ହୀରାକୁଦ ଜଳଭଣ୍ଡାରର ପ୍ରଥମ ବନ୍ୟା ଜଳ ନିଷ୍କାସନ

ଖୋଲିଲା ୧୦ ଗେଟ୍‌, କୋଭିଡ୍ କଟକଣା ଯୋଗୁଁ ଦର୍ଶକ ନିରାଶ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ଗୁରୁବାର ପୂର୍ବାହ୍ନ ୧୦ଟାରୁ ୪ ଘଣ୍ଟା ମଧ୍ୟରେ ପର୍ଯ୍ୟାୟ କ୍ରମରେ ୧୦ଟି ଗେଟ ଖୋଲାଯାଇଛି। ତେବେ, ଏଥିଯୋଗୁଁ ତଳ ମୁଣ୍ତରେ ବନ୍ୟାର କୌଣସି ଆଶଂକା ନାହିଁ । କଲମା ବ୍ୟାରେଜର ସମସ୍ତ ଗେଟ ଖୋଲାଯାଇଥିଲେ ମଧ୍ୟ ସ୍ଥିତି ବିପଦପୂର୍ଣ୍ଣ ନୁହେଁ ବୋଲି କହିଛନ୍ତି ହୀରାକୁଦ ଜଳଭଣ୍ଡାରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିରାକାର ବିଶି।

ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ୬୧୮.୦୪ ଫୁଟ ଥିବାବେଳେ ଗୁରୁବାର ପୂର୍ବାହ୍ନ ୧୦.୧୫ମିନିଟରେ ଗେଟ ନମ୍ବର ୭ ଖୋଲାଯିବା ସହିତ ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଏହି ସମୟରେ ଜଳଭଣ୍ଡାରକୁ ୧ ଲକ୍ଷ ୧୧ ହଜାର ୨୪୪ କ୍ୟୁସେକ ପାଣି ପ୍ରବେଶ, ୧୬ ହଜାର ୫୦୧ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା। ୧୪ ହଜାର ୮୫୦ କ୍ୟୁସେକ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର, ୬୪୦ କ୍ୟୁସେକ କେନାଲ, ୧୭୦ କ୍ୟୁସେକ କାରଖାନାକୁ ଛଡ଼ାଯାଉଛି। ମୁଣ୍ତଳୀ ପର୍ଯ୍ୟନ୍ତ ଏହି ପାଣି ପହଞ୍ଚିବାକୁ ୭୨ ଘଣ୍ଟା ଲାଗିବ। ମେଲଗାଁରେ ୨୨ ହଜାର ୫୦୦ କ୍ୟୁସେକ, ପଥର୍ଲାରେ ୫୭ ହଜାର ୯୫୬ କ୍ୟୁସେକ, ଖଇରମାଲରେ ୯୨ ହଜାର କ୍ୟୁସେକ, ବରମୁଳରେ ୯୬ ହଜାର ୭୫୦ କ୍ୟୁସେକ ଏବଂ ମୁଣ୍ଡଳିରେ ୯୫ ହଜାର ୨୦୦ କ୍ୟୁସେକ ପାଣି ପ୍ରବାହିତ ହେଉଛି। ବୁର୍ଲା ପାୱାର ହାଉସରେ ୧୦୦.୩୩୩ ମେଗାୱାଟ, ଚିପିଲିମାରେ ୩୮.୭୯୨ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଛି। ପ୍ରତିବର୍ଷ ଭଜନ ଏବଂ ପୂଜା ସହିତ ଅତିଥି, ଲୋକଙ୍କ ଭିଡ଼ ମଧ୍ୟରେ ଗେଟ ଖୋଲା ଯାଇଥାଏ। ମାତ୍ର କୋଭିଡ୍ କଟକଣା ଯୋଗୁଁ ଭଜନ କାର୍ଯ୍ୟକ୍ରମ ହୋଇନଥିଲା। ଗେଟ ପରିଚାଳନା ପାଇଁ ଆବଶ୍ୟକ ୧୫ ଜଣ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ଛଡ଼ାଯାଇନଥିଲା। ଦର୍ଶକ ମଧ୍ୟ ନିରାଶ ହୋଇଥିଲେ। ସାଧାରଣ ପୂଜା ସହିତ ପ୍ରଥମେ ମୁଖ୍ୟଯନ୍ତ୍ରୀ ସୁନୀଲ ନାଏକ, ଏସଡିପିଓ ଶିଶୁରଂଜନ ମହାପାତ୍ର ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିରାକାର ବିଶି ନଡ଼ିଆ ପିଟିବା ପରେ ଅନ୍ୟ ଗେଟ ଖୋଲିଥିଲା। ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ସହିତ ସମୁଦାୟ ୧୦ଟି ଗେଟ ଖୋଲାଯାଇଛି। ଆବଶ୍ୟକସ୍ଥଳରେ ଅନ୍ୟ ଗେଟ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି। ଗୋଟିଏ ଗେଟ ଦେଇ ୧୫ ହଜାର ୫୦୦ କ୍ୟୁସେକ ପାଣି ଛଡ଼ାଯାଇଛି।

ସୂଚନା ଅନୁଯାୟୀ, ହୀରାକୁଦ ନଦୀବନ୍ଧରେ ସମୁଦାୟ ୯୮ଟି ଗେଟ ରହିଛି। ଏଥିମଧ୍ୟରୁ ୬୪ ସ୍ଲୁଇସ ଗେଟ ଏବ˚ ୩୪ଟି କ୍ରେସ ଗେଟ ରହିଛି। ହୀରାକୁଦ ନଦୀବନ୍ଧର ସବୋର୍ଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି।

ସମ୍ବନ୍ଧିତ ଖବର