ବୌଦ୍ଧ: ଅଭିନବ ଉପାୟରେ ବୌଦ୍ଧରୁ ଛତିଶଗଡ଼କୁ ବାଇକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ିଛନ୍ତି ୩ ଜଣ ଯୁବକ। ଦୁଇଟି ବାଇକର ବିଭିନ୍ନ ଅଂଶରୁ ୧୦ କିଲୋ ଗଞ୍ଜେଇ ମଧ୍ୟ ବାହାରିଛି। ବାଇକ ଜବତ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ବିଭାଗୀୟ ସୂଚନାନୁସାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସୋମବାର ଅବକାରୀ ବିଭାଗର ଏକ ଦଳ ବୌଦ୍ଧ ସହର ରଇଠାଣି ବାଇପାସ ଛକରେ ଛକି ରହିଥିଲେ। ଏହି ସମୟରେ ଆସୁଥିବା ଗୋଟିଏ ବାଇକକୁ ଅଟକାଇ ଯାଞ୍ଚ କରାଯିବାରେ ଗଞ୍ଜେଇର ପତ୍ତା ମିଳିନଥିଲା। ଅଧିକ ଯାଞ୍ଚ କରି ସିଟ୍ ଓ ଟାଙ୍କି ଖୋଲିବା ପରେ ପୁଳା ପୁଳା ଗଞ୍ଜେଇ ବାହାରିଥିଲା।
ମାଫିଆଙ୍କ କୌଶଳ ଦେଖି ଅବକାରୀ ବିଭାଗ ଚକିତ ହୋଇ ଯାଇଥିଲେ। ବାଇକର ତଳପଟୁ ତେଲ ଟାଙ୍କିକୁ କାଟି ଭିତରେ ଗଞ୍ଜେଇ ଭତ୍ତି କରାଯାଇଥିଲା। ସିଟ୍ ତଳେ ଓ ଦୁଇ ପାର୍ଶ୍ବରେ ଥିବା ଫାଇବର କଭର ଭିତରେ ଥିବା ଫାଙ୍କା ସ୍ଥାନରେ ଛୋଟ ଛୋଟ ପ୍ୟାକେଟ କରି ଗଞ୍ଜଇ ଭର୍ତ୍ତି ହୋଇ ରହିଥିଲା। କିଛି ସମୟ ପରେ ଆସୁଥିବା ଅନ୍ୟ ଏକ ବାଇକକୁ ମଧ୍ୟ ଯାଞ୍ଚ କରାଯିବାରେ ସମାନ ଭାବରେ ଗଞ୍ଜେଇ ବାହାରିଥିଲା। ଏଥିରେ ମୋଟ ୧୦ କିଲୋ ଗଞ୍ଜେଇ ସହ ୨ଟି ବାଇକ (ସିଜି ୦୬ଜିଏଚ୍-୭୫୪୧ ଏବଂ ଓଡି ୧୭ଏସ୍-୫୭୦୧)କୁ ଜବତ କରାଯାଇଛି। ବାଇକରେ ଥିବା ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ଶଙ୍କରା ଓ ସିଂଘୋଡ଼ା ଥାନା ଅଞ୍ଚଳର କୁନ୍ଦନ କୁଲଦୀପ (୨୩), ଦୟାନିଧି ସାହୁ (୩୪) ଓ ସୁମନ୍ତ ସାହୁ (୩୪)। ଅବକାରୀ ଇନ୍ସପେକ୍ଟର ସାଗରିକା ପ୍ରଧାନଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ଏଏସ୍ଆଇ ରୂପେଶ ମୁଖୀ, କନେଷ୍ଟବଳ ଜୟନ୍ତ ପ୍ରଧାନ, ଲୋକନାଥ ଭୋଇ, କୈଳାସ ସାହୁ, ବିଜୟ ବାଘ ଓ ଦତ୍ତାତ୍ରେୟ ପ୍ରଧାନ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/21-13.jpg)