ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା, ସଂକଳ୍ପ ଗୃହୀତ

କାଳିଆରେ ସାମିଲ ହେବେ ଆଉ ୧୦ ଲକ୍ଷ

ଭୁବନେଶ୍ବର: କାଳିଆ ଯୋଜନାରୁ ଜଣେ ବି ଯୋଗ୍ୟ ଚାଷୀ, ହିତାଧିକାରୀ ତାଲିକାରୁ ବାଦ ପଡ଼ିବେ ନାହିଁ। କାଳିଆ ଘୋଷଣା ହେବା ଦିନଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହି ଆସିଥିଲେ। ବିଭିନ୍ନ ଜିଲ୍ଲାରେ ସରକରୀ କାର୍ଯ୍ୟକ୍ରମରେ ଯୋଗଦେଇ କାଳିଆ ଯୋଜନାର ସହାୟତା ଅର୍ଥ ବଣ୍ଟନ ବେଳେ ମଧ୍ୟ ଏହି କଥାକୁ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ। ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସମ୍ବେଦନଶୀଳତାକୁ ପାଦେ ଆଗେଇ ନେଇ ଆଉ ୧୦ ଲକ୍ଷ ଚାଷୀକୁ କାଳିଆ ହିତାଧିକାରୀ ତାଲିକାରେ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ କ୍ୟାବିନେଟ ବୈଠକରେ ଆସିଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହାସହିତ ଏଣିକି କାଳିଆ ସହାୟତା ରାଶି ପ୍ରଦାନ ଅବଧିରେ ବି ପରିବର୍ତ୍ତନ କରିଛନ୍ତି ସରକାର। ଏଣିକି ସହାୟତା ରାଶି ଖରିଫ ଋତୁ ପାଇଁ ଏପ୍ରିଲ ପହିଲା ଓ ରବି ପାଇଁ ସେପ୍ଟେମ୍ବର ପହିଲା ପରେ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଓଡ଼ିଆ ସରକାରୀ ଭାଷା ନିୟମାବଳୀ ୨୦୧୬ରେ ସଂଶୋଧନରେ କ୍ୟାବିନେଟର ମୋହର ଲାଗିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷରେ ଅଧିକ ୧୦ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ, ଭାଗଚାଷୀ, ଭୂମିହୀନ କୃଷି ଶ୍ରମିକ ପରିବାରକୁ କାଳିଆ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ ବେଳେ ସବୁ ଚାଷୀଙ୍କୁ େଯାଡିବା ପାଇଁ େଲାକେ ଦାବି କରିଥିଲେ। ଏହି ଆଧାରରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ କୃଷି ବିଭାଗ ପ୍ରସ୍ତାବ ଦେଇଥିଲା। ସେହିପରି କୃଷି ସାମଗ୍ରୀ କିଣାକିଣି ବାବଦରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ପୂର୍ବରୁ ଘୋଷଣା କରାଯାଇଥିବା ଅକ୍ଷୟ ତୃତୀୟା ଓ ନୂଆଖାଇ ପରିବର୍ତ୍ତେ ଫସଲ ଋତୁ ଆରମ୍ଭରୁ ଅର୍ଥ ପ୍ରଦାନ କରିବା ନେଇ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏଣିକି ଖରିଫ ଫସଲ ପାଇଁ ଏପ୍ରିଲ ପହିଲାରେ ଓ ରବି ଫସଲ ପାଇଁ ସେପ୍ଟେମ୍ବର ପହିଲା ପରେ ଯେ କୌଣସି ସମୟରେ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଏପ୍ରିଲରେ ଖରିଫ ସହାୟତା, ରବି ପାଇଁ ସେପ୍ଟେମ୍ବର, ଏଣିକି ଭାଷା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କ୍ୟାବିେନଟର ଅନ୍ୟ ନିଷ୍ପତ୍ତି ସଂପର୍କରେ ସୂଚନା େଦଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଗଣମାଧ୍ୟମକୁ କହିଥିଲେ, ଏଣିକି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ଓଡ଼ିଶା ସରକାରୀ ଭାଷା ନିୟମାବଳୀ-୨୦୧୬ରେ ଆସିଥିବା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ, ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାରେ ନିର୍ଭୁଲଭାବେ ବ୍ୟବହାର ଲାଗି କର୍ମଚାରୀମାନଙ୍କୁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଓଡ଼ିଆ ଭାଷା ପର୍ଯ୍ୟାପ୍ତ ବ୍ୟବହାର ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହ ଖିଲାପକାରୀଙ୍କୁ ଓଡ଼ିଶା ବେସାମରିକ ସେବା ଅଧିନିୟମ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ସwର୍ବଭାରତୀୟ ସେବା ବର୍ଗର ଅଧିକାରୀ ଖିଲାପ କଲେ କେନ୍ଦ୍ରୀୟ ସେବା ବର୍ଗର ଅଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅନୁଶାସନିକ କାର୍ଯ୍ୟବିଧି ଅଧିନିୟମ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପଞ୍ଚଦଶ ବିଧାନସଭାର ତ୍ରୟୋଦଶ ଅଧିବେଶନରେ ଓଡ଼ିଶା ସରକାରୀ ଭାଷା (ଦ୍ବିତୀୟ ସଂଶୋଧନ) ଅଧିନିୟମ ୨୦୧୮ ପାରିତ ହୋଇଥିଲା। ଏହି ଅଧିନିୟମରେ ଦଣ୍ଡବିଧାନ ଓ ପ୍ରୋତ୍ସାହନ ପାଇଁ ଥିବା ନୂତନ ଧାରା ୪(କ)ରେ ନିୟମ ପ୍ରଣୟନ କରାଯାଇଛି।

କ୍ୟାବିନେଟର ଅନ୍ୟ ନିଷ୍ପତ୍ତି ମୁତାବକ, ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ନିକଟ ଗୋରଡ଼ିଆ-କାଲୁରିଆ ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ୧.୯୩୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ୩ ଥାକିଆ ଉଚ୍ଚ ସେତୁ ନିର୍ମାଣ କରାଯିବ। ୧୮୩ କୋଟି ୪୬ ଲକ୍ଷ ୬୮ ହଜାର ୮୧୮ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ସେତୁ ପାଇଁ ଟେଣ୍ଡର କାମ ଏସ.ପି ସିଙ୍ଗଲା କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡକୁ ଦେବାକୁ କ୍ୟାବିନେଟ ଅନୁମୋଦନ କରିଛି। ୩୦ ମାସ ଭିତରେ ଏହି ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ସେତୁଟି କାମାକ୍ଷନଗର ସବଡିଭିଜନ ମୁଖ୍ୟାଳୟ ସହିତ ଧାର୍ମିକ ସ୍ଥାନ ତଥା ଯୋରନ୍ଦା ସ୍ଥିତ ମହିମା ଗାଦି, କପିଳାସ ସ୍ଥିତ ଚନ୍ଦ୍ରଶେଖର ଶିବ ମନ୍ଦିର ଓ ଢେଙ୍କାନାଳ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରିବ। ସେହିପରି ଟମକା-ମଙ୍ଗଳପୁର ରାସ୍ତାକୁ ୧୯ କିଲୋମିଟର ଠାରୁ ୨୮.୫୦୦ କିଲୋମିଟର ଓ ୩୫ କିଲୋମିଟରଠାରୁ ୪୩ କିଲୋମିଟର ପର୍ଯ୍ୟନ୍ତ ପ୍ରଶସ୍ତିକରଣ ଓ ଉନ୍ନତିକରଣ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ରାସ୍ତାଟି କଣିହା ଓ ସୁକିନ୍ଦାର ଖଣିଜ ଅଞ୍ଚଳରୁ ଡୁବୁରି ଠାରେ ଅବସ୍ଥିତ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସିଧା ସଂଯୋଗ କରିବା ସହିତ ରାଜ୍ୟର ପ୍ରମୁଖ ବନ୍ଦର ପାରାଦୀପ ଓ ଧାମରାକୁ ମଧ୍ୟ ସଂଯୋଗ କରିବ। ଏଥିଯୋଗୁଁ ଖଣିଜ ଓ ଶିଳ୍ପଜାତ ଦ୍ରବ୍ୟର ପରିବହନର ଯାତାୟତ ଜନିତ ଗହଳିକୁ ସୁଗମ କରିବା ସହିତ ଏହି ଅଞ୍ଚଳର ଔଦୋଗିକ ଓ ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ। ଏଥିରାସ୍ତା ପାଇଁ ୧୧୬ କୋଟି ୬୬ ଲକ୍ଷ ଟଙ୍କାର ଟେଣ୍ଡର ଆଇସିଏଲ-ୟୁଏମଏସଏଲ(ଜେଭି)କୁ ମିଳିଛି। ରାସ୍ତାର ନିର୍ମାଣ କାର୍ଯ୍ୟ ୨୪ ମାସ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏଣିକି ହାତୀ, ବାଘ ଭଳି ବନ୍ୟପ୍ରାଣୀଙ୍କ ଆକ୍ରମଣରେ ମୃତ ବା କ୍ଷତବିକ୍ଷକ ‌ବ୍ୟକ୍ତିମାନଙ୍କ ସଂପର୍କରେ ତଦନ୍ତ ପ୍ରକ୍ରିୟା ୩ ଦିନରେ ସରିବ। ୧୫ ଦିନ ଭିତରେ ସେମାନଙ୍କୁ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) କ୍ଷତିପୂରଣ ରାଶି ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ନେଇଛି।

ସମ୍ବନ୍ଧିତ ଖବର