ଭୁବନେଶ୍ବର: ରାଜ୍ୟରେ ବିକାଶ ହେବାକୁ ଥିବା ନୂଆ ଶିଳ୍ପାଞ୍ଚଳର ୧୦% ଅଞ୍ଚଳରେ ସବୁଜ ବଳୟ କରିବା ବାଧ୍ୟତାମୂଳକ। ଶିଳ୍ପାଞ୍ଚଳ ପାଇଁ ଯେତିକି ଅଞ୍ଚଳ ଅନୁମୋଦିତ ହୋଇଥିବ ସେଠାକାର ୧୦%ରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବ। ଅର୍ଥାତ୍‌ ଶିଳ୍ପାଞ୍ଚଳର ମାଲିକ ପ୍ରତି ହେକ୍ଟରରେ ୨୫୦୦ ଗଛ ଲଗାଇବେ। ଏହି କ୍ଷେତ୍ରକୁ ପ୍ରକଳ୍ପ ପ୍ରସ୍ତାବକ ଗୋଟିଏ ସ୍ଥାନରେ ବିକଶିତ କରିପାରିବେ କିମ୍ବା ପରିସର ମଧ୍ୟରେ ବିଭିନ୍ନ ସ୍ଥାନ ଚିହ୍ନଟ କରି ଗଛ ଲଗାଇବେ। ଏହା ସ୍ପଷ୍ଟ ଭାବେ ସୀମାବଦ୍ଧ ହେବା ଆବଶ୍ୟକ, ଯାହାକି ଶିଳ୍ପାଞ୍ଚଳ କ୍ଷେତ୍ରଫଳର ୧୦% ପର୍ଯ୍ୟନ୍ତ ଯୋଡ଼ି ହେବ। ଏଥିସହ ଶିଳ୍ପାଞ୍ଚଳ ଭିତରେ ଥିବା ବ୍ୟକ୍ତିଗତ ଶିଳ୍ପ ୟୁନିଟ୍‌ଗୁଡ଼ିକ ମଧ୍ୟ ସର୍ବନିମ୍ନ ସବୁଜ ବଳୟ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବେ। ଏଥିପାଇଁ ୪ଟି ବର୍ଗରେ ବିଭକ୍ତ କରାଯାଇଛି। ରେଡ୍‌ ବର୍ଗରେ ଥିବା ଶିଳ୍ପାଞ୍ଚଳରେ ସର୍ବନିମ୍ନ ୧୫% ସବୁଜିମା ରହିବାକୁ ଥିବା ବେଳେ ଅରେଞ୍ଜ ବର୍ଗରେ ୧୦%, ଗ୍ରିନ୍‌ ଓ ଧଳା ବର୍ଗ ପାଇଁ କିଛି ବି ବାଧ୍ୟତାମୂଳକ ହୋଇ ନାହିଁ। ସବୁଜ ବଳୟକୁ ପ୍ରଦୂଷଣ ହେଉଥିବା ସ୍ଥାନ ପାଖାପାଖି ବିକାଶ କରିବାକୁ କୁହାଯାଇଛି।

Advertisment

ପ୍ରଦୂଷଣକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତ‌ାପ୍ରକଟ
ଫୋକସ୍‌ରେ ଗମ୍ଭୀର ଓ ଗୁରୁତର ପ୍ରଦୂଷିତ ଅଞ୍ଚଳ‌
ଦେଶୀୟ ପ୍ରଜାତିର ଗଛ ଲଗାଇବାକୁ ପରାମର୍ଶ

ଶିଳ୍ପାଞ୍ଚଳ ବାହାରେ ନିର୍ଦ୍ଦିଷ୍ଟ ଶିଳ୍ପ କାରଖାନାଗୁଡ଼ିକରେ ସବୁଜ ବଳୟ ସୃଷ୍ଟି ନେଇ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି। ପରିବେଶ ମଞ୍ଜୁରି ସର୍ତ୍ତାବଳୀରେ ଧାର୍ଯ୍ୟ କ୍ଷେତ୍ରୀୟ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) କିମ୍ବା ରାଜ୍ୟସ୍ତରୀୟ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟିର ସୁପାରିସ ଉପରେ ଆଧାରିତ ସବୁଜବଳୟ ମାନଦଣ୍ଡକୁ ଶିଳ୍ପ କାରଖାନାଗୁଡ଼ିକ ପାଳନ କରିବେ। ଶିଳ୍ପାଞ୍ଚଳ କିମ୍ବା ନିର୍ଦ୍ଦିଷ୍ଟ ଶିଳ୍ପ କାରଖାନା ମଧ୍ୟରେ ପ୍ରକଳ୍ପର ଆଧୁନିକୀକରଣ, ସମ୍ପ୍ରସାରଣ ପାଇଁ ଆବେଦନ ବେଳେ ମଧ୍ୟ ସବୁଜବଳୟ ସ୍ଥିତି ବିଚାରକୁ ନେଇ ସୁପାରିସ କରାଯିବ। ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ପରିସ୍ଥିତି ବିଚାରକୁ ନେଇ ସର୍ବନିମ୍ନ ସବୁଜବଳୟ ମାନଦଣ୍ଡ ନିର୍ଧାରଣ କରିବେ। ସେହି ସବୁଜବଳୟ ମାନଦଣ୍ଡ ପରିବେଶ ମଞ୍ଜୁରି ଆବେଦନ ବେଳେ ବିଚାରାଧୀନ ହେବ। ସର୍ବନିମ୍ନ ସବୁଜବଳୟ ମାନଦଣ୍ଡ ବ୍ୟତୀତ, ଶିଳ୍ପ କାରଖାନାଗୁଡ଼ିକ ରାଜ୍ୟ ବନ ବିଭାଗ, ସହରାଞ୍ଚଳ ସଂସ୍ଥା କିମ୍ବା ନଗର ବନ କର୍ତ୍ତୃପକ୍ଷ ଓ କ୍ଷତିପୂରଣ ବନୀକରଣ କାର୍ଯ୍ୟକ୍ରମ ଆଦି ଯୋଜନାରେ ଅନ୍ୟାନ୍ୟ ସରକାରୀ ସଂସ୍ଥା ସହଯୋଗରେ ଜମିର ଉପଲବ୍ଧତା ଅନୁଯାୟୀ ଗଛ ଲଗାଇ ପାରିବେ। ଯେଉଁମାନେ ଗଛ ଲଗାଇବେ ସେମାନେ ଅତିକମ୍‌ରେ ୫ ବର୍ଷ ପାଇଁ ଚାରା, ଗଛକୁ ପାଣି ଦେବେ ଏବଂ ତାହାର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବେ। ଶିଳ୍ପାଞ୍ଚଳ କିମ୍ବା ଶିଳ୍ପ ପାର୍କ ମଧ୍ୟରେ ଅବସ୍ଥିତ ସବୁଜ ଓ ଧଳା ବର୍ଗର ଶିଳ୍ପ ପାଇଁ ସବୁଜିମା ବିକାଶ ବାଧ୍ୟତାମୂଳକ ହେବ ନାହିଁ, ବରଂ ଆବଶ୍ୟକତା ଅନୁଯାୟୀ ସେମାନେ ଇଚ୍ଛାଧୀନ ଭାବେ ପଦକ୍ଷେପ ନେବେ। ନ୍ୟାସନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନଜିଟି) ନିର୍ଦ୍ଦେଶକ୍ରମେ ଗମ୍ଭୀର ପ୍ରଦୂଷିତ ଅଞ୍ଚଳ (ସିପିଏ) ଓ ଗୁରୁତର ପ୍ରଦୂଷିତ ଅଞ୍ଚଳ (ଏସ୍‌ପିଏ)ରେ ଅବସ୍ଥିତ ରେଡ୍‌ ଓ ଅରେଞ୍ଜ ବର୍ଗ କାରଖାନାଗୁଡ଼ିକରେ ସର୍ବନିମ୍ନ ୪୦% ସବୁଜବଳୟ ବିକଶିତ କରାଯିବ। 

ସବୁଜବଳୟ ବୃଦ୍ଧି କରିବାକୁ ବିଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଧୂଳି, ଗ୍ୟାସୀୟ ଓ ଶବ୍ଦ ପ୍ରଦୂଷଣ ରୋକିପାରୁଥିବା ଦେଶୀୟ ପ୍ରଜାତିର ଗଛ ଲଗାଇବା ଓ ତାହାର ପ୍ରଭାବ ଯେଭଳି ବର୍ଷତମାମ ରହିବ ସେଥିପାଇଁ ସବୁବେଳେ ଘଞ୍ଚ ରହୁଥିବା ଗଛର ମିଶ୍ରଣ ଲଗାଇବାକୁ ପରାମର୍ଶ ଦିଆଯାଇଛି। ବଡ଼ ଗଛ, ମଧ୍ୟମଧରଣର ଗଛ, ବଣବୁଦା ଓ ଭୂମିକୁ ଘୋଡ଼ାଇବା ଭଳି ଗଛ ଲଗାଇ ସବୁଜବଳୟର ଘନତା ନିଶ୍ଚିତ କରିବାକୁ କୁହାଯାଇଛି। ସବୁଜିମା ବିକାଶ ବେଳେ ମାଟି ଓ ଜଳ ପରିଚାଳନା, ଉପଯୁକ୍ତ ଜଳ ନିଷ୍କାସନ, ରକ୍ଷଣାବେକ୍ଷଣ, ତଦାରଖ ଓ ମୂଲ୍ୟାଙ୍କନ, ପରିବେଶଗତ ଯୋଜନା ସହିତ ସମନ୍ୱୟ ରଖିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଶିଳ୍ପ କାରଖାନାଗୁଡ଼ିକ ସେମାନଙ୍କ ସବୁଜବଳୟ ଉପରେ ଅର୍ଦ୍ଧବାର୍ଷିକ ରିପୋର୍ଟ ଦାଖଲ କରିବେ। ସେଥିରେ ସେମାନେ ମୋଟ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ, ଗଛ ସଂଖ୍ୟା, ପ୍ରଜାତି ପ୍ରକାର ଓ ଅନ୍ୟାନ୍ୟ ପ୍ରାସଙ୍ଗିକ ବିବରଣୀ ପ୍ରଦାନ କରିବେ।