୨ଶହ ଟପିଲା ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା, ଆଜି ପୁଣି ୧୦ ଆକ୍ରାନ୍ତଙ୍କ ପ୍ରାଣହାନି

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ କରୋନାରେ ୩ ଜଣ ଲେଖାଏଁ ମୃତ ହୋଇଥିବା ଜଣାଯାଇଛି । ଅପରପକ୍ଷରେ ଗଜପତିରେ ୨, ଖୋର୍ଦ୍ଧା ଓ କଳାହାଣ୍ଡିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।ଏହା ଫଳରେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୦୬ ଓ ଖୋର୍ଦ୍ଧାରେ ୨୯କୁ ବୃଦ୍ଧି ପାଇଛି । ଠିକ୍ ସେହିପରି ଗଜପତିରେ ମୃତ୍ୟୁ ସଂଖ୍ୟା ୧୩, ରାୟଗଡ଼ାରେ ୧୦ ଓ କଳାହାଣ୍ଡିରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଥିବା ଜଣାଯାଇଛି।


ଗଞ୍ଜାମ ଜିଲ୍ଲାର ତିନି ଜଣ ମୃତକଙ୍କ ଭିତରୁ ଦୁଇ ପୁରୁଷଙ୍କର ବୟସ ଯଥାକ୍ରମେ ୪୮ ଓ ୫୪ ବର୍ଷ ଏବଂ  ଜଣେ ମହିଳାଙ୍କ ବୟସ ୫୪ ବର୍ଷ।
ରାୟଗଡ଼ା ଜିଲ୍ଲାର ଯେଉଁ ୩ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ବୟସ ଯଥାକ୍ରମେ ୬୧, ୬୪ ଓ ୭୦ ବର୍ଷ। ଗଜପତି ଜିଲ୍ଲାର ଯେଉଁ ଦୁଇ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ବୟସ ଯଥାକ୍ରମେ ୩୪ ଓ ୪୮ ବର୍ଷ।
ଖୋର୍ଦ୍ଧା ଜିଲ୍ଲାର ମୃତକ ପୁରୁଷଙ୍କ ବୟସ ହେଲା ୬୩ ବର୍ଷ। କଳାହାଣ୍ଡି ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷଙ୍କର କରୋନାରେ ମୃତ୍ୟୁ ଘଟିଛି , ଯିଏ କି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ୧୦ଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି |
ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୦୯୫ ରହିଛି।

ସମ୍ବନ୍ଧିତ ଖବର