ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ଟଣାରେ ଅହେତୁକ ବିଳମ୍ବ ହୋଇଛି। ରାତିରେ ଟଣା ହୋଇଛି ରଥ। ନୀତିକାନ୍ତି ଘଣ୍ଟାଏ ୧୫ ମିନିଟ୍ ବିଳମ୍ବ ହୋଇଥିଲେ ହେଁ ଧାଡ଼ି ପହଣ୍ଡି ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିଲା। ରଥଟଣା ବି ମାତ୍ର ୧୦ ମିନିଟ ବିଳମ୍ବରେ ହେଲା। ତଥାପି ରଥ ବଡ଼ଦାଣ୍ଡରେ ଅଟକିଗଲା। ବାସ୍ତବରେ କେଉଁଠି ତ୍ରୁଟି ଥିଲା? ଆଜି ରଥ ମୋଡ଼ ନେବା ଏକ କାରଣ ଥିଲା, ନା ଆଉ କିଛି?
ବାରମ୍ବାର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ମୋଡ଼ ନେଇଥିଲା। ଡାହାଣ ପାର୍ଶ୍ବକୁ ମୋଡ଼ ଖାଇଲା ବଡ଼ ଠାକୁରଙ୍କ ରଥ। ବାରମ୍ବାର ଫାଳି ଲାଗିବାରୁ ୪୦୦ ମିଟର ବାଟ ପାଇଁ ଅଢ଼େଇ ଘଣ୍ଟା ଲାଗିଗଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଭଳି ଏକ ସମସ୍ୟା ସଂପର୍କରେ ଗତକାଲିଠାରୁ ଆଲୋଚନା ହୋଇଥିଲେ ହେଁ ଏହାକୁ କେହି ଗମ୍ଭୀର ଭାବେ ନେଇ ନ ଥିଲେ। ନିଜ ନାମ ଗୋପନ ସର୍ତ୍ତରେ ଜଣେ ରଥ ନିର୍ମାଣ କାରିଗର କହିଛନ୍ତି, ଗତକାଲି ଶ୍ରୀବଳଭଦ୍ରଙ୍କ ରଥ ସିଂହଦ୍ବାର ଚକଡ଼ାରେ ଲାଗିବା ବେଳେ ଯଥାସ୍ଥାନରେ ରହି ନ ଥିଲା। ତିନି ରଥ ଛିଡ଼ା ହେବା ବେଳେ ଦେଖାଗଲା ଯେ ରଥଠୁ ରଥ ମଧ୍ୟରେ ଅଧିକ ଦୂରତ୍ବ ରହିଛି। ଆଜି ତାର ପ୍ରଭାବ ପଡ଼ିଛି। ସ୍ଥିତି ଗମ୍ଭୀର ଜାଣି ଆଜି ରଥଟଣା ହେବା ବେଳେ ରାସ୍ତା ମଝିକୁ ରଥ ଆଣିବାକୁ ବା ମୋଡ଼ ଦେବାକୁ ଡାହୁକଙ୍କ ନିର୍ଦ୍ଦେଶ ରହିଥିଲା। ତେଣୁ ରଥ କେଇ ହାତ ଘୁଞ୍ଚାଇବାକୁ ଭକ୍ତ ଓ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଥିଲା। ଏହାବ୍ୟତୀତ ବହୁ ଭକ୍ତ କର୍ଡନ୍ ମଧ୍ୟରେ ପ୍ରବେଶ କରିଥିଲେ। ଡାହୁକ ଓ ପୁଲିସ ନିର୍ଦ୍ଦେଶ ନ ମାନି ବହୁ ଭକ୍ତ ରଥ ଟାଣିବା ମଧ୍ୟ କିଛି ମାତ୍ରାରେ ଦାୟୀ ବୋଲି ସେବକ ଜଣକ କହିଛନ୍ତି।
ତାଳଧ୍ବଜ ରଥ ଗଡ଼ିବାରେ ସମସ୍ୟା ଯୋଗୁ ଦେବୀ ସୁଭଦ୍ରାଙ୍କ ରଥ ଗଡ଼ିବା ବିଳମ୍ବ ହୋଇଥିଲା। ଦେବୀଙ୍କ ରଥ ଅଟକି ରହିଥିବାରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଚଳିପାରି ନ ଥିଲା। ୭ଟା ୪୪ ସୁଦ୍ଧା ରଥ ଗଡ଼ି ନ ଥିଲା। ଶେଷରେ କେବଳ ବିଧି ରକ୍ଷା ପାଇଁ ଥରେ ମାତ୍ର ରଥଟଣା ହୋଇ କେଇ ହାତ ଗଡ଼ି ଅଟକିଥିଲା। ସିଂହଦ୍ବାରଠାରେ ହିଁ ଆଜି ମହାପ୍ରଭୁ ରହିଯାଇଥିଲେ। ୨୦୨୪ ରଥଯାତ୍ରାରେ ଅଣସର ୧୫ ଦିନ ବଦଳରେ ୧୩ ଦିନ ହୋଇ ଥିଲା। ତେଣୁ ରଥଯାତ୍ରା ଦିନ ହିଁ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ହୋଇଥିଲା। ତେଣୁ ରଥଟଣା ଆରମ୍ଭ ହେବା ବେଳକୁ ୪ଟା ୫୫ ବାଜି ଯାଇଥିଲା। ନନ୍ଦିଘୋଷ ରଥ ଚକେ ଗଡ଼ି ଅଟକିଥିଲା। ତାଳଧ୍ବଜ ରଥ ମରିଚିକୋଟ ଯାଏଁ ଆସିଥିଲା। ଦର୍ପଦଳନ ରଥ ଶ୍ରୀନଅର ସମ୍ମୁଖରେ ଅଟକିଥିଲା। କିନ୍ତୁ ସନ୍ଧ୍ୟା ୬ଟା ୪୫ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସମାପନ କରାଯାଇଥିଲା। ଅର୍ଥାତ ୬ଟା ୪୫ରେ ରଥଟଣା ବନ୍ଦ ହୋଇଥିଲା। ଏହି କ୍ରମରେ ଚଳିତ ବର୍ଷ ରଥ ୭ଟା ୪୭ ପର୍ଯ୍ୟନ୍ତ ଟଣା ହୋଇଥିଲା।
ଏ ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସମସ୍ତ ରୀତିନୀତି ଠିକ୍ ସମୟରେ ସରିଥିଲା। ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା। ଶ୍ରୀବଳଭଦ୍ରଙ୍କ ରଥ ମୋଡ଼ ନେଇଥିଲା। ଅନୁକୂଳ ପାଗ ଯୋଗୁଁ ଭକ୍ତଙ୍କ ସଂଖ୍ୟା ଦେଢ଼ ଗୁଣ ବଢ଼ିଯାଇଥିଲା। ଏଭଳି ଘଟଣା ବହୁବର୍ଷ ଧରି ହୋଇଛି। ଏହା କିଛି ନୂଆ କଥା ନୁହେଁ। ଆଗରୁ ବି ରାତିରେ ଲାଇଟ୍ ଲାଗି ରଥଟଣା ହୋଇଛି। ତେବେ ବିନା ବିଘ୍ନରେ ଏଥର ରଥଯାତ୍ରା ହୋଇଛି ବୋଲି ସେ କହିଛନ୍ତି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ସମସ୍ତ ରୀତିନୀତି ଠିକ୍ ସମୟରେ ସମ୍ପାଦିତ ହୋଇଥିଲା। ସମ୍ଭବତଃ ତାଳଧ୍ବଜ ରଥ ମୋଡ଼ ନେବାରୁ ରଥ ଗଡ଼ିବା ବିଳମ୍ବ ହେଲା, କିମ୍ବା ଅନ୍ୟ କ’ଣ ସମସ୍ୟା ରହିଲା ସେ ନେଇ ତର୍ଜମା କରାଯିବ। ରଥ ପରଦିନ ଟଣା ହେବା ଘଟଣା ପ୍ରଥମ ନୁହେଁ। ତେଣୁ ଶନିବାର ସକାଳ ସାଢ଼େ ୯ଟାରେ ରଥଟଣା ହେବ ବୋଲି ସେ କହିଛନ୍ତି।
ରଥଚକ ତଳେ ଜୀବନ ଗଲା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥଚକ ମାଡ଼ିଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶିବରାମ ବେହେରା (୩୦)। ଆଜି ଅପରାହ୍ଣରେ ଶିକୁଳାରେ ରଥଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିବାବେଳେ ସେହି ଭିଡ଼ ଭିତରେ ଶିବରାମ ମଧ୍ୟ ଥିଲେ। ରଥ ଗଡ଼ୁଥିବା ବେଳେ ହଠାତ୍ ଭିଡ଼ରେ ଅସାବଧାନତା ଯୋଗୁଁ ସେ ତଳେ ପଡ଼ି ଯାଇଥିଲେ। ଫଳରେ ରଥଚକ ତାଙ୍କ ଉପରେ ଚଢ଼ିଯାଇଥିଲା। ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଗତବର୍ଷର ଘଟଣା ପାଇଁ ଚତୁର୍ଦ୍ଧାମୂର୍ତ୍ତି ଅସନ୍ତୁଷ୍ଟ କି: ନିରଞ୍ଜନ
ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରାର ଆୟୋଜନ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଭଲ ହୋଇଥିଲା। ତା’ ସତ୍ତ୍ୱେ ରଥ ଗଡ଼ିଲା ନାହିଁ। ଗତ ୫୦-୬୦ବର୍ଷ ଭିତରେ ରଥ ଚାଲିବାରେ ଏ ବର୍ଷ ପରି ଦୃଷ୍ଟାନ୍ତ ନାହିଁ। ଗତବର୍ଷ ବଳଭଦ୍ରଙ୍କୁ ପହଣ୍ଡି ବେଳେ ଯେପରି ଅବହେଳା ପ୍ରଦର୍ଶନ କରାଗଲା, ସେଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏପରି ଅବହେଳା ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କର କ’ଣ ଅସନ୍ତୋଷ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର କାହିଁକି ଏଭଳି ଲୀଳା? ଟିଭିରେ ପଣ୍ଡିତମାନେ କହୁଛନ୍ତି ସାଲବେଗ ବା ଯାଜପୁରର ୧୨ବର୍ଷର ବାଳକକୁ ଜଗନ୍ନାଥ ଅପେକ୍ଷା କରିଥିଲେ। ମୁଁ ଜଣେ ଦୁର୍ବଳମନା ବ୍ୟକ୍ତି ଓ ଜଗନ୍ନାଥ ବିଶ୍ୱାସୀ। ମୋ ମନରେ ବହୁତ ଦ୍ବନ୍ଦ୍ବ ଓ ଆଶଙ୍କା ଆସୁଛି। ତା’ ଭିତରେ ଗତବର୍ଷର ରଥଯାତ୍ରାରେ ଘଟିଥିବା ଘଟଣା ଆନ୍ଦୋଳିତ କରୁଛି। ଆମର ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗି ଓଡ଼ିଶାବାସୀଙ୍କୁ ଅଧିକ କ୍ଷତିରୁ ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି।