ଏଯାବତ ୧୦କିଲୋରୁ ଉର୍ଦ୍ଧ୍ୱ ଧଳାଜହର ଜବତ ହୋଇଛି: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର: ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଧଳାଜହର (ବ୍ରାଉନସୁଗାର) ବ୍ୟବସାୟୀ ତାର କାୟା ମେଲାଇ ସାରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ଧଳା ଜହର କାରବାରର ଘଟଣା ସାମ୍ନାକୁ ଆସୁଛି । ତେବେ ଏହି ବ୍ୟବସାୟୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ରାଜ୍ୟରେ ଏହି ବ୍ୟବସାୟର ମୂଳୋତ୍ପାଟନ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି ? ବିଧାନସଭାରେ ବିଜେଡି ବିଧାୟକ ମହୋଷଧୀ ବାଗଙ୍କ ଏଭଳି ପ୍ରଶ୍ନର ଉତ୍ତର ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଛନ୍ତି।

ଉତ୍ତରରେ ନିରଞ୍ଜନ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ କିଲୋରୁ ଉର୍ଦ୍ଧ୍ୱ ଧଳାଜହର ଜବତ କରାଯାଇଛି । ୨୦୧୮-୧୯ ମଧ୍ୟରେ ସର୍ବାଧିକ ୪୫୭୧.୫୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୫୩ଜଣଙ୍କୁ ଏହି ମାମଲାରେ ଅବକାରୀ ବିଭାଗ ଗିରଫ କରିଛି । ସେହିଭଳି ବିଗତ ୪ ବର୍ଷ ମଧ୍ୟରେ ୧୩୬ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।

ଏହାଛଡା ବ୍ରାଉନସୁଗାର କାରବାରରେ ଧରାପଡୁଥିବା ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଧଳା ଜହର କାରବାରକୁ ରୋକିବାକୁ ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

– ପ୍ରତ୍ୟେକ ଜିଲ୍ଲାରେ ଅବକାରୀ, ପୁଲିସ, ରାଜସ୍ୱ ଓ ଜଙ୍ଗଲ ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରାଯିବା ସହ ଗୁପ୍ତ ତଥ୍ୟ ଆଧାରରେ ଚଢାଉ କରାଯାଇ ଆସାମୀମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି ।

– କଟକ, ସମ୍ବଲପୁର, ବ୍ରହ୍ମପୁରର ୩ଟି ଅବକାରୀ ଗୁଇନ୍ଦା ସଂସ୍ଥା ସହ ରାଜ୍ୟ ଅବକାରୀ ଗୁଇନ୍ଦା ସଂସ୍ଥା ମାଧ୍ୟମରେ ରେଳଷ୍ଟେସନ, ବସଷ୍ଟାଣ୍ଡ ଏବଂ ବିଭିନ୍ନ ସନ୍ଦେହପୂର୍ଣ୍ଣ ସ୍ଥାନରେ ଦୃଷ୍ଟି ରଖାଯିବା ସହ ଚଢାଉ କରାଯାଇ ଏନଡିପିଏସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

– ପୁଲିସ, ଏସଟିଏଫ୍‌ ଏବଂ ଏନସିବି ଦ୍ୱାରା ବିଭିନ୍ନ ସମୟରେ ଚଢାଉ କରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

– ପ୍ରତ୍ୟେକ ଜିଲ୍ଲାରେ ଜନ ସଚେତନତା ସୃଷ୍ଟି କରାଯାଇ ଯୁବପିଢିଙ୍କ ମଧ୍ୟରେ ନିଶାନିବାରଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି ।

– ବ୍ରାଉନସୁଗାର ବାବଦରେ ସୂଚନା ଦେଉଥିବା ବ୍ୟକ୍ତି ଓ ନିଶା କାରବାର ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର