ରାଉରକେଲା : ୧୦ ଜୁଆଡ଼ି ଗିରଫ, ନଗଦ ଟଙ୍କା, କାର୍‌, ସ୍କୁଟି, ୧୦ ମୋବାଇଲ ଜବତ

ରାଉରକେଲା : ରାଉରକେଲା ସେକ୍ଟର-୬ ବସ୍ତିଆ ଭବନ ଆଇଟିଆଇ ପଛପାର୍ଶ୍ବ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରି ସେକ୍ଟର-୭ ପୁଲିସ ୧୦ ଜଣ ଜୁଆଡିଙ୍କୁ ଗିରଫ କରିଛି। ଗିରଫ ଜୁଆଡିମାନେ ହେଲେ ବିଶ୍ରାର ଚକ୍ରଧର ମହାନ୍ତି (୪୦), ପ୍ଲାଣ୍ଟସାଇଟ୍‌ ନାଲାରୋଡର ହସନ୍‌ ଖାନ୍‌ (୨୭), ସେକ୍ଟର-୭ ବୀର ସୁରେନ୍ଦ୍ର ସାଏ ପାଲିର ଦେଶରଞ୍ଜନ ମହାପାତ୍ର (୪୬), ଉଦିତନଗର ବିଶ୍ରା ଡାହାର ରୋଡର ଅଜୟ ଗୁପ୍ତା (୪୬), ହାତୀବାରି ଥାନା ଅନ୍ତର୍ଗତ ନୂଆଗାଁ ଚଉଆବାହାଲର ମଙ୍ଗଲ ଓରାମ (୩୬), ରାଜଗାଙ୍ଗପୁର ଗୋଶାଳାର ସଞ୍ଜୟ ମୋଡକ୍‌ (୪୦), ସେକ୍ଟର-୧୬ ସି -୯୫ର ରତିକାନ୍ତ ପ୍ରଧାନ (୩୨), ସେକ୍ଟର-୧୮ ବି ବ୍ଲକ ବସ୍ତିର ସୁରଜ ସାଗର (୨୨), ଫର୍ଟିଲାଇଜର ରଙ୍ଗିଲା ଛକର ସରୋଜ କୁମାର ଦାସ (୪୦) ଓ ଲୁହାକେରା ବସ୍ତିର ସହଦେବ କଂସାରୀ (୩୬)। ସେମାନଙ୍କ ନିକଟରୁ ନଗଦ ୪୩ ହଜାର ୭୦୦ ଟଙ୍କା, ୧୦ଟି ‌ମୋବାଇଲ, ହୁଣ୍ଡାଇ କାର୍‌ (ଜେଏଚ୍‌୦୧ଜେ-୯୮୭୭), ହୋଣ୍ଡା ଆକ୍ଟିଭା (ଓଡି ୧୪ପି-୯୩୪୮), ୟାମା ଫେସିନୋ (ଓଡ଼ି ୧୪କେ-୪୯୬୦)ର ଆର୍‌ସି ବୁକ୍‌, ଏଟିଏମ୍ କାର୍ଡ, ଆଧାର କାର୍ଡ, ଏସ୍‌ବିଆଇ ଗ୍ରୀନ୍‌ କାର୍ଡ, ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ, ତାସମୁଠା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ବସ୍ତିଆ ଆଟିଆଇ ପଛ ପାର୍ଶ୍ବ ଚମଲ ବସ୍ତିର ନିକଟ ଜଙ୍ଗଲରେ ବଡ ଧରଣର ଜୁଆ ଖେଳ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ସେକ୍ଟର-୭ ଥାନା ଅଧିକାରୀ ଗୁରୁବାରୀ ହେମ୍ବ୍ରମ୍‌ଙ୍କ ନେତୃତ୍ବରେ ଗଠିତ ଟିମ୍‌ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। କିଛି ଜୁଆଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲାବେଳେ ପୁଲିସ ୧୦ ଜଣଙ୍କୁ କାବୁ କରିଥିଲା। ଜୁଆ ଖେଳରେ ସ୍ଥାନୀୟ ବସ୍ତିର କିଛି ଲୋକ ସମ୍ପୃକ୍ତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୩/୪ ମାସ ତଳେ ଜୁଆ ଓ ସଟ୍ଟା ଖେଳର ମାଷ୍ଟର ମାଇଣ୍ଡ ଉମା ସିଂଙ୍କ ବାସନ୍ତି କଲୋନିସ୍ଥିତ ଘର ଉପରେ ଉଦିତନଗର ପୁଲିସ ଚଢ଼ଉ କରିଥିଲେ। ଉମା ସିଂ ଓ ତାଙ୍କ ଭାଇଙ୍କ ସମେତ ଅନ୍ୟ ଜୁଆଡିକୁ ଗିରଫ କରିଥିଲା। ସେଠାରୁ ପୁଲିସ ଲକ୍ଷାଧିକ ଟଙ୍କା, ମୋବାଇଲ ଓ ଗାଡି ଜବତ କରିଥିଲା। ତେବେ ଗତକାଲି ଚାଲିଥିବା ଜୁଆ ଖେଳରେ ଉମା ସିଂର ସମ୍ପୃକ୍ତି ଅଛି ନାହିଁ ପୁଲିସ ଦଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର