କରୋନାରେ ଆଉ ୧୦ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୪୯୨ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଗଞ୍ଜାମ, ନୟାଗଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ହୋଇଥିବା ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ଏହା ଛଡ଼ା ଖୋର୍ଦ୍ଧା ଜିଲ୍ଲାର ୬୦ ଓ ୭୦ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କନ୍ଧମାଳର ଯେଉଁ ୩ଜଣ ପୁରୁଷ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି ସେମାନଙ୍କର ବୟସ ଯଥାକ୍ରମେ ୫୮, ୪୨ ଓ ୪୩ ବର୍ଷ। ସୁନ୍ଦରଗଡ଼ର ଜଣେ ୭୧ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଅପରପକ୍ଷରେ ଗଞ୍ଜାମର ଯେଉଁ ପୁରୁଷ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି, ତାଙ୍କର ବୟସ ୪୮ ବର୍ଷ ବୋଲି ଜଣାଯାଇଛି। ମୃତକଙ୍କ ଭିତରେ ନୟାଗଡ଼ର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଓ ରାୟଗଡ଼ାର ଜଣେ ୫୪ବର୍ଷ ବୟସ୍କ ପୁରୁଷ ଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏଣେ ରାଜ୍ୟରେ ମୋଟ୍ ୭୩୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୭୫୮ ରହିଛି।

ସମ୍ବନ୍ଧିତ ଖବର