କୋଣାର୍କ: କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ପହଞ୍ଚିଛନ୍ତି ୧୦ କୃଷ୍ଣସାର ମୃଗ। ୧୨ ବର୍ଷ ପରେ ବନବିଭାଗର ପ୍ରଚେଷ୍ଟାରେ କୃଷ୍ଣସାର ମୃଗ ନିଜର ପସନ୍ଦଯୋଗ୍ୟ ପରିବେଶକୁ ଫେରି ଖୁସିରେ ଡିଆଁ ମ‌ାରୁଥିବା ଦେଖିବାକୁ ମିଳିଛି। କୋଣାର୍କ ବନବିଭାଗ ପକ୍ଷରୁ ଏହି ବିରଳ ମୃଗଙ୍କ ବଂଶ ବୃଦ୍ଧି ନିମନ୍ତେ ପରୀକ୍ଷାମୂଳକ ଭାବେ ପ୍ରାଥମିକ ସ୍ତରରେ ନନ୍ଦନକାନନରୁ ଏହି ୧୦ଟି କୃଷ୍ଣସାର (୬ଟି ମାଈ ଓ ୪ଟି ଅଣ୍ଡିରା) ମୃଗ ଅଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ମୃଗମାନେ ପହଞ୍ଚିବା‌ ପରେ କୋଣାର୍କ ବନାଧିକାରୀ ସୁଦର୍ଶନ ଦେହୁରୀଙ୍କ ତତ୍ତ୍ବାବଧାନରେ ରାସ୍ତାଠାରୁ ୩ କିମି ଦୂରରେ ପ୍ରସ୍ତାବିତ ଜଙ୍ଗଲ ନିକଟରେ ସ୍ୱତନ୍ତ୍ର ପିଞ୍ଜରାରେ ସେମାନଙ୍କୁ ରାତିସାରା ରଖାଯାଇଥିଲା। ଆଜି ସକାଳୁ ବନାଧିକାରୀ ଶ୍ରୀ ଦେହୁରୀ, ଯୁବ ପ୍ରାଣୀ ନିରୀକ୍ଷକ ଗତିକୃଷ୍ଣ ବେହେରା, ବନପାଳ କୈଳାସ ଚନ୍ଦ୍ର ନାୟକ, ଏଲିନା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ୧୦ କର୍ମଚାରୀଙ୍କ ଉପସ୍ଥିତିରେ ମୃଗମାନଙ୍କୁ ପ୍ରସ୍ତାବିତ ସ୍ଥାନରେ ଛଡ଼ାଯାଇଥିଲା। ଏହି ମୃଗମାନଙ୍କ ବୟସ ୨ରୁ ୩ ବର୍ଷ ମଧ୍ୟରେ ହୋଇଥିବା ବେଳେ ଓଜନ ୫୦ରୁ ୬୦ କେଜି ମଧ୍ୟରେ ରହିଛି। କୋଣାର୍କ-କାକଟପୁର ମୁଖ୍ୟରାସ୍ତା ଆଦର୍ଶ ବିଦ୍ୟାଳୟ ସମ୍ମୁଖ ଜଙ୍ଗଲର ପ୍ରାୟ ୩ କିମିରୁ ଊର୍ଦ୍ଧ୍ବ କୁରୁଜଙ୍ଗ ପଞ୍ଚାୟତ ଅଧୀନ ଖଣ୍ଡିଆ ନଈ ନିକଟ ଅଭୟାରଣ୍ୟରେ ଥିବା ୮ ଏକର ପରିମିତ ଜାଗାରେ ଏକ ସ୍ବତନ୍ତ୍ର ସୁରକ୍ଷା ପ୍ରାଚୀର ଦ୍ୱାରା ଆବଦ୍ଧ ସ୍ଥାନରେ ଏହି ବିରଳ କୃଷ୍ଣସାର ମୃଗଙ୍କୁ ରଖାଯିବ। ବନବିଭାଗ ପକ୍ଷରୁ ସେମାନଙ୍କ ନିତ୍ୟ ପ୍ରାକୃତିକ ଖାଦ୍ୟ ନିମନ୍ତେ ୪ ପ୍ରକାରର ଘାସ ଲଗାଯାଇ ଘାସ ପଡ଼ିଆ ପ୍ରସ୍ତୁତ କରାଯାଇଛି। ଏଥିସହ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରାଯାଇଛି।

Advertisment

ଏ ସମ୍ପର୍କରେ ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀ ବିବେକ କୁମାର କହିଛନ୍ତି, ‘ବନବିଭାଗ ପକ୍ଷରୁ ପ୍ରତିଦିନ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। କିଛିଦିନ ପରେ ଏହି ମୃଗମାନଙ୍କୁ ସ୍ୱାଧୀନ ଭାବେ ବିଚରଣ ନିମନ୍ତେ ଅଭୟାରଣ୍ୟରେ ପୁଣି ଛାଡ଼ି ଦିଆଯିବ। ପରିବେଶ ସୁହାଇଲେ ଦ୍ୱିତୀୟ ପର୍ଯ୍ୟାୟରେ ଜୁଲାଇ ମାସରେ ପୁଣି ୩୧ଟି କୃଷ୍ଣସାର ମୃଗ ଗଞ୍ଜାମ ଓ ନନ୍ଦନକାନନରୁ ଆଣି ଛଡ଼ାଯିବ।’ ପୁରୀ ଫରେଷ୍ଟ ଡିଭିଜନ ପକ୍ଷରୁ ଏହି ବିରଳ କୃଷ୍ଣସାର ମୃଗଙ୍କ ବଂଶ ବୃଦ୍ଧି ନିମନ୍ତେ କରାଯାଇଥିବା ପ୍ରୟାସକୁ ପରିବେଶବିତ୍‌ ସରୋଜ କୁମାର ଜେନା, କଇଁଛ ସୁରକ୍ଷା କର୍ମୀ ସୌମ୍ୟରଂଜନ ବିଶ୍ୱାଳ, ଗବେଷକ ସୁବାସ ବରାଳ, ହରିଶ୍ଚନ୍ଦ୍ର ଦାଶ, ଉମେଶ ସ୍ବାଇଁ, ରାମକୃଷ୍ଣ ମହାନ୍ତି ଓ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି।