ଭୁବନେଶ୍ବର: ରାଜ୍ୟର ହାଇସିକ୍ୟୁରିଟି ଜେଲ୍ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଜେଲ୍ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଜେଲ୍ ଅତ୍ୟାଧୁନିକୀକରଣ ପ୍ରକଳ୍ପରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏଣିକି ହାଇସିକ୍ୟୁରିଟି ଜେଲ୍ ଉପରେ ଡ୍ରୋନ୍ ଉଡ଼ିବ। କଏଦୀମାନଙ୍କ କଳା କାରନାମା ଉପରେ ନଜର ରଖିବାକୁ ଡ୍ରୋନ୍ ଜଗିରହିବ। ନିଶା କାରବାର, ମେଳି ବାନ୍ଧିବା, ପ୍ରାଚୀର ଡେଇଁ ଖସିବାକୁ ଉଦ୍ୟମ କରିବା ଭଳି କାଣ୍ଡକୁ ରୋକିବା ଲାଗି ଡ୍ରୋନ୍ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏହି ବ୍ୟବସ୍ଥାକୁ ୨ମାସ ଭିତରେ କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ ଏନ୍ଏସ୍ଜି ଯବାନମାନଙ୍କ ସହାୟତା ନିଆଯିବ ବୋଲି ସୂଚନା ମିଳିଛି।
କଟକ ଚୌଦ୍ବାର, ବ୍ରହ୍ମପୁର, ସମ୍ବଲପୁର, କୋରାପୁଟ ଓ ଭୁବନେଶ୍ବର ଝାରପଡ଼ା ଜେଲ୍ ହାଇସିକ୍ୟୁରିଟି ଜେଲ୍ ବର୍ଗରେ ଅଛନ୍ତି। ଏହି ସମସ୍ତ ଜେଲ୍ ପାଇଁ ୧୦ଟି ଡ୍ରୋନ୍ ବରାଦ କରାଯାଇଛି। ଏହି ସବୁ ଜେଲ୍ର ବିଭିନ୍ନ ବର୍ଗର କର୍ମଚାରୀଙ୍କ ସହିତ ଅବସରପ୍ରାପ୍ତ ଯବାନ, ସୁରକ୍ଷାରେ ନିୟୋଜିତ ଅଛନ୍ତି। ଜେଲ୍ ଵାଚ୍ ଟାଵାର୍ରେ ମଧ୍ୟ ସ୍ବତନ୍ତ୍ର ସୁରକ୍ଷାକର୍ମୀ ନିୟୋଜିତ। ଜେଲ୍ ଗେଟ୍ରେ ମେଟାଲ୍ ଡିଟେକ୍ଟର, ହ୍ୟାଣ୍ଡ୍ ଡିଟେକ୍ଟର ମଧ୍ୟ ରହିଛି। ତଥାପି ଗଳାବାଟ ଦେଇ ଜେଲ୍ ଭିତରକୁ ନିଶାଦ୍ରବ୍ୟ, ମାରଣାସ୍ତ୍ର ଓ ମୋବାଇଲ୍ ଭଳି ଆପତ୍ତିଜନକ ସାମଗ୍ରୀ ଯାଇପାରୁଛି। ବିଶେଷକରି ରାତି ସମୟରେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ଫାଙ୍କି କଏଦୀମାନେ ଏଭଳି ଚୋରା କାରବାର କରିଥାଆନ୍ତି। ଅତୀତରେ ରାଜ୍ୟର ବିଭିନ୍ନ ଜେଲ୍ରେ ଚଢ଼ଉ କରାଯାଇ କଏଦୀମାନଙ୍କଠାରୁ ମୋବାଇଲ୍, ନିଶାସାମଗ୍ରୀ ଓ ମାରଣାସ୍ତ୍ର ଜବତ କରାଯାଇଥିଲା।
ମୋବାଇଲ ବ୍ୟବହାର କରି ଅପରାଧୀମାନେ ନିୟମିତ ବ୍ୟବଧାନରେ ଚଢ଼ଉ ହେଉଛି ଏବଂ କଏଦୀଙ୍କ କଳା କାରବାର ଧରାପଡ଼ୁଛି। ମାତ୍ର ସ୍ଥାୟୀଭାବେ ଏଭଳି କାଣ୍ଡ ବନ୍ଦ ହୋଇପାରୁନାହିଁ। ତେଣୁ ଡ୍ରୋନ୍ ଜଗିବା ପରେ ଏଥିରେ ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ପ୍ରତି ଡ୍ରୋନ୍ ପିଛା ୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ରାତିତମାମ ଡ୍ରୋନ୍ଗୁଡ଼ିକ ଜେଲ୍ ଉପରେ ପଇଁତରା ମାରିବ। ସୂଚନାଯୋଗ୍ୟ ଯେ ପ୍ରିଜନ୍ ଅତ୍ୟାଧୁନିକୀକରଣ ପ୍ରୋଜେକ୍ଟରେ ୭କୋଟି ୫୩ ଲକ୍ଷ ଟଙ୍କା ଜେଲ୍ ବିଭାଗକୁ ଫେରିଛି। ଏହି ଅନୁଦାନରେ ଡ୍ରୋନ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସମାହିତ ହେବ।