କୁଶଳେଶ୍ବର ମନ୍ଦିରରୁ ୧୦‌ କେଜିର ରୁପା ମୂର୍ତ୍ତି ଚୋରି

ଆନନ୍ଦପୁର/ଦେଓଗାଁ: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁର ପ୍ରାଚୀନ କୁଶଳେଶ୍ବର ମନ୍ଦିରରୁ ଚୋରି ହୋଇଛି। କୁଶଳେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା କୁହାଯାଉଥିବା ଚନ୍ଦ୍ର‌ଶେଖରଙ୍କ ୧୦ ‌କେଜି ଓଜନର ବିରଳ ରୁପା ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଗତକାଲି ରାତିରେ ଚୋରି କରି ନେଇଯାଇଛନ୍ତି। ଅଭିଯୋଗ ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଦେଓଗାଁରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, କୁଶଳେଶ୍ବରଙ୍କ ଚଳିନ୍ତି ପ୍ରତିମା ହେଉଛନ୍ତି ଚନ୍ଦ୍ରଶେଖର।‌ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ପୂଜା ପାଉଥିଲେ। ବିଭିନ୍ନ ପର୍ବପର୍ବାଣୀରେ ଚଳନ୍ତି ପ୍ରତିମା ମନ୍ଦିର ବେଢ଼ା ଓ ଗ୍ରାମ ପରିକ୍ରମା କରିଥାନ୍ତି। କେନ୍ଦୁଝର ରାଜାଙ୍କ ମନ୍ତ୍ରୀଙ୍କୁ ସ୍ବପ୍ନାଦେଶ ହେବା ପରେ ସେ ଏହି ମୂର୍ତ୍ତିକୁ ପ୍ରତିଷ୍ଠା କରାଇଥିଲେ।

ଆଜି ସକାଳୁ ମନ୍ଦିରର ରାତ୍ର ଜଗୁଆଳି ବିଜୁ ଦେହୁରୀ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ନଥିବା ଦେଖି ସମସ୍ତଙ୍କୁ ଜଣାଇଥିଲେ। ଆନନ୍ଦପୁର ଉପଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ମନ୍ଦିର କୋଠ ତହସିଲଦାର ଉମାକାନ୍ତ ବେହେରା ଘସିପୁରା ଥାନାରେ ଏନେଇଏତଲା ଦେଇଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି। ଆସନ୍ତାକାଲି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବ ବୋଲି କୋଠ ତହସିଲଦାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚଳନ୍ତି ପ୍ରତିମାଙ୍କ ଚୋରି ଯୋଗୁଁ କୁଶଳେଶ୍ବରଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା। ଦିନ ୧୧ଟାବେଳେ ନୀତିକାନ୍ତି ହୋଇଥିଲା। ଏହି ଚୋରିରେ ସ୍ଥାନୀୟ ଅଞ୍ଚଳର ଦୁର୍ବୃତ୍ତମାନେ ସାମିଲ ଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର