ଓଡ଼ିଶାରେ ୧୦ ଘଣ୍ଟିଆ ବନ୍ଦ ପାଳନ: ଦୋକାନ ବଜାର ବନ୍ଦ ରହିଲା, ସାଧାରଣ ପରିବହନ ପ୍ରଭାବିତ

ସାରା ରାଜ୍ୟରେ ବନ୍ଦ ସଫଳ: ସଂଯୁକ୍ତ କିଷାନ ମୋର୍ଚ୍ଚା

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ମିଳିତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଓଡ଼ିଶାରେ ୧୦ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବିଭିନ୍ନ କୃଷକ ସଂଗଠନ, ସାମାଜିକ ସଂଗଠନ, ଛାତ୍ର ସଂଗଠନ ସମେତ କଂଗ୍ରେସ, ବାମଦଳ, ସମାଜବାଦୀ ପାର୍ଟି, ଆପ୍‌ ପ୍ରମୁଖ ରାଜନୈତିକ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲେ। ବନ୍ଦ ଆପାତତଃ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।

ସୋମବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ବେଳେ ସାରା ରାଜ୍ୟରେ ଦୋକାନ, ବଜାର, ସପିଂ ମଲ୍‌, ସିନେମା ହଲ୍‌, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ସ୍ବତଃସ୍ଫୂର୍ତ୍ତ ଭାବେ ବନ୍ଦ ରହିଥିଲା। କିଛି ସ୍ଥାନରେ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ଯେଉଁଠି ବସ୍‌ ଚାଲୁଥିଲା ତାହାକୁ ବିକ୍ଷୋଭକାରୀମାନେ ଅଟକାଇଥିବା ଦେଖିବାକୁ ମିଳିଥିଲା। ସେହିପରି ଭୁବନେଶ୍ବର, କଟକ, ବଲାଙ୍ଗୀର, ବାଲେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ପ୍ରମୁଖ ଷ୍ଟେସନରେ କିଛି ସମୟ ପାଇଁ ରେଳରୋକ ହୋଇଥିବାରୁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହାସହ ଅଧିକାଂଶ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ଖୋଲାଥିବା ପେଟ୍ରୋଲ ପମ୍ପକୁ ବିକ୍ଷୋଭକାରୀମାନେ ଜୋରଜବରଦସ୍ତ ବନ୍ଦ କରିଥିଲେ। ଯାହାକୁ ନେଇ କେତେକ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା। ତେବେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇନଥିଲେ।

ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା। ବଲାଙ୍ଗୀରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ବିକ୍ଷୋଭକାରୀମାନେ କାର୍ଯ୍ୟାଳୟକୁ ଧସେଇ ପଶି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଥିଲେ। ଏହାକୁ ନେଇ ପୋଲିସ ଏବଂ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ରାଜଧାନୀରେ ବନ୍ଦ ପାଳନରେ ବିଭିନ୍ନ କୃଷକ ସଂଗଠନ, ଟ୍ରେଡ୍‌ ୟୁନିଅନ୍ ଏବଂ ଅନେକ ଗଣ ସଂଗଠନ ସାମିଲ୍‌ ହୋଇଥିଲେ। ବିକ୍ଷୋଭକାରୀମାନେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି ସହ ଶ୍ରମିକ ବିରୋଧୀ ୪ଟି ଶ୍ରମିକ କୋଡ୍‌ ରଦ୍ଦ କରିବା, ସମସ୍ତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ପ୍ରଦାନ ସମେତ ମହିଳା, ଛାତ୍ର, ଯୁବକ, କୃଷି ଶ୍ରମିକ, ଆଦିବାସୀ, ଦଳିତ ଇତ୍ୟାଦି ସବୁ ବର୍ଗର ଦାବି ସମେତ ୨୧ଟି ଦାବିକୁ ନେଇ ‌ବି‌କ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ଓଡିଶା କୃଷକ ସଭାର ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସାଧାରଣ ସମ୍ପାଦକ କ୍ଷୀରୋଦ ସିଂହଦେଓ, ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଅଲ୍‌ ଇଣ୍ଡିଆ ଅଗ୍ରଗାମୀ କୃଷକ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତିରଞ୍ଜନ ମହାପାତ୍ର, ଅଲ୍‌ ଇଣ୍ଡିଆ କ୍ରାନ୍ତିକାରୀ କୃଷକ ସଭାର ପ୍ରମିଳା ବେହେରା, ଅଲ୍‌ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭାର ରାଜ୍ୟ ଆବାହକ ଶ୍ରୀକାନ୍ତ ମହାନ୍ତି, ଅଲ୍‌ ଇଣ୍ଡିଆ କିଷାନ ମହାସଭା ରାଜ୍ୟ ଉପଦେଷ୍ଟା ବଂଶୀଧର ପରିଡ଼ା, ଇନସାଫ୍‌ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଲୋହିଆ ଏକାଡେମିର ସମ୍ପାଦକ ଦେବ ପ୍ରସାଦ ରାୟ, ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ ସମ୍ପାଦିକା ତାପସୀ ପ୍ରହରାଜ, ସମାଜବାଦୀ କୃଷକ ମୋର୍ଚ୍ଚାର ରାଜ୍ୟ ଆବାହକ ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗଦେଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପିକେଟିଂ କରିଥିଲେ।

ବିକ୍ଷୋଭକାରୀମାନେ ଏକ ଶୋଭାଯାତ୍ରାରେ ଯାଇ ବିଧାନସଭା ସମ୍ମୁଖ ବ୍ୟାରକେଡ୍‌ ଭାଙ୍ଗୁଥିବା ବେଳେ ପୁଲିସ ଶତାଧିକ କର୍ମୀଙ୍କୁ ଗିରଫ କରିଥିଲା। ସେହିପରି ଏହି ଆନ୍ଦୋଳନରେ ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଶ୍ରମିକ ନେତା ଅଳି କିଶୋର ପଟ୍ଟନାୟକ, ସନ୍ତୋଷ ଦାସ, ସୁରେଶ ରାଉତରାୟ, କୃଷକ ନେତା ଜଗନ୍ନାଥ ମିଶ୍ର, ଅଭିରାମ ବେହେରା, ନିରଞ୍ଜନ ମହାନ୍ତି, ବିଜୟ କୁମାର ସାହୁ, ପୃଥ୍ୱୀରାଜ ମଲ୍କିକ, ସଞ୍ଜୟ ନାୟକ ପ୍ରମୁଖ ବହୁ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ।

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ବନ୍ଦ ପାଳନ କରାଯାଇଛି। କଂଗ୍ରେସକର୍ମୀମାନେ ପିକେଟିଂ କରିବା ସହ ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜିତ ବିକ୍ଷୋଭରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ବିଜେପି ସରକାରଙ୍କ କୃଷି ମାରଣ ନୀତି ଯୋଗୁଁ ଦେଶରେ ଚାଷୀମାନଙ୍କର ଜୀବନଜୀବିକା ଦୁର୍ବିସହ ହୋଇପଡ଼ିଛି। କୃଷକ ଭାଇଭଉଣୀମାନେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ୩ଟି କଳା କୃଷି ଆଇନକୁ ବିରୋଧ କରିବା ଏବଂ ପ୍ରତ୍ୟାହାର କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ। ଦୀର୍ଘଦିନ ଧରି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗନନ ପକ୍ଷରୁ ଆନ୍ଦୋଳନ, ଧର୍ମଘଟ ଜାରି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁଃଖର ବିଷୟ। କଂଗ୍ରେସର ଏହି ବନ୍ଦ ଧର୍ମଘଟରେ ଏଆଇସିସି ସମ୍ପାଦକ ଜି. ରୁଦ୍ର ରାଜୁ, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ବଜିତ ଦାଶଙ୍କ ସମେତ ବହୁ କଂଗ୍ରେସ ନେତା ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର