ମାଓନେତା କୈଳାସଙ୍କ ସହ ସାକ୍ଷାତକାର : ସରକାରଙ୍କ ସହ ଖୋଲା ଆଲୋଚନା କରିବାକୁ ମାଓବାଦୀ ପ୍ରସ୍ତୁତ

ମାଲକାନଗିରି ଜିଲ୍ଲାରେ ମାଓ ଦମନ ନେଇ ପୁଲିସର ଘନ ଘନ ଚଢାଉ ପରେ ମାଓବାଦୀଙ୍କ ପତିଆରା ଧିରେ ଧିରେ କମି କମି ଆସୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହାକୁ ମିଥ୍ୟା ବୋଲି କହିଛନ୍ତି କୋରାପୁଟ-ମାଲକାନଗିରି ବର୍ଡର ଡଭିଜନର ସଂପାଦକ ମାଓ ନେତା କୈଳାସ। ମାଓବାଦୀ ଗରିବ,ନିଷ୍ପେସିତ ଏବଂ ଅସହାୟ ଲୋକଙ୍କ ପାଇଁ କାମ କରୁଛି ଏବଂ କରୁଥିବା ବୋଲି ଯୁକ୍ତି ବାଢନ୍ତି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଧିରେ ଧିରେ ପୁଲିସ ଏବଂ ବିଏସଏଫ କବଜା କରୁଥିବା ବେଳେ ମାଓବାଦୀ ପଛଘୁଞ୍ଚା ଦେଉଥିବା କୁହାଯାଇଛି। କିନ୍ତୁ ମାଓ ନେତା କୈଳାସ ଏବେ ବି ସ୍ବାଭିମାନ ଅଂଚଳରେ ମାଓବାଦୀଙ୍କ ପତିଆରା ରହିଥିବା କହନ୍ତି। ମାଓନେତା ସରକାର ଏବଂ ପୁଲିସ ଉପରେ ଗର୍ଜିଥିବା ବେଳେ ଆମେ ତାଂକୁ ୧୦ଟି ପ୍ରଶ୍ନ କରିଥିଲୁ। ଯାହାର ଉତ୍ତର ସେ ରଖିଛନ୍ତି।

ପ୍ରଶ୍ନ-୧- ଅଶାନ୍ତ ସ୍ବାଭିମାନ ଅଂଚଳ ବିଷୟରେ କଣ କହିବେ ?

ମାଓନେତା କୈଳାସ- ପ୍ରଥମେ ଅତି ନିକଟରେ ସହିଦ ହୋଇଥିବା କମ୍ରେଡ କିଶୋର,ମାଲା ଓ ଶାନ୍ତିମାଙ୍କୁ ଲାଲ ସଲାମ। ଅଶାନ୍ତ ହୋଇଥିବା ଲାଲଗଡରେ ବିପ୍ଲବ ଜାରି ରହିବ। ପୁଲିସ ଲୋକମାନଙ୍କୁ ଉସୁକାଇ ହିଂସା ଆଡକୁ ନେଉଛି। ଏହାଦ୍ବାରା ସ୍ବାଭିମାନ ଅଂଚଳ ଅଶାନ୍ତ ରହିବ।

ପ୍ରଶ୍ନ-୨- ସ୍ବାଭିମାନ ଅଂଚଳରେ ପୂର୍ବରୁ ଯେଉଁଭଳି ମାଓ ସଂଗଠନକୁ ଜନ ସମର୍ଥନ ରହିଥିଲା,ବର୍ତ୍ତମାନ ତାହା କିଭଳି ରହିଛି ?

– ଲାଲବାହିନୀ ଜଳ,ଜଂଗଲ ଓ ଜମି ପାଇଁ ଲଢେଇ କରିଆସୁଛି। ଯାହାକି ଏହି ଅଂଚଳରେ ବାସ କରୁଥିବା ଗରିବ,ନିଷ୍ପସିତ ଆଦିବାସୀଙ୍କ ନିମନ୍ତେ। ସରକାର କିଛି ମାତ୍ରାରେ ମାଓ ବିରୋଧୀ  ଅପରେସନ କରି ଅର୍ଧସାମରିକ ବାହିନୀକୁ ତୟନାତ କରି ଆମ ବିରୋଧରେ ଉସୁକାଉଛି। ଅଳ୍ପ କିଛି ଜନ ସମର୍ଥନ ହରାଇଛୁ କିନ୍ତୁ ପୂର୍ବ ଭଳି ଜନସମର୍ଥନ ରହିଛି, ରହିବ।

ପ୍ରଶ୍ନ-୩- ବର୍ତ୍ତମାନ ସ୍ବାଭିମାନ ଅଂଚଳରେ ମାଓବାଦୀଙ୍କ କାରଣରୁ ଅଂଚଳରେ ବିକାଶ ହେଉଛି କି ?

– ହଁ, ଆମର ବିପ୍ଲବ କାରଣରୁ ହିଁ ସ୍ବାଭିମାନ ଅଂଚଂଳରେ ବିକାଶ କାର୍ଯ୍ୟ ଜୋରଦାର ଚାଲିଛି। ରାସ୍ତାଘାଟ ନିର୍ମାଣ ହେବା ସହ ସମସ୍ତ ବ୍ୟବସ୍ଥା ପହଞ୍ଚୁଛି। କିନ୍ତୁ ଏହା ସଂପୂର୍ଣ୍ଣ ବିକାଶ ନୁହଁ। ଏହି ବିକାଶ ପୁଞ୍ଜିପତି ସାହୁକାରମାନଙ୍କର ବିକାଶ।

ପ୍ରଶ୍ନ-୪- ଏବେ ସ୍ବାଭିମାନ ଅଂଚଳରେ ରାସ୍ତାଘାଟ,ସ୍ବାସ୍ଥ୍ୟ,ଶିକ୍ଷା ପାଇଁ ସରକାର ଅନେକ ଯୋଜନା କରି ବିକାଶ ଧାରାକୁ ଆଗକୁ ନେବାକୁ ଘୋଷଣା କରିଛନ୍ତି। ଏହାକୁ କିପରି ଦେଖୁଛନ୍ତି ?

– ସରକାରଙ୍କର ବିକାଶ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ପ୍ରସ୍ତୁତ ହେଉଛି।ତାହା କେବଳ କାଗଜ କଲମରେ।ଆଉ କିଛି ଆମର ବିପ୍ଲବ କାରଣରୁ କାର୍ୟ୍ୟକାରୀ ହେଉଛି। ତାହାର ବି ଫାଇଦା ଉଠାଉଛନ୍ତି ପୁଞ୍ଜିପତି,ସାହୁକାର ଏବଂ ଠିକାଦାରମାନେ। ଆଉ ନିରୀହ ଜନସାଧାରଣଙ୍କର ମୌଳିକ ସମସ୍ୟା ଆଜି ବି ସମାଧାନ ହୋଇପାରୁନାହିଁ।ସ୍ବାଧିନତାର ସାତ ଦଶନ୍ଧି ପରେ ବି ସ୍ବାଭିମାନ ଅଂଚଳରେ ବିକାଶ ପହଞ୍ଚିପାରିଲା ନାହିଁ। ଗୁରୁପ୍ରିୟା ସେତୁ ଓ ମୋବାଇଲ ସେବା କଣ ସାଧାରଣ ଲୋକଙ୍କର ବିକାଶ କି। ସାଧାରଣ ଲୋକ ଟିକେ ଜୀବନ ବଂଚାଇବାକୁ ସାମର୍ଥ୍ୟ ହୋଇପାରୁନାହିଁ। ତାହା ନିକଟରେ ରୋଜଗାର ନାହିଁ।ସ୍ବାସ୍ଥ୍ୟ ସେବା ନିମନ୍ତେ ଡାକ୍ତର ନାହିଁ। ଶିକ୍ଷା ପାଇଁ ଶିକ୍ଷକ ନାହାନ୍ତି।ଏହା କଣ ବିକାଶ କି?

ପ୍ରଶ୍ନ-୫- ବିକାଶ ନିମନ୍ତେ ହିଂସା ଛାଡି ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ କି ?

– ମାଓବାଦୀ ପାର୍ଟି କେବେ ବି ବିକାଶ କାର୍ଯ୍ୟରେ ବାଧା ହୋଇ ନାହିଁ କି ହେବ ନାହିଁ। ଆଗକୁ ମଧ୍ୟ ମାଓ ଆଦର୍ଶରେ ବିକାଶ କାର୍ଯ୍ୟ ଚାଲୁ ରହିବ। ଖୋଲା ଆଲୋଚନା କରିବାକୁ ଆମେ ପ୍ରସ୍ତୁତ। କିନ୍ତୁ ଏହି ଅଂଚଳର ଲୋକଙ୍କ ମୌଳିକ ସମସ୍ୟାର ଟିକିନିଖି ସମାଧାନ ନିମନ୍ତେ ଲୋକଙ୍କ ସମ୍ମୁଖରେ ଆଲୋନଚା ଯଦି କରାଯାଏ ତେବେ ପ୍ରସ୍ତୁତ।

ପ୍ରଶ୍ନ-୬- ସ୍ବାଭିମାନ ଅଂଚଳକୁ ପୁଲିସ ମହାନିର୍ଦେଶକ ଗସ୍ତକରି ସଂପୂର୍ଣ୍ଣ ମାଓମୁକ୍ତ ନେଇ ଡାକରା ଦେଇଛନ୍ତି।ଅସ୍ତ୍ର ଓ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି।ଏହାକୁ କିପରି ଦେଖୁଛନ୍ତି ?

– ପୁଲିସ ନିରୀହ ଲୋକଙ୍କୁ ଗୁଳିକରି ହତ୍ୟା କରି ବାହାବା ନେଉଛି।ବିପ୍ଲବ ପୂର୍ବରୁ ରହିଥିଲା ଏବଂ ଆଗକୁ ରହିବ।ଜନତାର ରବିକାଶ ସଂପୂର୍ଣ୍ଣ ହେଲେ ସଂଗଠନର ସମର୍ଥନ ରହିବ। କିନ୍ତୁ ଆତ୍ମସମର୍ପଣ କରି ପାର୍ଟି ବିରୋଧରେ କାମ କେବେ ନୁହଁ।

ପ୍ରଶ୍ନ-୭- ସ୍ଥାନୀୟ କ୍ୟାଡର ନକ୍ସଲ ବାରମ୍ବାର ସଂଗଠନରୁ ମୁହଁ ଫେରାଇ ନେଉଛନ୍ତି,ଏହାର କାରଣ କଣ ?

– ସଂଗଠନରେ ସ୍ଥାନୀୟ କିମ୍ବା ବାହାର କ୍ୟାଡର ସେମିତି କିଛି ନାହିଁ।ସମସ୍ତ ମାଓବାଦି ଆଦର୍ଶରେ ବିପ୍ଲବ କରିଆସୁଛନ୍ତି। ଆଉ ଯେଉଁ କ୍ୟାଡରମାନେ ସଂଗଠନ ଛାଡୁଛନ୍ତି ତାହାର ବିଭିନ୍ନ କାରଣ ରହିଛି।ପୁଲିସ ବିଭେଦ ସୃଷ୍ଟି କରିବାକୁ ଏଭଲି ଅପପ୍ରଚାର କରୁଛି।

ପ୍ରଶ୍ନ-୮- ଗତ କିଛି ଦିନ ହେବ ସ୍ବାଭିମାନ ଅଂଚଳରେ କିଛି ଗ୍ରାମବାସୀ ମାଓ ସଂଗଠନ ବିରୋଧରେ ଅସ୍ତ୍ର ଉଠାଇଛନ୍ତି।ଏହାର କାରଣ କଣ ?

– ଲୋକଙ୍କୁ ମିଛ ପ୍ରତିଶ୍ତୁତି ଦେଇ ପୁଲିସ ଏଭଳି କାମ କରୁଛି।ଯାହାକୁ ପୂର୍ବରୁ ସଲବାଜୁଡୁମ ସଂଗଠନ କରି ସାଧାରଣ ଲୋକଙ୍କୁ ହିଂସାର ମାର୍ଗ ଆପଣେଇବାକୁ ଯୋନଜା କରି ବିଫଳ ହୋଇଛି। ଏବେ ମାଲକାନଗିରି ପୁଲିସ ଏହି ହୀନି ରଣନୀତି କରି ଲୋକଙ୍କୁ ହିଂସା କରିବାକୁ ବାଧ୍ୟ କରୁଛି।ମାଓବାଦୀଙ୍କୁ ହିଂସାର ମାର୍ଗ ଛାଡିବାକୁ କହୁଥିବା ସରକାର କିଭଳି ଭାବରେ ସାଧାରଣ ଲୋକଙ୍କୁ ହିଂସା କରିବାକୁ ପ୍ରଶୟ ଦେଉଛି।

ପ୍ରଶ୍ନ-୯- ସଂଗଠନର ଆଗଧାଡିର କ୍ୟାଡର ନକ୍ସଲ କିଶୋର ଓ ମାଲାକୁ ଏନକାଉଣ୍ଟରରେ ମରାଯାଇଛି,ଏହାର କିଛି କ୍ଷତି ହୋଇଛି କି ?

– କିଶୋର ଓ ମାଲା ସହିଦ ହେବା ସଂଗଠନ ପାଇଁ ଏକ ବଡ କ୍ଷତି। ସଂଗଠନ ପାଇଁ ଏହି ସହିଦ ନେତାଙ୍କ ବହୁ ଅବଦାନ ରହିଛି।ସହିଦମାନଙ୍କ ବଳିଦାନ ନିମନ୍ତେ ଲାଲଜୁହାର। ବଳିଦାନ ବ୍ୟର୍ଥ ଯିବନାହିଁ। ବିପ୍ଲବ ଜାରି ରହିବ।

ପ୍ରଶ୍ନ-୧୦- ସାଧାରଣ ଲୋକଙ୍କୁ ଲାଲବାହିନୀ ହତ୍ୟା କରିବା କେତେଦୁର ଠିକ ?

– ପାର୍ଟି କେବେ ବି ନିରୀହ ଲୋକଙ୍କୁ ହତ୍ୟା କରେ ନାହିଁ।ପୁଲିସର ଚାଟୁକାରିତା କରି ଅଂଚଳର ଲୋକଙ୍କୁ ଶୋଷଣ କରି ଆସୁଥିବା ଲୋକ ଓ ପୁଲିସକୁ ସହାୟତା କରୁଥିବା ଲୋକଙ୍କୁ ପ୍ରଜାକୋର୍ଟରେ ଜନତାଙ୍କ ମତାମତ ଅନୁଯାୟୀ ଦଣ୍ଡ ଦିଆଯାଇଥାଏ। ବାରମ୍ବାର ସଂଗଠନ ବିରୋଧରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପାର୍ଟି ଦଣ୍ଡ ଦେଇଥାଏ।

ସମ୍ବନ୍ଧିତ ଖବର