କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରକାଶ କଲା ତାଲିକା: ରାଜ୍ୟର ୧୦ଟି ଶିଳ୍ପାନୁଷ୍ଠାନକୁ ମିିଳିଲା ୫ଷ୍ଟାର୍‌ ରେଟିଂ

ଭୁବନେଶ୍ବର : ରାଜ୍ୟର ୧୦ଟି ଶିଳ୍ପାନୁଷ୍ଠାନକୁ ୫ ଷ୍ଟାର‌ ରେଟିଂ ମିଳିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ସ୍ଥିର ହୋଇଥିବା ୧୭ ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରୁ ରାଜ୍ୟରେ ଥିବା ୮୧ଟି ଶିଳ୍ପାନୁଷ୍ଠାନ ପାଇଁ ଏହି ରେଟିଂ ପ୍ରକାଶ ପାଇଛି। ସେହିପରି ରାଜ୍ୟର ୩ ଶିଳ୍ପାନୁଷ୍ଠାନ ୪ ଷ୍ଟାର, ଗୋଟିଏ ଶିଳ୍ପାନୁଷ୍ଠାନ ୨ଷ୍ଟାର ଓ ୬୬ଟି ଶିଳ୍ପାନୁଷ୍ଠାନ ଗୋଟିଏ ଷ୍ଟାର ରେଟିଂ ପାଇଛନ୍ତି। ଯେଉଁ ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ଥିରୀକୃତ ମାନକଠାରୁ କମ୍ ପରିମାଣର ପ୍ରଦୂଷଣ କରୁଛନ୍ତି ସେମାନଙ୍କୁ ଷ୍ଟାର୍‌ ମାନ୍ୟତା ଦିଆଯାଇଛି। ଆସନ୍ତା ୧ମାସ ପାଇଁ ଏହି ରେଟିଂ ବଜାୟ ରହିବ।

ଶିଳ୍ପାନୁଷ୍ଠାମାନଗୁଡ଼ିକ କେତେ ପରିମାଣର ପ୍ରଦୂଷଣ କରୁଛନ୍ତି ସେମାନଙ୍କ ପାଇଁ ଏହି ରେଟିଂର ବ୍ୟବସ୍ଥା କରାଯାଇଛି। ଶିଳ୍ପାନୁଷ୍ଠାନମାନଙ୍କ ପରିବେଶ ପାରଦର୍ଶିତା ବୃଦ୍ଧି ଓ ଜନସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଗତବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଷ୍ଟାର୍‌ ରେଟିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ କଣିକାତତ୍ତ୍ବ ବା ପାର୍ଟିକୁଲେଟ ମ୍ୟାଟରକୁ ହିସାବକୁ ନିଆଯାଇଛି। ଧୀରେ ଧୀରେ ଅନ୍ୟ ପ୍ରଦୂଷକଗୁଡ଼ିକୁ ଏଥିରେ ସାମିଲ କରାଯିବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ସଂଗୃହୀତ ଅନଲାଇନ୍ ଡାଟାକୁ ହିଁ ବ୍ୟବହାର କରିଥାଏ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଚିକାଗୋ ବିଶ୍ବବିଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌ ଓ ଟାଟା ସେଣ୍ଟର ଫର ଡେଭଲେପମେଣ୍ଟ ସହାୟତା ଯୋଗାଉଛନ୍ତି।

ଶିଳ୍ପାନୁଷ୍ଠାନମାନେ ସେମାନଙ୍କ ପ୍ରଦୂଷଣ ସଂପର୍କିତ ତଥ୍ୟ ଯୋଗାଇ ଦେବା ଫଳରେ ସେମାନେ ଉନ୍ନତ ଯନ୍ତ୍ରପାତି ବ୍ୟବହାର କରିବା କିମ୍ବା ନିଜର ନିର୍ଗମନ ନିୟନ୍ତ୍ରଣ ଯନ୍ତ୍ରପାତିରେ ପରିବର୍ତନ ଆଣି ପ୍ରଦୂଷଣ କମାଇବାରେ ପଦକ୍ଷେପ ନେବାକୁ କୁହାଯାଇଛି। ଯେଉଁ ଶିଳ୍ପାନୁଷ୍ଠାନଗୁଡ଼ିକ କମ୍ ପ୍ରଦୂଷଣ କରୁଛନ୍ତି ସେମାନଙ୍କୁ ସ୍ବୀକୃତି ଦେଇ ପ୍ରଦୂଷଣର ମାତ୍ରାକୁ ଆହୁରି କମ୍ କରିବା ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ପ୍ରତି ମାସର ୭ତାରିଖ ଦିନ ଓଡ଼ିଶା ଷ୍ଟାର ରେଟିଂ ମାନ୍ୟତା ଷ୍ଟାର ରେଟିଂ ୱେବସାଇଟ୍‌ରେ ପ୍ରକାଶିତ ହୋଇଥାଏ।

ସମ୍ବନ୍ଧିତ ଖବର