ପୁରୀ: ସ୍ୱର୍ଗଦ୍ୱାରରେ ଏଣିକି ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକେ ଶବ ସତ୍କାର କରିପାରିବେ। ପୂର୍ବରୁ ଏଠାରେ ଲାଗୁ ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ପୁରୀ ସମେତ ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକେ ମଧ୍ୟ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିପାରିବେ। ତେବେ ଶବ ସତ୍କାର ପାଇଁ ଆବଶ୍ୟକ କାଗଜପତ୍ର ସ୍ୱର୍ଗଦ୍ୱାର ସେବା ସମିତିର ରିସେପ୍ସନ୍ କାଉଣ୍ଟରରେ ଦାଖଲ କରିବାକୁ ପଡ଼ିବ। ଶବ ସତ୍କାର କାର୍ଯ୍ୟକ୍ରମରେ ସର୍ବାଧିକ ୧୦ ଜଣ ଲୋକଙ୍କୁ ଅନୁମତି ମିଳିବ।
ମୃତକଙ୍କ ସଂପର୍କୀୟଙ୍କୁ କୋଭିଡ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନ୍ ପାଳନ କରିବାକୁ ହେ। ସେମାନେ ଠିକ୍ ଭାବରେ ମାସ୍କ ପିନ୍ଧିବେ। ହାତ ସାନିଟାଇଜ୍ କରିବା ସହିତ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବେ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମର ବଢ଼ିବାରୁ ସ୍ୱର୍ଗଦ୍ୱାରରେ ପୁରୀ ବ୍ୟତୀତ ବାହାର ଜିଲ୍ଲାର ଲୋକଙ୍କୁ ଶବ ସତ୍କାର ପାଇଁ ଗତ ୭ ତାରିଖରେ କଟକଣା ଲାଗୁ କରାଯାଇଥିଲା।