ସାହି ସୀମା ବିବାଦରୁ ବୋମାମାଡ଼ : ନୂଆସାହି-ଝୋଲାସାହି ସଂଘର୍ଷ, ରାସ୍ତାସାରା ଢେଲା, କାଚ; ୧୦ ଆହତ

କଟକ : ସାହି ସୀମା ବିବାଦକୁ ନେଇ ଆଜି ସଂଧ୍ୟାରେ ନୂଆସାହି ଏବଂ ଝୋଲାସାହି ମଧ୍ୟରେ ସଂଘର୍ଷ ଘଟିଛି। ଦୀର୍ଘ ବର୍ଷର ସୀମା ବିବାଦ ଆଜି ଇଦ୍‌ ପୂର୍ବରୁ ଉଗ୍ର ରୂପ ନେଇଛି। ଇଦ୍‌ ପାଇଁ ଝୋଲାସାହି ପକ୍ଷରୁ ଲାଇଟ୍‌ ଲଗାଇବାକୁ ନେଇ ଉଭୟ ସାହି ମଧ୍ୟରେ ଏଭଳି ସଂଘର୍ଷ ଘଟିଥିବା କୁହାଯାଉଛି। ଏଥିରେ ଉଭୟପକ୍ଷର ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି ।

ସୂଚନା ଅନୁଯାୟୀ, ପୁରୀଘାଟ ଥାନା ଅନ୍ତର୍ଗତ ଝୋଲାସାହି ଏବଂ ନୂଆସାହି ମଧ୍ୟରେ ପାଖାପାଖି ୧୫ ବର୍ଷ ହେବ ସୀମା ବିବାଦ ଲାଗି ରହିଛି। ଆସନ୍ତାକାଲି ଇଦ୍‌ ପର୍ବ ପାଳନ ହେବାକୁ ଥିବାରୁ ଝୋଲା ସାହି ପକ୍ଷରୁ ଲାଇଟ୍‌ ସଜା ପାଇଁ ଗତ ବୁଧବାର ଦିନ ଉଭୟ ସାହିର ମୁରବୀ ଶ୍ରେଣୀୟ ବ୍ୟକ୍ତିଙ୍କ ମଧ୍ୟରେ ପୁରୀଘାଟ ଥାନାରେ ଆପୋସ ଆଲୋଚନା ହେଇଥିଲା। ପୁଲିସ ଉପସ୍ଥିତିରେ ଦୁଇ ସାହି ମଧ୍ୟରେ ଚିହ୍ନଟ ଅଞ୍ଚଳରେ ଲାଇଟ୍‌ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଆଜି ସନ୍ଧ୍ୟାରେ ଝୋଲାସାହିର ଲୋକେ ଉକ୍ତ ସ୍ଥାନରେ ଲାଇଟ୍‌ ଲଗାଉଥିଲେ। କିନ୍ତୁ ଦୁଇ ପକ୍ଷ ମଧ୍ୟରେ ଏହାକୁ ନେଇ ବଚସା ହେବା ସହ ବିବାଦ ଉଗ୍ର ରୂପ ନେଇଥିଲା । ଉଭୟଙ୍କ ମଧ୍ୟରେ ପେଟ୍ରୋଲ ବୋମା, ମଦ ବୋତଲ, ଢେଲା ମାଡ଼ ଆରମ୍ଭ ହୋଇଯାଇଥିଲା। ଏଥିରେ ଉଭୟ ପକ୍ଷରୁ ୧୦ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ଥିବା ଏକ ଟାଟା ଏସି ଗାଡ଼ି(ଓଡି ୦୫ ଡି ୫୩୪୯)କୁ ଓଲଟାଇ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିଲେ। ଏକାଧିକ ବାଇକ୍‌କୁ ମଧ୍ୟ ଭାଙ୍ଗି ଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପୁରୀଘାଟ ଥାନା ପୁଲିସ ଏବଂ ପାଖାପାଖି ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଡିସିପି ଅଖିଳେଶ୍ୱର ସିଂହ, ଏସିପି ଅନିଲ ମିଶ୍ର ଏବଂ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇ ଥିଲେ। ପୂର୍ବରୁ ଗତ ୨୦୧୬ ମସିହାରେ ଉଭୟ ପକ୍ଷ ମଧ୍ୟରେ ଏଭଳି ଗଣ୍ଡଗୋଳ ହୋଇଥିଲା। ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ମୀମାଂଶା କରାଯାଇଥିଲା। ଡିସିପି ଶ୍ରୀ ସିଂହଙ୍କ କହିବା ଅନୁଯାୟୀ ଇଦ୍‌ ପାଇଁ ଲାଇଟ୍‌ ଲଗାଇବାକୁ କେନ୍ଦ୍ର କରି ଉଭୟ ଝୋଲାସାହି ଏବଂ ନୂଆ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି। ସ୍ଥିତି ନିୟନ୍ତ୍ରଣାଧିନ ଥେିବା ବେଳେ ଏତଲା ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

ସମ୍ବନ୍ଧିତ ଖବର