ଚତୁର୍ଥ ପର୍ଯ୍ୟାୟରେ ଆଉ ୧୦ ସ୍ମାର୍ଟସ୍କୁଲ୍‌ ଲୋକାର୍ପିତ

ବିଦ୍ୟାଳୟ ରୂପାନ୍ତରୀକରଣ ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ବଳ କରିବ: ମୁଖ୍ୟମନ୍ତ୍ରୀ

ଶେରଗଡ଼/ହିଞ୍ଜିଳିକାଟୁ : ଚତୁର୍ଥ ପର୍ଯ୍ୟାୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକ୍‌ରେ ରୂପାନ୍ତରୀକରଣ ହୋଇଥିବା ଆଉ ୧୦ଟି ସ୍ମାର୍ଟସ୍କୁଲ୍‌କୁ ଭିଡିଓ କନଫରେନ୍ସିଂ ଯୋଗେ ଉଦ୍‌ଘାଟନ କରିଛନ୍ତି। ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହାକୁ ସଂଯୋଜନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ସ୍କୁଲ ରୂପାନ୍ତରୀକରଣ ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତକୁ ସାକାର କରିବ। ସେମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିବ। ବର୍ତ୍ତମାନ ଯୁଗ ପ୍ରତିଯୋଗିତାର ଯୁଗ। ବର୍ତ୍ତମାନ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି ଆମେ ପିଲାଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଚେଷ୍ଟା କରିଛୁ। ହିଞ୍ଜିଳିରୁ ଆରମ୍ଭ ହୋଇଥିବା ଏହି ପରିବର୍ତ୍ତନ ଓ ରୂପାନ୍ତରୀକରଣ ଓଡ଼ିଶାର ଭବିଷ୍ୟତକୁ ଉଜ୍ଜ୍ବଳ କରିବ ଓ ଓଡ଼ିଶାର ପିଲାମାନଙ୍କୁ ଦେଶର ଶ୍ରେଷ୍ଠ ନାଗରିକ କରି ଗଢ଼ିତୋଳିବ।

ମୁଖ୍ୟମନ୍ତ୍ରୀ କହିଲେ, ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢ଼ିବାର ସମୟ। ପିଲାମାନଙ୍କର ଭବିଷ୍ୟତ ଭଲ ହେଲେ, ରାଜ୍ୟ ଓ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ହେବ । ତେଣୁ ସବୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ କଠୋର ପରିଶ୍ରମ କରନ୍ତୁ ଏବଂ ନିଜ ପାଇଁ ଓ ନିଜ ପରିବାର ପାଇଁ ସଫଳତା ଆଣନ୍ତୁ । ପିଲାମାନଙ୍କ ସଫଳତା ହିଁ ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରୀକରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ । ହିଞ୍ଜିଳିର ସ୍କୁଲମାନଙ୍କର ରୂପାନ୍ତରୀକରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଜନପ୍ରତିନିଧି ଭାବେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଗାମୀ ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫-ଟି ଯୋଜନାରେ ରୂପାନ୍ତରୀକରଣ ହୋଇଥିବା ୧୦୭୦ଟି ବିଦ୍ୟାଳୟ ଲୋକାର୍ପିତ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପିଡି ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର