ଅନୁଗୁଳ : ଗଛ ପାଇଁ ଗଛ ବଳି। ୬୦ଟି ଚାରା ଲଗାଇବା ପାଇଁ ୧୦ଟି ବଡ଼ ଗଛକୁ କାଟି ସଫା କରାଯାଇଛି। ଅନୁଗୁଳ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଆସନ୍ତାକାଲି ବନ ବିଭାଗ ବନ ମହୋତ୍ସବ ପାଳିବାକୁ ଯାଉଥିବା ବେଳେ ଗଛ ଲଗାଇବା ପୂର୍ବରୁ ସେ ଜାଗାରୁ ବଡ଼ ଗଛ କାଟିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଗୋଟିଏ ଗଛ ଲଗାଇବା ପାଇଁ ଅନ୍ୟ ଗଛକୁ କାଟି ବନ ବିଭାଗ କି ପ୍ରକାର ‘ବନ ମହୋତ୍ସବ’ ପାଳନ କରୁଛି ବୋଲି ପରିବେଶବିତ୍ ପ୍ରଶ୍ନ କରିଛନ୍ତି।
ଆସନ୍ତାକାଲି (ଜୁଲାଇ ପହିଲା) ଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ବନ ମହୋତ୍ସବ। ଏକ ସପ୍ତାହ ଧରି ଏହା ଚାଲିବ। ଯେହେତୁ ଗ୍ରୀଷ୍ମ ପ୍ରବାହ ସମୟରେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅଗ୍ନିଶମ ବାହିନୀର ଭୂମିକା ରହିଛି, ଜଙ୍ଗଲରେ ନିଆଁ ଲାଗିଲେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରୁଛି, ତେଣୁ ଆସନ୍ତାକାଲିଠାରୁ ହେବାକୁ ଥିବା ବନ ମହୋତ୍ସବରେ ଅଗ୍ନିଶମ ବାହିନୀର କାର୍ଯ୍ୟାଳୟ ପରିସରକୁ ସବୁଜ ସୁନ୍ଦର କରିବାକୁ ଉପରୁ ନିର୍ଦ୍ଦେଶନାମା ଆସିଥିଲା। ପିସିସିଏଫ୍ ଏ ନେଇ ପ୍ରତି ରେଞ୍ଜ୍ରଙ୍କୁ ଚିଠି ଲେଖିଥିଲେ। ପ୍ରତି ବ୍ଲକ୍ରେ ଥିବା ଅଗ୍ନିଶମ କାର୍ଯ୍ୟାଳୟକୁ ସବୁଜ ବନାନୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଧାରରେ ଆସନ୍ତାକାଲି ଅନୁଗୁଳ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟରେ ଅନୁଗୁଳ ବନଖଣ୍ଡ ବନ ମହୋତ୍ସବ ପାଳନ କରିବାକୁ ଯୋଜନା କରିଛି। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଏସ୍ପି, ବିଧାୟକ, ଅନୁଗୁଳ ଏବଂ ସାତକୋଶିଆ ବନଖଣ୍ଡର ଅଧିକାରୀଗଣ ସେଠାକୁ ଆସି ଗଛ ଲଗାଇବାକୁ ଯୋଜନା ରହିଛି। କିନ୍ତୁ, ସବୁଜ ବନାନୀ ସୃଷ୍ଟିକରିବା ପାଇଁ ବର୍ତ୍ତମାନର ବଡ଼ ଗଛକୁ କାଟିଦେବା ଘଟଣା ପରିବେଶବିତ୍ଙ୍କୁ ଚକିତ କରିଛି।
ଆସନ୍ତାକାଲି ଯେଉଁ ଜାଗାରେ ୬୦ଟି ଚାରାରୋପଣ କରାଯିବ ସେହି ଜାଗାରୁ ପ୍ରାୟ ୧୦ଟି ବଡ଼ ଚାକୁଣ୍ଡା ଗଛ କାଟି ସଫା କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦୁଇ ବର୍ଷ ତଳେ ବନ ବିଭାଗ ଟଙ୍କା ଖର୍ଚ୍ଚ କରି ନିଜେ ଚାକୁଣ୍ଡା ଗଛର ଚାରା ପ୍ରସ୍ତୁତ କରୁଥିଲା ଓ ବୃକ୍ଷରୋପଣରେ ଏହାକୁ ସାମିଲ୍ କରାଯାଇ ଥିଲା। ଯେଉଁ ବନ ବିଭାଗ ଚାକୁଣ୍ଡା ଗଛ ଲଗାଇବାକୁ ଲୋକଙ୍କୁ ପ୍ରୋତ୍ସାହିତ କରୁଥିଲା, ସେହି ବନ ବିଭାଗ ଏହାକୁ ନଷ୍ଟ କରିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଗଛକଟା ଘଟଣାକୁ ଅନୁଗୁଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଏ ସବୁ ଚାକୁଣ୍ଡା ଗଛ ଥିଲା। ତେଣୁ ବୁଦା ସଫା କରିବା ପାଇଁ ଅଗ୍ନିଶମ ବିଭାଗ ଏହି ସବୁ ଗଛ କାଟିଛନ୍ତି। ସେହି ଜାଗାରେ ନୂଆ ଚାରା ଲଗାଇବା ପାଇଁ ଗାତ ଖୋଳାଯାଇଛି ବୋଲି ରେଞ୍ଜର ଶ୍ରୀ ପ୍ରଧାନ କହିଛନ୍ତି। ଅନୁଗୁଳ ଅଗ୍ନିଶମ ବାହିନୀ ଅଧିକାରୀ ପ୍ରକାଶ ଜେନା ଗଛ କାଟିବା ପଛରେ ଭିନ୍ନ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, ବାତ୍ୟା ‘ୟାସ୍’ରେ ଏହି ଗଛଗୁଡ଼ିକ ନଇଁ ଯାଇଥିଲା। ବିଦ୍ୟୁତ୍ ତାର ଟଣାରେ ବି ସମସ୍ୟା ସୃଷ୍ଟି କରୁଥିଲା। ତେଣୁ ଗଛଗୁଡ଼ିକୁ କାଟି ଦିଆଯାଇଛି। ଗଛ ଲଗାଇବା ପାଇଁ ଏହାକୁ କଟାଯାଇ ନାହିଁ ବୋଲି ଶ୍ରୀ ଜେନା ସଫେଇ ଦେଇଛନ୍ତି।