୧୦ ଓଡ଼ିଆ‌ଙ୍କୁ ମିଳିବ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଭାରତ ସରକାର ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଓଡ଼ିଶାରୁ ୧୦ ଜଣଙ୍କୁ ଏହି ପୁରସ୍କାର ମିଳିବ। ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସଙ୍କୁ ‘ପଦ୍ମଭୂଷଣ’ ସମ୍ମାନ ମିଳିଥିଲା ବେଳେ ଆଉ ୯ ଜଣଙ୍କୁ ‘ପଦ୍ମଶ୍ରୀ’ ପାଇଁ ମନୋନୀତ କରାଯାଇଛି। ଗୋଟିଏ ବର୍ଷ ଓଡ଼ିଶାର ଏକକାଳୀନ ଏତେ କୃତୀ ବ୍ୟକ୍ତିଙ୍କୁ କେବେ ପଦ୍ମ ସମ୍ମାନ ମିଳି ନ ଥିଲା। ଚଳିତ ବର୍ଷ ୧୦ ଓଡ଼ିଆଙ୍କୁ ପଦ୍ମ ସମ୍ମାନ ମିଳିବା ରାଜ୍ୟ ପାଇଁ ଗୌରବର ବିଷୟ ହୋଇଛି। ସର୍ବାଧିକ ପଦ୍ମ ସମ୍ମାନ ପାଇବାରେ ଚଳିତ ବର୍ଷ ମହାରାଷ୍ଟ୍ର ପରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି।

ଶିକ୍ଷା ଓ ସାହିତ୍ୟ ‌େକ୍ଷତ୍ରରେ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ‘ପଦ୍ମଭୂଷଣ’ ସମ୍ମାନ ପ୍ରଦାନ କରାଯାଇଛି। ୨୦୦୧ ମସିହାରେ ଶ୍ରୀ ଦାସ ‘ପଦ୍ମଶ୍ରୀ’ ସମ୍ମାନ ପାଇଥିଲେ। ଚଳିତ ମାସ ୧୩ ତାରିଖରେ ପ୍ରାଣ ହରାଇଥିବା ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମ‌ରଣୋତ୍ତର ଭାବେ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରାଯିବ। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯିବ। ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ପରିବେଶବିତ୍ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀ ‘ପଦ୍ମଶ୍ରୀ’ ପାଇବେ। ‘ପଦ୍ମଶ୍ରୀ’ ପାଇଁ ମନୋନୀତ ଅନ୍ୟ ବ୍ୟକ୍ତିତ୍ବମାନେ ହେଲେ ଦମୟନ୍ତୀ ବେଶ୍ରା(ସାହିତ୍ୟ ଓ ଶିକ୍ଷା), ବୀଣାପାଣି ମହାନ୍ତି(ସାହିତ୍ୟ ଓ ଶିକ୍ଷା), ଉତ୍ସବ ଚରଣ ଦାସ(କଳା), ମିତ୍ରଭାନୁ ଗୌନ୍ତିଆ(କଳା) ଓ ବଟକୃଷ୍ଣ ସାହୁ(ପ୍ରାଣୀସମ୍ପଦ)।

ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ‘ପଦ୍ମଶ୍ରୀ’ ପୁରସ୍କାର ମିଳିବ। ସେହିପରି ଚଣ୍ଡୀଗଡ଼ରେ ରହୁଥିବା ଆଉ ଜଣେ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରାଙ୍କୁ ଭେଷଜ କ୍ଷେତ୍ରରେ ‘ପଦ୍ମଶ୍ରୀ’ ପାଇଁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର