ମାଲକାନଗିରି: ଏବେ ଧାନ କଟା ସରିଥିବା ବେଳେ କାମଧନ୍ଦା ନଥିବାରୁ ମାଲକାନଗିରି ଜିଲ୍ଲାର ଯୁବକଯୁବତୀମାନେ ଦଲାଲଙ୍କର ପ୍ରଲୋଭନରେ ପଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ସଜବାଜ ହେଲେଣି। ଏବେ ଜିଲ୍ଲାରେ ଦଲାଲମାନେ ସକ୍ରିୟ ହୋଇଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ଗ୍ରାମରେ ୧୦ ଜଣ ନାବାଳିକା ଝିଅମାନଙ୍କୁ ଆନ୍ଧ୍ରକୁ କାମ କରିବା ପାଇଁ ଦଲାଲ ନେଉଥିବା ବେଳେ ଚାଇଲ୍ଡଲାଇନର ସଦସ୍ୟମାନେ ଖବର ପାଇ ଚଢାଉ କରିଥିଲେ। ଭଦ୍ରାଞ୍ଚଲମ ବସକୁ ଅଟକାଇ ଯାଞ୍ଚ କରିବା ବେଳେ ୧୦ ଜଣ ନାବାଳିକା ଉଦ୍ଧାର ହୋଇଥିଲେ।

Advertisment

ତେବେ ଆଜି ସଂଧ୍ୟାରେ ଏମାନଙ୍କୁ ଉଦ୍ଧାର କରାଯାଇଥିବାରୁ ଏମାନଙ୍କୁ ପ୍ରଥମେ ସିଡବ୍ଲୁସି ନିକଟରେ ହାଜର କରାଯାଇଥିଲା। ସିଡବ୍ଲୁସିର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ , ସଦସ୍ୟ ଚୁମକୀ ବେହେରା, ସୁନାକର ପାଲ, ଦୀନବନ୍ଧୁ ଦାସ ପ୍ରମୁଖ ଏହି ନାବାଳିକା ଶ୍ରମିକମାନଙ୍କୁ କାଉନସେଲିଂ କରିବା ପରେ ସୁଧାର ଗୃହକୁ ନେବା ପାଇଁ ନିର୍ଦେଶ ଦେଇଥିଲେ। ଚାଇଲ୍ଡ ଲାଇନର ଭିଷ୍ଣୁ ଡାକୁଆ, ହୃଷିକେଶ ସାହୁ, ଆଦିତ୍ୟ ବେହେରା ପ୍ରମୁଖ ଏହି ନାବାଳିକା ଶ୍ରମିକମାନଙ୍କୁ ସେମାନଙ୍କର ନାମ, ଠିକଣା ପଚାରି ବୁଝିବା ପରେ ସ୍ବାଧାର କେନ୍ଦ୍ରକୁ ନେଇଥିବା ଜଣାପଡିଛି। ତେବେ ଜିଲ୍ଲାରେ ଲୁଚାଛପାରେ ବହୁ ଶିଶୁମାନଙ୍କୁ ପଡୋଶୀ ରାଜ୍ୟକୁ ଚାଲାଣ କରାଯାଉଥିଲେ ମଧ୍ୟ ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ। ଜିଲ୍ଲା ଶ୍ରମ ବିଭାଗ ସଜାଗ ନହେଲେ ବହୁ ନିରୀହ ଯୁବକଯୁବତୀ ଅନ୍ୟ ରାଜ୍ୟକୁ ଯାଇ ହିନସ୍ତା ହେବା ଛଡା କିଛି ନାହିଁ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।