ନୂଆପଡ଼ା/କୋମନା/ପିପିଲି: ଶନିବାର ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରଥଯାତ୍ରା ଦେଖିବାକୁ ଯାଇ ପୁରୀ ଜିଲ୍ଲା ପିପିଲିରେ ୩ ଜଣ ଯୁବତୀ, ନୂଆପଡ଼ାରେ ୪ ଜଣ ଓ ସୁନ୍ଦରଗଡ଼ରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେହିପରି ସିନେମା ଦେଖିବାକୁ ଯିବା ସମୟରେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ପାଇକ ଡାକୁଲଗୁଡ଼ା ଗାଁ ନିକଟରେ ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ନୂଆପଡ଼ା ଜିଲ୍ଲା କୋମନା ଥାନା ପଲସିପାଣିଠାରେ ଶନିବାର ସନ୍ଧ୍ୟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ପଲସିପାଣି ଗାଁର ଲଳିତ ଶବର (୪୦), ତାଙ୍କ ଝିଅ ଦିଲେଶ୍ବରୀ ଶବର (୭), ଭଉଣୀ ସୁନାଫୁଲ ଶବର (୨୫) ଏବଂ ପାଇକମାଳ ଥାନା ଚୁହାନପାଲି ଗାଁର କ୍ଷୀର ରାଉଳ। ବଞ୍ଜାରୀ ଗାଁ’ଠାରେ ଚାଲିଥିବା ରଥଯାତ୍ରା ଦେଖିବାକୁ ପଲସିପାଣି ଗାଁର ଲଳିତ ଶବର, ତାଙ୍କ ସ୍ତ୍ରୀ ଲମ୍ବୋବତୀ ଶବର (୩୦), ଝିଅ ଦିଲେଶ୍ବରୀ ଶବର ଏବଂ ଭଉଣୀ ସୁନାଫୁଲ ଶବର ବାଇକ୍ରେ ଯାଉଥିଲେ। ସେହିପରି ବିପରୀତ ଦିଗରୁ ପାଇକମାଳ ଥାନା ଚୁହାନପାଲି ଗାଁର କ୍ଷୀର ରାଉଳ ଓ ଅନ୍ୟଜଣେ ବ୍ୟକ୍ତି ଆସୁଥିଲେ। ବାଞ୍ଜିବାହାଲ ଛକଠାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ରେ ଥିବା ୬ ଜଣ ଯାକ ଛିଟିକିପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ପୁଲିସ ସହାୟତାରେ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଲଳିତ ଶବର, ଦିଲେଶ୍ବରୀ ଶବର, ସୁନାଫୁଲ ଶବର ଏବଂ କ୍ଷୀର ରାଉଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଲମ୍ବୋବତୀ ଶବର ଏବଂ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ପିପିଲି ତରାକାଜ ଫ୍ଲାଏଓଭର୍ଠାରୁ ଅନତି ଦୂର ଭୁବନେଶ୍ବର-ପୁରୀ ୩୧୬ ନଂବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଯୁବତୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭୁବନେଶ୍ବର ଓଲ୍ଡଟାଉନ୍ ବାରିକସାହିର ରିମ୍ଝିମ୍ ପ୍ରିୟଦର୍ଶିନୀ ସାହୁ ଓ ଅନ୍ୟ ଦୁଇଜଣ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଏଲିନା ଦାସ ଓ କାଜଲ ଦାସ। ସୂଚନା ଅନୁସାରେ, ତିନି ଯୁବତୀ ଆଜି ଅପରାହ୍ଣ ୪ଟାରେ ଏକ ସ୍କୁଟିରେ ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଯାଉଥିଲେ। ଦୁର୍ଘଟଣାସ୍ଥଳରେ ରଙ୍ଗ୍ ରୁଟ୍ରେ ଆସୁଥିବା ଅନ୍ୟ ଏକ ସ୍କୁଟି ସହ ଏମାନଙ୍କ ସ୍କୁଟି ଧକ୍କା ହେବା ଫଳରେ ତିନି ଯୁବତୀ ରାସ୍ତାରେ ଛିଟିକି ପଡ଼ିଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଓଏସ୍ଆର୍ଟିସି ବସ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ଓଏସ୍ଆର୍ଟିସି ବସ୍ ଓ ରଙ୍ଗ୍ ରୁଟ୍ରେ ଆସୁଥିବା ସ୍କୁଟି ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ ପୁଲିସ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାରୁ ସେମାନଙ୍କ ବାବଦରେ ତଥ୍ୟ ସଂଗ୍ରହ କରୁଛି। ପିପିଲି ଡାକ୍ତରଖାନାରେ ମୃତକଙ୍କ ପରିବାର ଲୋକଙ୍କ କାନ୍ଦବୋବାଳି ହୃଦୟବିଦାରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ପାଇକ ଡାକୁଲଗୁଡ଼ା ଗାଁ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ବିଷମକଟକ ବ୍ଲକ୍ ପଣ୍ଡାବରଡ଼ାଗୁଡ଼ା ଗାଁର ଧାଇଁ ହୁଇକା (୩୨) ଓ ମନ ସାରକା (୪୦)। ଆହତ ହାଡ଼ି ପିଡ଼ିକାକା (୨୮)ଙ୍କୁ ଗୁରୁତର ଅବସ୍ଥାରେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅପରାହ୍ନରେ ଉପରୋକ୍ତ ଗାଁର ୩ ଯୁବକ ସିନେମା ଦେଖିବା ପାଇଁ ମୁନିଗୁଡ଼ା ଆସିବା ବେଳେ ପାଇକଡାକୁଲଗୁଡ଼ା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଗଛ ସହ ଧକ୍କା ହୋଇଥିଲେ। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଧାଇଁ ଓ ମନଙ୍କର ମୃତ୍ୟୁ ହୋଇଯାଇଥିଲା।
ସେହିପରି ସୁନ୍ଦରଗଡ଼ ନୂଆଗାଁ ବ୍ଲକ୍ ଚଟ୍ଟା ଗ୍ରାମର ବନ୍ଧୁ ସିଂ (୪୩)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବନ୍ଧୁ ରଥ ଦେଖିବା ପାଇଁ ଲୁନା (ଓଡି୧୪ଏମ୍-୯୮୬୭)ରେ ସୋରଡ଼ା ଆସିଥିଲେ। ରଥଟଣା ସରିବା ପରେ ରାତି ପ୍ରାୟ ସାଢ଼େ ୮ଟାବେଳେ ଲୁନାରେ ଘରକୁ ଫେରୁଥିଲେ। ସୋରଡ଼ା ନିକଟରେ ଭାରସାମ୍ୟ ହରାଇ ଲୁନାଟି ରାସ୍ତାକଡ଼ ଗାର୍ଡୱାଲ୍ରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ବିଶ୍ରା ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।