙ୍କ ପତ୍ତା ମିଳିନାହିଁ। ସିପିଆଇଏମ୍ ପକ୍ଷରୁ ସାଉଥ୍କୋର ଅବହେଳାକୁ ଦାୟୀ କରି ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଛି। ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଦାବି କରିଛନ୍ତି।
ଏସ୍ସିବି ଆଇସିୟୁରେ ୬, ଭେଣ୍ଟିଲେଟରରେ ଜଣେ
କଟକ : ଗୋଲନ୍ଥରାରେ ବିଦ୍ୟୁତ ତାର ସଂଯୋଗରେ ଆସି ବସ୍ପୋଡି ଘଟଣାରେ ଏସ୍ସିବିରେ ୮ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ମହାଲକ୍ଷ୍ମୀ ରେଡ୍ଡୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଅନ୍ୟ ୬ଜଣ ଗୁରୁତରଙ୍କୁ ସେଣ୍ଟ୍ରାଲ ଆଇସିୟୁ ଓ ଜଣଙ୍କୁ ପ୍ଲାଷ୍ଟିକ୍ ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଛି। ଏସ୍ସିବିର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରୁଛନ୍ତି।ସୂଚନାଯୋଗ୍ୟ, ଗତକାଲି ଏସ୍ସିବିକୁ ୮ଜଣ ଆହତ ଆସିଥିବାବେଳେ ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଏସ୍ସିବିରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ସଂଧ୍ୟାରେ ଉକ୍ତ ବସ୍ର ହେଲପର୍ ଶ୍ରୀନୁ ସାହୁ(୧୭) ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍କପୁରରୁ ଏସ୍ସିବିକୁ ଆସିଛନ୍ତି। ଏସ୍ସିବି ସେଣ୍ଟ୍ରାଲ ଆଇସିୟୁରେ ବଳରାମ ରେଡ୍ଡୀ(୫୫), ବି. ପ୍ରସାଦ ରେଡ୍ଡୀ(୪୦), ବି. ଭାରତୀ ରେଡ୍ଡୀ(୧୫), କେ. ଜାନକୀ ଆମ୍ମା ରେଡ୍ଡୀ(୪୦), ପି. ସାରଦା ରେଡ୍ଡୀ(୪୦), ବୃନ୍ଦାବତୀ ମାଛ ଓ ଶ୍ରୀନୁ ସାହୁଙ୍କୁ ଭର୍ତ୍ତି କରାଯାଇଛି। ଅଧିକ ରୋଗୀଙ୍କ ଆସିବା ଆଶା କରାଯାଉଥିବାରୁ ଏଥିପାଇଁ ଏସ୍ସିବି କର୍ତ୍ତୃପକ୍ଷ ସ୍ବତନ୍ତ୍ର ଆଇସିୟୁ ଓ ବେଡ୍ ସଂରକ୍ଷିତ ରଖିଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ପ୍ଲାଷ୍ଟିକ୍ ସର୍ଜରି ବିଭାଗର ମୁଖ୍ୟ ତଥା ଅତିରିକ୍ତ ଅଧୀକ୍ଷକ ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ଲାଷ୍ଟିକ୍ ସର୍ଜରି, ମେଡିସିନ୍, ସର୍ଜରି, ପଲମ୍ୟୁନାରି ମେଡିସିନ୍, ନ୍ୟୁରୋସର୍ଜରି ଓ ନିଶ୍ଚେତକ ବିଶେଷଜ୍ଞକୁ ନେଇ କମିଟି ଗଠନ କରାଯାଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ଏସ୍ସିବିରେ ପହଞ୍ଚି ଆହତମାନଙ୍କୁ ସାକ୍ଷାତ କରିବା ସେମାନଙ୍କ ଚିକିତ୍ସା ସଂପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ତାଙ୍କ ସହ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।