ମାଛଧରା ପାଇଁ ଗୋଷ୍ଠୀସଂଘର୍ଷ: ୧୦ ଆହତ, ୪ ଗୁରୁତର, କୃଷ୍ଣପ୍ରସାଦରେ ଉତ୍ତେଜନା

ବ୍ରହ୍ମଗିରି : ମାଛଧରାକୁ କେନ୍ଦ୍ରକରି ଆଜି କୃଷ୍ଣପ୍ରସାଦ ଥାନା ଝାରକଟା ଗାଁରେ ଦୁଇ ସାହି ମଧ୍ୟରେ ଆଜି ଗୋଷ୍ଠୀ ସଂଘର୍ଷ ଘଟିଛି। ପୋଖରୀ କୂଳରେ କାଠ ଫାଳିଆ ଓ ଲୁହାରଡ୍‌ ଧରି ଦୁଇ ଗୋଷ୍ଠୀର ସଦସ୍ୟ ପରସ୍ପରକୁ ଆକ୍ରମଣ କରିଥିବାର ଦେଖାଯାଇଥିଲା। ଏଥିରେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସଙ୍କଟାପନ୍ନ ହେବାରୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଗାଁରେ ଉେତ୍ତଜନା ଲାଗି ରହିଥିବାରୁ କୃଷ୍ଣପ୍ରସାଦ ପୁଲିସ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଝାରକଟା ଗାଁରେ ରହିଛି ଦୁଇଟି ସାହି। ସାନ ସାହି ଓ ବଡସାହି। ବଡ଼ସାହିରେ ୧୨୦ ପରିବାର ବସବାସ କରୁଥିବାବେଳେ ସାନସାହିରେ ୩୦ ପରିବାର ବସବାସ କରିଥାନ୍ତି। ସାନସାହି ପାଖରେ ରହିଛି ଗାଁର ପୋଖରୀ। ଏହି ପୋଖରୀରେ ମାଛ ଚାଷ ଗାଁ ଲୋକେ କରିଛନ୍ତି। ପୂର୍ବରୁ ପୋଖରୀକୁ ଗାଁ ଲୋକେ ନିଲାମ ଦେଇଥାନ୍ତି। ନିଲାମ ବାବଦକୁ ମିଳୁଥିବା ଟଙ୍କା ଉଭୟ ସାହି ପରସ୍ପର ମଧ୍ୟରେ ବାଣ୍ଟି ନେଇଥାନ୍ତି। ୨୦୧୮ ମସିହାରୁ ଏହି ପୋଖରୀର ନିଲାମ ହେଉ ନାହିଁ। ଏହାକୁ ନେଇ ଉଭୟ ସାହି ମଧ୍ୟରେ ବିବାଦ ଲାଗି ରହିଛି। ସାନସାହି ଲୋକେ ପୋଖରୀ ପାଣିକୁ ଅଧିକ ବ୍ୟବହାର କରିଥାନ୍ତି। ଆଜି ସକାଳୁ ବଡ଼ସାହି ଲୋକେ ପୋଖରୀରୁ ମାଛ ଧରିବାକୁ ଆସିବା ବେଳେ ସାନସାହି ଲୋକେ ଏହାକୁ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ମାଛ ଧରାକୁ ନେଇ ବଚସା ହୋଇଥିଲା। ବଚସାରୁ କଥା ଯାଇ ହାତାହାତି ପର୍ଯ୍ୟନ୍ତ ପହ‌ଞ୍ଚି ଥିଲା। ଏହା ପରେ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଲଢେଇ ଆରମ୍ଭ କରି ଦେଇଥିଲେ। ଆହତ ଓ ଗୁରୁତରମାନଙ୍କୁ ଉଭୟ ଗୋଷ୍ଠୀର ଲୋକେ ସ୍ଥାନୀୟ କୃଷ୍ଣପ୍ରସାଦ ଓ ଚିଲିକା ନୂଆପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁରସ୍ଥିତ ଏମ୍‌କେସେଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର