କଂଗ୍ରେସର ୧୦ ଗ୍ୟାରେଣ୍ଟି: ଲାଗୁ ହେବ ପୁରୁଣା ପେନସନ ଯୋଜନା

ଭୁବନେଶ୍ବର: ବିଜେପିର ‘ମୋଦୀ ଗ୍ୟାରେଣ୍ଟି’କୁ ଚେକ୍ ଦେବାକୁ ପ୍ରଦେଶ କଂଗ୍ରେସ ‘କଂଗ୍ରେସ ଗ୍ୟାରେଣ୍ଟି’ କାର୍ଡ ଖେଳିଛି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ତେଲେଙ୍ଗାନା ଫର୍ମୁଲା ଆପଣାଇବା ସହ କଂଗ୍ରେସ ଗ୍ୟାରେଣ୍ଟିର ପ୍ରମୁଖତାରେ ରହିଛନ୍ତି ମହିଳା, କୃଷକ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଯୁବଗୋଷ୍ଠୀ। କଂଗ୍ରେସର ସଂକଳ୍ପ ପତ୍ରରେ ୯୦ଟି ଘୋଷଣା ରହିଛି। ଏହା ଭିତରେ ୧୦ଟି ଗ୍ୟାରେଣ୍ଟି କଥା କୁହାଯାଇଛି। ବୋନସ୍‌ ସହ ଧାନ କ୍ରୟ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୩ହଜାର, କୃଷି ଋଣ ଛାଡ଼, କୃଷକ ପାଇଁ ମାସିକ ୨ହଜାର ଟଙ୍କା ପେନସନ ଦିଆଯିବ। ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨ଶହ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼, ୫ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ଓ ବେକାରୀ ଭତ୍ତା ମାସିକ ୩ହଜାର ଟଙ୍କା। ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟଙ୍କୁ ମାସିକ ୨ହଜାର ଭତ୍ତା, ପ୍ରତି ପରିବାରକୁ ୫ଶହ ଟଙ୍କାରେ ମାସକୁ ଗୋଟିଏ ସିଲିଣ୍ଡର ମିଳିବ। ସେହିପରି ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ସୁବିଧା, ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨ହଜାର, ରାଜ୍ୟରେ ଜାତିଭିତ୍ତିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିବ। ଚିଟ୍‌ଫଣ୍ଡ ଦ୍ବାରା ପ୍ରଭାବିତ ହୋଇଥିବା ଜମାକାରୀମାନଙ୍କୁ ୬ମାସ ଭିତରେ ଟଙ୍କା ଫେରସ୍ତ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି ଦିଆଯାଇଛି।

କ୍ଷମତାକୁ ଆସିଲେ ୫ଶହ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର, ଧାନ କ୍ବିଣ୍ଟାଲ୍‌କୁ ଦିଆଯିବ ୩ହଜାର
ଗୃହଲକ୍ଷ୍ମୀ ଯୋଜନାରେ ମହିଳାଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା
ଲାଗୁ ହେବ ପୁରୁଣା ପେନସନ ଯୋଜନା

ଏହା ସହ କୃଷକ ପରିବାରର ଆୟ ୫ବର୍ଷରେ ୧୦ହଜାର ଟଙ୍କାରୁ ଅଧିକ ହେବାକୁ ନିଶ୍ଚିତ କରାଯିବ। ଚାଷଜମିର ୭୫% ଜମିକୁ ଖରିଫ, ରବି ଓ ୨୫% ଚାଷ ଜମିକୁ ଗ୍ରୀଷ୍ମକାଳୀନ ଚାଷ ପାଇଁ ଜଳସେଚନ ୫ବର୍ଷରେ ଯୋଗାଇ ଦିଆଯିବ। ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା, ବ୍ୟାଙ୍କ ଅଫ୍‌ ଓଡ଼ିଶା ପ୍ରତିଷ୍ଠା, ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି, ଖାଲି ପଡ଼ିଥିବା ସମସ୍ତ ପଦବି ପୂରଣ, ଦାଦନ ଶ୍ରମିକ ବ୍ୟବସ୍ଥା ବନ୍ଦ କରାଯାଇ ଓଡ଼ିଶାରେ ନିଯୁକ୍ତି, ପ୍ରତି ୧ହଜାର ଲୋକ ସଂଖ୍ୟା ପାଇଁ ଗୋଟିଏ ପ୍ରାଥମିକ ସ୍କୁଲ ଓ ୫ହଜାର ଲୋକ ସଂଖ୍ୟା ପାଇଁ ଗୋଟିଏ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ହେବ। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏ ମେଡିକାଲ ଓ ନର୍ସିଂ କଲେଜ ପ୍ରତିଷ୍ଠା, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ୨୫ଲକ୍ଷ ଟଙ୍କାର ମାଗଣା ବ୍ୟବସ୍ଥା, ବରିଷ୍ଠ ନାଗରିକଙ୍କୁ ପ୍ରତି ମାସରେ ୨ଥର ସ୍ବାସ୍ଥ୍ୟ ପରୀକ୍ଷା, ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା, ସରକାର ଗଠନର ହଜାର ଦିନ ଭିତରେ ରାଜ୍ୟରେ ଭୂମିହୀନ, ବାସହୀନ କେହି ରହିବେ ନାହିଁ। ପ୍ରତି ବ୍ଲକ୍‌ରେ ଗୋଟିଏ ଜରା ନିବାସ, ସରକାର ଗଠନର ଶହେ ଦିନ ଭିତରେ ‘ପେସା’ ଆଇନ ପ୍ରଣୟନ, ନିଶାମୁକ୍ତ ଗାଁକୁ ପୁରସ୍କାର, ଆଦିବାସୀ ଦଳିତ, ଏସ୍‌ସି ଓ ଏସ୍‌ଟିଙ୍କ ଉପରେ ଥିବା ଜମିଜମା ସଂପର୍କିତ ଫୌଜଦାରୀ ମାମଲା ୧୦୦ଦିନ ଭିତରେ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ ନିଜ ଇସ୍ତାହାର ପତ୍ରରେ ଘୋଷଣା କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର କହିଲେ, ଏହିସବୁ ଗ୍ୟାରେଣ୍ଟି ପୂରଣ କରିବା ପାଇଁ ୪୭ହଜାର ୯୯୭ କୋଟି ଟଙ୍କା ଖର୍ଚ୍ଚ ହେବ। ଗୃହଲକ୍ଷ୍ମୀ ପାଇଁ ୧୭ହଜାର, ଏମ୍‌ଏସ୍‌ପି ୭୮୦୦ କୋଟି, ନିଯୁକ୍ତି ପାଇଁ ୩୨୮୮, ଆଦିବାସୀମାନଙ୍କ ପୂଜାସ୍ଥଳୀ ସଂରକ୍ଷଣ ପାଇଁ ୨୦କୋଟି, ଏସ୍‌ଏଚ୍‌ଜିଙ୍କ ଋଣ ଛାଡ଼ ପାଇଁ ୭ହଜାର, ମାଗଣା ଚିକିତ୍ସା ପାଇଁ ୮ହଜାର କୋଟି ଲାଗିବ। ଓଡ଼ିଶାରେ ହୋଇଥିବା ଚିଟ୍‌ଫଣ୍ଡ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ସବୁ ନେତା ସାମିଲ ଅଛନ୍ତି। ତେଣୁ ତାଙ୍କ ସଂପତ୍ତିକୁ ନିଲାମ କରାଯାଇ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇ ଦିଆଯିବ। ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ସବୁବର୍ଗକୁ ବିଚାରକୁ ନେଇ ଏହି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଇଛି। କାର୍ଯ୍ୟକ୍ରମରେ ଏଆଇସିସି ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ, ମିନାକ୍ଷୀ ବାହିନୀପତି, ବିଶ୍ବରଂଜନ ମହାନ୍ତି, ବବିତା ଶର୍ମା, ରଞ୍ଜିତ ପାତ୍ର, ୟାସିର ନୱାଜ, ବିଶ୍ବଜିତ ଦାସ, ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥୀ, ବିଜୟଲକ୍ଷ୍ମୀ ସାହୁ, ସୁରେଶ ମହାପାତ୍ର, ସୁଦର୍ଶନ ଦାସ, ସସ୍ମିତା ବେହେରା, କିଶୋର ଜେନା, ରଶ୍ମି ମହାପାତ୍ର, ସୁରେଶ ରାଉତରାୟ, ଦାଶରଥୀ ଗମାଙ୍ଗୋ, ଅନନ୍ତ ପ୍ରସାଦ ସେଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର