ସମ୍ବଲପୁର: ମା’ ସମଲେଶ୍ବରୀଙ୍କ ରୁପା ପରଭା ନିର୍ମାଣ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚାଲିଥିବା ପ୍ରୟାସକୁ ବଳ ମିଳିଛି। ଏହି ପରଭା ନିର୍ମାଣ ନିମନ୍ତେ ମା’ ସମଲେଶ୍ବରୀ ଦଶହରା ପୂଜା କମିଟି ୧୦ ଲକ୍ଷରୁ ଅଧିକ ଟଙ୍କାର ସହଯୋଗ କରିଛି। ରବିବାର କମିଟି ପକ୍ଷରୁ ୧୦ ଲକ୍ଷ ୧୧ ହଜାର ୧୧୧ ଟଙ୍କାର ଚେକ୍ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ପ୍ରଦାନ କରା ଯାଇଥିଲା। ରବିବାର ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଅଧିକ ସୂଚନା ଦେଇ ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ କହିଲେ ଯେ ମା’ ସମଲେଶ୍ବରୀଙ୍କର ରୁପା ପରଭା ନିର୍ମାଣ ନିମନ୍ତେ ଗତ ବର୍ଷ ନିଷ୍ପତ୍ତି ହୋଇ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଠାରୁ ସହଯୋଗ ମଗା ଯାଇଥିଲା। ଏହି କ୍ରମରେ ପ୍ରାୟ ୪୮ କେଜି ରୁପା ପାଇଁ ସାଧନ (ରୁପା ଓ ଟଙ୍କା) ଉପଲବ୍ଧ ହୋଇ ସାରିଛି।
ପରଭା ନିର୍ମାଣ ପାଇଁ ୮୦ରୁ ୧୦୦ କେଜି ରୁପା ଆବଶ୍ୟକ ଥିବାରୁ ଆହୁରି ସେତିକି ପରିମାଣର ରୁପା ଦରକାର ହେବ। ମା’ ସମଲେଶ୍ବରୀ ଦଶହରା ପୂଜା କମିଟିର ସହଯୋଗ ସମସ୍ତଙ୍କୁ ଉତ୍ସାହିତ କରିଛି। ପୂର୍ବରୁ ଭକ୍ତମାନେ ମା’ଙ୍କଠାରେ ଚଢ଼ାଇଥିବା ୧୧ କେଜି ୮୦୦ ଗ୍ରାମ୍ ଅବ୍ୟବହୃତ ରୁପା ରହିଛି। ପରଭା ନିର୍ମାଣ ପାଇଁ ଘୋଷଣା ହେବା ଦିନଠୁ ଆଜି ଯାଏ ଭକ୍ତମାନେ ୨୯ କେଜି ୨୦୦ ଗ୍ରାମ୍ ରୁପା ଦେଇ ସାରିଛନ୍ତି। ସେହିପରି ପରଭା ନିର୍ମାଣ ପାଇଁ ଟଙ୍କା ଆକାରରେ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷ ୭୭୦ ଟଙ୍କା ମିଳିଛି। ବର୍ତ୍ତମାନ ଦଶହରା ପୂଜା କମିଟି ଦେଇଥିବା ୧୦ ଲକ୍ଷ ୧୧ ହଜାର ୧୧୧ ଟଙ୍କାକୁ ମିଶାଇଲେ ଏହା ୨୩ ଲକ୍ଷ ୧୧ ହଜାର ୮୮୧ ଟଙ୍କାକୁ ବୃଦ୍ଧି ପାଇଛି। ଏପ୍ରିଲ୍ ପ୍ରଥମ ସପ୍ତାହରୁ ପରଭା ନିର୍ମାଣ ନିମନ୍ତେ କଟକରୁ କାରିଗର ଆସିବେ।
ସେମାନେ ମନ୍ଦିରରେ ମାପ ନେବା ପରେ କାମ ଆରମ୍ଭ କରିବେ। ତେଣୁ ଅବଶିଷ୍ଟ ରୁପା ଓ ନିର୍ମାଣ ଖର୍ଚ୍ଚ ପାଇଁ ଭକ୍ତମାନେ ଶ୍ରଦ୍ଧାର ସହିତ ଦାନ କରିବାକୁ ଶ୍ରୀ ବାବୁ ଆହ୍ବାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍, ଟ୍ରଷ୍ଟ ସଦସ୍ୟ ପ୍ରଫୁଲ୍ଲ ହୋତା, ସନ୍ତୋଷ ପୃଷେଠ୍, ମା’ଙ୍କ ମୁଖ୍ୟ ପୂଜକ ଅମ୍ବିକା ରାୟ, ଦେବ କୁମାର ଆଜମେରିଆ, ପ୍ରେମରାଜ ପାଣିଗ୍ରାହୀ ତଥା ମା’ ସମଲେଶ୍ବରୀ ଦଶହରା ପୂଜା କମିଟି ପକ୍ଷରୁ ସଭାପତି ଅକ୍ଷୟ ରାୟ, ଉପସଭାପତି ସଘନ ରାୟ, ସଂପାଦକ ପ୍ରିୟଦର୍ଶୀ ଇନ୍ଦ୍ରନୀଳ, ସହସଂପାଦକ ସଂଜୀବ ସିଂହ, କୋଷାଧ୍ୟକ୍ଷ ଧୀରେନ୍ ମହାପାତ୍ର, ବିତ୍ତ ଅଧିକାରୀ ସଂଜୀବ ମହାପାତ୍ର, ଗୌରୀଶଂକର ନାୟକ, ରାଜୀବ ସିଂହ, ଟୁକୁ ପାଣିଗ୍ରାହୀ, କୁନ୍ଦନ ପ୍ରଧାନ, ଦେବେନ୍ଦ୍ର ରାୟ, ଦେବାଶିଷ ରଥ, ସୁମିତ ପ୍ରଧାନ, ରଂଜିତ ଦେ’ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ମା’ ସମଲେଇଙ୍କ ପାଇଁ ସୁନା ଛତ୍ର ନିର୍ମାଣ ନିମନ୍ତେ ବି ସମଲେଶ୍ବରୀ ଦଶହରା ପୂଜା କମିଟି ପକ୍ଷରୁ ୭ ଲକ୍ଷ ୩ ହଜାର ୮୦୦ ଟଙ୍କା ପ୍ରଦାନ କରା ଯାଇଥିଲା।