ରାଇଘର: ଓଡ଼ିଶା ରାଜ୍ୟ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଆଜି ଛତିଶଗଡ଼ ପୁଲିସ ହାତରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ସହ ଏକ ହୋଣ୍ଡା କାର ଜବତ ହୋଇଛି। ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Advertisment

ସୂଚନା ଅନୁଯାୟୀ ଆଜି ସକାଳୁ ସୀମାନ୍ତ  ବୋରେଇ ଥାନା ଅଧିକାରୀ ଯୁଗଳକିଶୋର ନାଗଙ୍କ ନେତୃତ୍ବରେ ଏକ ଟିମ ଥାନା ନିକଟରେ ଯାଞ୍ଚ କରିବା ସମୟରେ ଏକ ହୋଣ୍ଡା କାର ଗାଡ଼ି ନମ୍ବର ଯୂପି ୬୬ ଏନ୍‌ ୬୪୭୪ କୁ ଅଟକାଇ ଥିଲେ l ଯାଞ୍ଚ ସମୟରେ ଉକ୍ତ କାରର ପଛ ସିଟ ତଳେ ୧୧ ଗୋଟି ଗଞ୍ଜେଇ ପ୍ୟାକେଟ ମିଳିଥିଲା l ଫଳରେ ଉକ୍ତ କାର ସହିତ ସମସ୍ତ ଗଞ୍ଜେଇ ଏବଂ ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା l ଗିରଫ ଅଭିଯୁକ୍ତ ରାମପ୍ରକାଶ ମିଶ୍ର, ପବନ କୁମାର ଦ୍ୱିବେଦୀ ଓ କଲୁ ମୁସଲମାନଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୬୦ ହଜାର ଟଙ୍କା ବୋଲି ପୁଲିସ ପ୍ରକାଶ କରିଛି।

ଗିରଫ ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ପରେ ସେମାନେ ଓଡ଼ିଶାର ଜୟପୁର ଅଂଚଳରୁ ଗଞ୍ଜେଇ ନେଇ ରାଇଘର ଓ କୁନ୍ଦେଇ ଦେଇ ଉତ୍ତରପ୍ରଦେଶ ରାଜ୍ୟ ଚିତ୍ରକୋଟ ଅଞ୍ଚଳକୁ ଯାଉଥିଲେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପଟେ ଛତିଶଗଡ଼ ପୁଲିସର ସକ୍ରୀୟତା ଯୋଗୁଁ ଓଡ଼ିଶା ଅଞ୍ଚଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହୋଇ ଛତିଶଗଡ଼ ପୁଲିସ ହାତରେ ଧରା ପଡ଼ୁଥିବା ଦେଖିବାକୁ ମିଳୁଛି l