ତ୍ୱରିତ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ ୧୦ ପୌରସଂସ୍ଥା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାରେ ଭୁବନେଶ୍ୱର, କଟକ ଭଳି ସହର ପଛରେ ପଡ଼ିଯାଇଛନ୍ତି। ମହାନଗର ନିଗମ ଶ୍ରେଣୀରେ ରାଉରକେଲା ରାଜ୍ୟର ବାକି ୪ଟି ମହାନଗର ନିଗମକୁ ପଛରେ ପକାଇ ଆଗୁଆ ହୋଇଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଉରକେଲା ମହାନଗର ନିଗମକୁ ପ୍ରୋତ୍ସାହନ ଅନୁଦାନ ବାବଦକୁ ୨କୋଟି ଟଙ୍କା ସହାୟତା ମିଳିବ। ୪ର୍ଥ ରାଜ୍ୟ ଅର୍ଥ କମିସନ ପ୍ରଦର୍ଶନ ମୂଲ୍ୟାୟନ କମିଟି ବୈଠକରେ ରାଜ୍ୟର ୧୧୨ଟି ଯାକ ସହରାଞ୍ଚଳର ପ୍ରଦର୍ଶନକୁ ସମୀକ୍ଷା କରାଯାଇଥିଲା। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକଙ୍କ ଅଧ୍ୟକ୍ଷତାରେ ଅର୍ଥ ବିଭାଗର ଅତିରିକ୍ତ ସଚିବ ବରୁଣ କୁମାର ପାଲିତ, ୪ର୍ଥ ରାଜ୍ୟ ଅର୍ଥ କମିସନର ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ପ୍ରକଳ୍ପ ଏବଂ ସଂସ୍କାର ଅନୁସଚିବ ବେଲାସେନ ବେହେରାଙ୍କୁ ନେଇ ବସିଥିବା ବୈଠକରେ ୧୦ଟି ଶ୍ରେଷ୍ଠ ପୌରସଂସ୍ଥାକୁ ବଛାଯାଇଛି। ନଗର ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାନଗର ନିଗମ ଶ୍ରେଣୀରେ ରାଉରକେଲା ମହାନଗର ନିଗମ ଶ୍ରେଷ୍ଠ ହୋଇଥିବାବେଳେ ୨କୋଟି ଟଙ୍କା ପୁରସ୍କାର ପାଇବ। ସେହିପରି ମ୍ୟୁନିସପାଲଟି ଶ୍ରେଣୀରେ ଯାଜପୁର, ବ୍ରଜରାଜନଗର, ସୁନ୍ଦରଗଡ଼, ରାୟଗଡ଼ାକୁ ୧କୋଟି ଲେଖାଏ ଏବଂ ବିଜ୍ଞପିତ ପରିଷଦ ଶ୍ରେଣୀରେ ଚିକିଟି, ପିପିଲି, ନୀଳଗିରି, ଗୋପାଳପୁର ଏବଂ ବୌଦ୍ଧଗଡ଼କୁ ୫୦ଲକ୍ଷ ଲେଖାଏ ମିଳିବ ବୋଲି ନିଷ୍ପତ୍ତି ହୋଇଛି। ଏହି ୨୦୧୬-୧୭ ଆର୍ଥିକ ବର୍ଷର ପ୍ରଦର୍ଶନ ପାଇଁ ମିଳିବ।

ସମ୍ବନ୍ଧିତ ଖବର