୧୦ ଆନ୍ତଃଜିଲ୍ଲା ଡକାୟତ ଗିରଫ, ୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ୫ ବାଇକ୍‌ ଜବତ

୫ ଥାନା ଅଞ୍ଚଳରେ ଡକାୟତି କରୁଥିଲେ

 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୪ ମାସ ଧରି ଗୋଲାମୁଣ୍ଡା, ଧର୍ମଗଡ଼, ଆମପାଣି, କୋକସରା ଓ ଜୟପାଟଣା ଥାନା ଅଞ୍ଚଳରେ ଏକ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ ଆତଙ୍କ ଖେଳାଇ ଚାଲିଥିଲେ। ଶନିବାର କଳାହାଣ୍ଡି ପୁଲିସ୍‌ ଏସ୍‌ପି ଅଭିଳାଷ ଜିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଜିଲ୍ଲାବ୍ୟାପୀ ଖୋଲତାଡ଼ କରି ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେମାନଙ୍କ ଠାରୁ ୬ଲକ୍ଷ ୩୫ ହଜାର ୮୨୫ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, ଧର୍ମଗଡ଼, ଆମପାଣି, କୋକସରା ଓ ଜୟପାଟଣା ଥାନା ଅଞ୍ଚଳରେ ଗତ ଏପ୍ରିଲ ମାସରୁ ଜୁଲାଇ ପର୍ଯ୍ୟନ୍ତ ଚୋରି ଆତଙ୍କ ଲାଗି ରହିଛି। ଗାଁଲୋକେ ଭୟଭୀତ ହୋଇ ରାତିରେ ଅନିଦ୍ରା ହୋଇ ଜଗି ରହୁଛନ୍ତି। ଗୋଲାମୁଣ୍ଡା ଥାନା ପଞ୍ଜିଆ ଓ ପତିଆଲ ପଡ଼ାରେ ଚୋରି ନେଇ ୨ଟି ମାମଲା, ଧର୍ମଗଡ଼ ଥାନାରେ ଧର୍ମଗଡ଼ ପୋଷ୍ଟ ଅଫିସରେ ଚୋରି ଉଦ୍ୟମ, ଆକାଶ କଲେଜ କେନାଲ ରୋଡରେ ଚୋରି, ଖଇରପଦର ଓ ରାଉରା ହଲଦିରେ ଚୋରି ଘଟଣାରେ ୪ଟି ମାମଲା, ଆମପାଣି ଥାନାରେ କାଉଡୋଲା ଓ ଡ଼ୁଡ଼କାଠେଙ୍ଗା ଚୋରି ଘଟଣାରେ ୨ଟି ମାମଲା, କୋକସରା ଥାନାରେ କନ୍ଦାବୁଟ୍ରା ଓ କାଶୀବାହାଲ ଚୋରି ଘଟଣାରେ ୨ଟି ମାମଲା, ଜୟପାଟଣା ଥାନାରେ ଖଣ୍ଡି ‌ଡଙ୍ଗରିଗୁଡ଼ା ଚୋରି ଘଟଣାରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଏହିଭଳି ବହୁ ଘଟଣା ଜିଲ୍ଲାରେ ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏନେଇ ଏସ୍‌ପି ଅଭିଳାଷ. ଜିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍‌ ଗୁଡ଼ିକ ଗଠନ କରି ସିସିଟିଭି ପୁଟେଜ, ମୋବାଇଲ ଟ୍ରାକିଂ କରାଯିବା ପରେ ଡକାୟତି ଗ୍ୟାଙ୍ଗର ଟେର ମିଳିଥିଲା। କଳାହାଣ୍ଡି ଜିଲ୍ଲାର ଜୟପାଟଣା ପଞ୍ଚାୟତର ନାଏବ ସରପଞ୍ଚ ତଥା ସୁନା ଦୋକାନୀ ଦିନେଶ ବୈଠାରୁ (୩୧) ପାଖରେ ଡକାୟତି ଗ୍ୟାଙ୍ଗ ସୁନା ଆଣି ବିକ୍ରି କରିବାକୁ ଦେଉଥିଲେ।

ଦିନେଶ ବୈଠାରୁର ମୋବାଇଲ ଟ୍ରାକ୍‌ କରାଯିବା ପରେ ଏହି ଘଟଣାରେ ସମ୍ପୃକ୍ତି ଥିବା ଡକାୟତି ଗ୍ୟାଙ୍ଗର ସୁରାକ୍ ମିଳିଥିଲା। ପୁଲିସ ପକ୍ଷରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ନବରଙ୍ଗପୁର ଜିଲ୍ଲାର ଡଙ୍ଗରଭେଜା ଥାନା ନିଶାନହାଣ୍ଡି ଗ୍ରାମର ଇମାନୁଏଲ ହରିଜନ (୨୦), ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା‌ ଥାନା ଅମ୍ବାଗୁଡ଼ା ଗ୍ରାମର ଜଗନ୍ନାଥ ହରିଜନ (୩୯), କୋରାପୁଟ ଜିଲ୍ଲାର କୋଟପାଡ଼ ଥାନା ଡଙ୍ଗରିଗୁଡ଼ା ଗ୍ରାମର ଦଳପତି ହରିଜନ (୩୫), ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବରାଦେଇ ଗ୍ରାମର ଗୋବିନ୍ଦ ହରିଜନ (୪୦), କୁମାର ହରିଜନ (୨୨) ଓ ଲାଲଧର ହରିଜନ (୫୦), କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଖଇରପଦର ଗ୍ରାମର ପୋଷ୍ଟମାଷ୍ଟର ପରମେଶ୍ବର ବାଗ (୫୨), ଗୋଲାମୁଣ୍ଡା ଥାନା ପଞ୍ଜିଆ ଗ୍ରାମର ସୋମେଶ୍ବର ନାଏକ (୫୨), ଗୋଲାମୁଣ୍ଡା ବ୍ଲକ ଖମାର ହଲଦି ଗ୍ରାମର ରୋହିତାସ୍ବ ନିଆଲ (୪୦), ଜୟପାଟଣା ଥାନା ଜୟପାଟଣା ମହାବୀର ପଡ଼ାର ସୁନା ଦୋକାନି ଓ ନାଏବ ସରପଞ୍ଚ ଦିନେଶ ବୈଠାରୁ (୩୧)କୁ ପୁଲିସ ଗିରଫ କରିଥିଲା।

ସେମାନଙ୍କଠାରୁ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା, ଓଡି-୧୦-ଜି-୫୨୯୫, ସିଜି-୧୮-ବି-୨୮, ସିଜି-୦୧ଇ-୭୯୨୯, ସିଜି-୧୨-ବିଡି-୦୧୮୫୩, ଓଡି-୦୮୦-୮୧୪୭ ନମ୍ବର ବିଶିଷ୍ଟ ୫ଟି ବାଇକ୍, ୧୧ଟି ମୋବାଇଲ, ୪୦.୩୯୨ ଗ୍ରାମ ସୁନା, ୪୪୭.୭୪୦ ଗ୍ରାମ ରୁପା, ଗୋଟିଏ ଛୁରି, ଗୋଟିଏ ପ୍ଲାୟର, ୨ଟି ସ୍କୃ-ଡ୍ରିଲର, ଗୋଟିଏ ସ୍କୃ-ଡ୍ରାଇଭର, ୪ଟି ମାସ୍କ, ଗୋଟିଏ ମଙ୍କି କ୍ୟାପ, ଗୋଟିଏ ଏସ୍‌ବିଆଇ ଏଟିଏମ୍‌ କାର୍ଡ, ଗୋଟିଏ ପାସବୁକ ଓ ଚେକବୁକ ଜବତ କରାଯାଇଛି। ଏଥିସହ ପୁଲିସ୍ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଏହି ଡକାୟତି ଗ୍ୟାଙ୍ଗ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଏକ ଦୋକାନରୁ ନକଲି ଆଧାରକାର୍ଡ ଓ କାଗଜପତ୍ର ଦେଇ ସିମ କିଣିଥିଲେ।

ଏହି ଗ୍ୟାଙ୍ଗ କୋରାପୁଟ, ନବରଙ୍ଗପୁର ଓ ଛତିଶଗଡ଼ ରାଜ୍ୟରେ ସକ୍ରିୟ ଥିଲେ। କଳାହାଣ୍ଡି ଜିଲ୍ଲାର ଖଇରପଦର ପୋଷ୍ଟମାଷ୍ଟର ପରମେଶ୍ବର ବାଗ ଗ୍ୟାଙ୍ଗକୁ ବିଭିନ୍ନ ଲୋକଙ୍କ ସମ୍ପର୍କରେ ସୂଚନା ଦେଉଥିଲା। ସେହିଭଳି ଡକାୟତମାନେ ସୁନା ଗହଣା ଚୋରି କରି ଆଣିବା ପରେ ଜୟପାଟଣାର ସୁନା ଦୋକାନୀ ଦିନେଶ ବୈଠାରୁ ଦେଇ ଟଙ୍କା ନେଉଥିଲେ। ସେ ନାଏବ ସରପଞ୍ଚ ଥିବା ଯୋଗୁ ବହୁ ତଥ୍ୟ ସଂଗ୍ରହ କରି ଗ୍ୟାଙ୍ଗକୁ ସୂଚନା ଦେଉଥିଲା ବୋଲି ଏସ୍‌ପି ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର