୫ ମାସରେ ୫ ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ : ଗଲାଣି ୧୦ ଜୀବନ

ବ୍ରହ୍ମପୁର : କରୋନା ମହାମାରୀ ଯୋଗୁଁ ସବୁଠାରୁ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ପ୍ରବାସୀ ଓଡ଼ିଆ। ଜୀବିକା ହରାଇବା ସାଙ୍ଗକୁ ପେଟର ଭୋକ ସେମାନଙ୍କ ଗୋଟିଏ ସ୍ଥାନରେ ବାନ୍ଧି ରଖିପାରିନି। କର୍ମଭୂମିରୁ ଜନ୍ମଭୂମି ପୁଣି କର୍ମଭୂମିକୁ ଯିବା ଆସିବା ମଧ୍ୟରେ ବସ ଦୁର୍ଘଟଣାରେ ୧୦ଜଣ ପ୍ରବାସୀଙ୍କ ଜୀବନ ଯାଇଛି।

ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇବା ପରେ ସୁରତ ସୂତାକଳ ଶ୍ରମିକମାନେ ନିଜ ଭିଟାମାଟି ଫେରିବା ଲାଗି ବ୍ୟାକୁଳ ହୋଇପଡ଼ିଥିଲେ। ଲକ୍‌ଡାଉନ୍‌ କଟକଣା ଯୋଗୁ ଫେରି ପାରୁ ନ ଥିଲେ। କଟକଣା ଥାଇ ମଧ୍ୟ ଗୁଜୁରାଟ ସରକାର ପ୍ରବାସୀଙ୍କ ବସ୍‌ରେ ଯିବାକୁ ଦେଇଥିଲେ ଅନୁମତି। ଏପ୍ରିଲ ୨୮ତାରିଖରେ ସୁରତରୁ ୪ଟି ବସ୍‌ରେ ୨୨୮ଜଣ ସୂତାକଳ ଶ୍ରମିକ ଗଞ୍ଜାମକୁ ବାହାରି ୩୦ତାରିଖରେ ଶେରଗଡ଼ ଓ ଧରାକୋଟରେ ପହଞ୍ଚିଥିଲେ। ସୁରତ ଓ ଅନ୍ୟାନ ରାଜ୍ୟରୁ ପ୍ରାୟ ୨ହଜାର ବସ୍‌ରେ ପ୍ରବାସୀମାନେ ଜିଲ୍ଲାକୁ ଫେରିଥିଲେ। ସେତେବେଳେ ବସ୍‌ର ଇନ୍‌ସ୍ୟୁରାନ୍ସ ଓ ଫିଟ୍‌ନେସକୁ ଯାଞ୍ଚ କରାଯାଇ ନ ଥିଲା। ଏପରି କି ପରିବହନ କ୍ଷମତା ଠାରୁ ଅଧିକ ଯାତ୍ରୀ ବି ବସ୍‌ ଗୁଡ଼ିକରେ ଆସିଥିଲେ। ମେ ୨ତାରିଖ ରାତିରେ କନ୍ଧମାଳ କଳିଙ୍ଗା ଘାଟିରେ ସୁରତରୁ ସୂତାକଳ ଶ୍ରମିକଙ୍କୁ ନେଇ ଗଞ୍ଜାମ ଆସୁଥିବା ଏକ ବସ୍‌ ଦୂର୍ଘଟଣା ଗସ୍ତ ହୋଇଥିଲା। ଘଟଣା ସ୍ଥଳରେ ସୋରଡ଼ା ଅଞ୍ଚଳର ଚିତ୍ତରଞ୍ଜନ ସେଠୀ ଏବ˚ ବୁଗୁଡ଼ା ଅଞ୍ଚଳର ତପନ ସେଠୀଙ୍କ ମୃତ୍ୟୁ ଘଟିଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଉକ୍ତ ବସ୍‌ରେ ପରିବହନ କ୍ଷମତା ଠାରୁ ଅଧିକ ଅର୍ଥାତ ୬୪ ଜଣ ଯାତ୍ରୀ ଥିଲେ। ଏହାର ଦିନେ ଦୁଇଦିନ ଅନ୍ତରେ ପୁଣି କଳିଙ୍ଗା ଘାଟିରେ ପ୍ରବାସୀଙ୍କ ନେଇ ଆସୁଥିବା ଏକ ବସ୍‌ ଦୁର୍ଘଟଣା ଗସ୍ତ ହୋଇଥିଲା। ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ। ସୌଭାଗ୍ୟ କ୍ରମେ ବଡଧରଣ ଦୂର୍ଘଟଣାରୁ ବସଟି ବର୍ତ୍ତି ଯାଇଥିଲା। ସେହିପରି ଏକ ବସ୍‌ରେ ଫେରୁଥିବା ଜଣେ ପ୍ରବାସୀଙ୍କ ବସ୍‌ରେ ହିଁ ମୃତ୍ୟୁ ଘଟିଥିଲା। ରାୟପୁର ନିକଟରେ ଉକ୍ତ ବସ୍‌ରେ ବସିଥିବା ଗଞ୍ଜାମ ଜିଲ୍ଲାର ପ୍ରକାଶ ଗୌଡ଼ ନାମକ ଯାତ୍ରୀ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡିଥିଲା। ସ୍ଥାନୀୟ ମେଡିକାଲକୁ ଚିକିତ୍ସା ଲାଗି ନିଆଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

New Indian Express

ସେହିପରି ପ୍ରବାସୀଙ୍କୁ ସୁରତରୁ ଗଞ୍ଜାମକୁ ନେଇ ଆସୁଥିବା ଏକ ବସ୍‌ ମହରାଷ୍ଟ୍ରର ନାଗପୁର – ଅମରାବତୀ ଜାତୀୟ ରାଜପଥଠାରେ ଦୁର୍ଘଟଣା ଗସ୍ତ ହୋଇ ରାସ୍ତାପାର୍ଶ୍ବକୁ ଓଲଟି ପଡିଥିଲା। ଏହି ଦୂର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ କରଞ୍ଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାରମ୍ବାର ଦୁର୍ଘଟଣା ଘଟିବା ପରେ ରାଜ୍ୟ ସରକାର ସୁରତରୁ ପ୍ରବାସୀମାନେ ବସ୍‌ରେ ଆସିବା ଉପରେ ନିଷେଧାଦେଶ ଜାରୀ କରିଥିଲେ। ଆଉ ସମୟକ୍ରମେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ବସ ଚଳାଚଳ ନିଷିଦ୍ଧାଦେଶ ସତ୍ତ୍ବେ ସୁରତରୁ ବସ୍‌ ଆସୁଥିବା ଦେଖିବାକୁ ମିଳିଥିଲା। ସୁରତରୁ ୫୫ଜଣ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ବସ୍‌ ଦାରିଙ୍ଗୀବାଡ଼ି ଘାଟିରେ ଫସି ଯାଇଥିଲା। ସୌଭାଗ୍ୟକ୍ରମ ବଡଧରଣ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ପ୍ରବାସୀମାନେ ଘାଟିରେ ରାତିସାରା ଫସିଥିଲେ। ପୁଲିସ ଘଟଣାସ୍ଥଳରୁ ପ୍ରବାସୀଙ୍କୁ ଉଦ୍ଧାର କରିଥିଲା।

ଜୁଲାଇ ୧୫ରୁ ସୁରତରୁ ଫେରିଥିବା ସୂତାକଳ ଶ୍ରମିକମାନେ ପୁଣି କର୍ମଭୂମିକୁ ଯିବା ଆରମ୍ଭ କରିଛନ୍ତି। ପୁଣି ବିପଦସଙ୍କୁଳ ଭାବେ ଯାତାୟତ ଯୋଗୁଁ ପୁଣି ରାୟପୁର ଠାରେ ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। ୮ଜଣ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଗସ୍ତ ବସ୍‌ରେ ସମୁଦାୟ ୬୭ଜଣ ଯାତ୍ରୀ ରହିଥିଲେ। ବସ୍‌ର ଫିଟ୍‌ନେସ୍‌ ଓ ଇନ୍‌ସ୍ୟୁରାନ୍ସ ନ ଥିଲା କି ହର୍ଣ୍ଣ ବାଜୁ ନ ଥିଲା। ମେ ଠାରୁ ସେପ୍ଟେମ୍ବର ୫ମାସ ମଧ୍ୟରେ ୫ଟି ପ୍ରବାସୀ ବସ୍‌ ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ୧୦ଜଣଙ୍କ ଜୀବନ ଯାଇଛି।

ସମ୍ବନ୍ଧିତ ଖବର