ସଙ୍କଟରେ ମହାନଦୀ ନିମ୍ନ ଅବବାହିକାର ୧୦ ନଦୀ
କଟକ, (କୃଷ୍ଣପ୍ରସାଦ ଦାସ): ମହାନଦୀ ନିମ୍ନ ଅବବାହିକାର ୧୦ଟି ନଦୀର ସ୍ଥିତି ଏବେ ବିପନ୍ନ। ଏକପ୍ରକାର ମୃତ୍ୟୁର ଦିନ ଗଣୁଛନ୍ତି ମହାନଦୀ ଓ ମହାନଦୀର ଶାଖା ତଥା ଉପଶାଖା ନଦୀ ଭାବେ ପରିଗଣିତ ହେଉଥିବା ଏହି ପ୍ରମୁଖ ନଦୀ ଗୁଡିକ। କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର କିଛି ଅଂଶ ମହାନଦୀର ନିମ୍ନ ଅବବାହିକାରେ ପ୍ରବାହିତ ହେଉଥିବା ଏହି ନଦୀ ଗୁଡିକ ଉପରେ ନିର୍ଭରଶୀଳ। କଟକର ନରାଜ ନିକଟରେ ମହାନଦୀରୁ ବାହାରିଛି ଏହାର ପ୍ରମୁଖ ଶାଖା ନଦୀ କାଠଯୋଡ଼ି। କଟକ ସହରର ଗୋଟିଏ ପଟେ ମହାନଦୀ ଓ ଅନ୍ୟପଟେ କାଠଯୋଡ଼ି ପ୍ରବାହିତ ହେଉଛନ୍ତି। ନରାଜ ନିକଟରୁ ମହାନଦୀର ନିମ୍ନ ଅବବାହିକା ଆରମ୍ଭ ହୋଇଥିବା ବେଳେ ବଙ୍ଗୋପସାଗରରେ ମିଶିବା ପର୍ଯ୍ୟନ୍ତ ଏହାର ଜଳ ନିଷ୍କାସନ ଅଞ୍ଚଳ ହେଉଛି ୧୭ ହଜାର ୫୮୯ କିଲୋମିଟର।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ ମହାନଦୀରୁ କାଠଯୋଡ଼ି ବାହାରିବା ପରେ କାଠଯୋଡ଼ିରୁ କୁଆଖାଇ, ସିଢୁଆ, ଦେବୀ ନଦୀ ଶାଖା ନଦୀ ଭାବେ ବାହାରି କଟକ, ଜଗତସିଂହପୁର, ପୁରୀ ଜିଲ୍ଲା ଦେଇ ବଙ୍ଗୋପସାଗରରେ ପଡିଛନ୍ତି। ଅନ୍ୟପଟେ ମହାନଦୀ ପ୍ରବାହିତ ହୋଇ ପାରାଦୀପ ନିକଟରେ ବଙ୍ଗୋପସାଗରରେ ମିଶିଥିବା ବେଳେ ମହାନଦୀରୁ ବିରୂପା, ପାଇକା, ଚିତ୍ରୋତ୍ପଳା, ଲୁଣା, ଗେଙ୍ଗୁଟି ଭଳି ନଦୀ ବାହାରିଛନ୍ତି। ଏହି ନଦୀ ଗୁଡିକ କଟକ, କେନ୍ଦ୍ରାପଡ଼ା ଅଞ୍ଚଳ ଦେଇ ପ୍ରବାହିତ ହେଉଛନ୍ତି।
ମହାନଦୀରେ ଜଳପ୍ରବାହ ହ୍ରାସ ଏବେ ମହାନଦୀ ସମେତ ଏହି ୧୦ଟି ପ୍ରମୁଖ ନଦୀର ମୃତ୍ୟୁର ସମୟ ଡାକି ଆଣୁଛି। ନରାଜ ନିକଟରେ ମହାନଦୀରୁ କାଠଯୋଡ଼ି ଅଲଗା ହେଉଥିବା ବେଳେ ମହାନଦୀରେ ପ୍ରବାହିତ ହେଉଥିବା ଜଳର ୪୦ ପ୍ରତିଶତ ଜଳ କାଠଯୋଡ଼ି ଦେଇ ନିଷ୍କାସିତ ହୋଇଥାଏ। କିନ୍ତୁ ମହାନଦୀରେ ଜଳ ଅଭାବରୁ କାଠଯୋଡ଼ି ତ ଶୁଖିଲା ପଡୁଛି, ଏହା ସହିତ କୁଆଖାଇ, ସିଢୁଆ, ଦେବୀ ନଦୀ ପ୍ରତି ବିପଦ ବଢି ଚାଲିଛି। ନଈରେ ପାଣି ଆସୁ ନଥିବାରୁ ନଈପଠା ଧୀରେଧୀରେ ଜବରଦଖଲକାରୀଙ୍କ କବ୍ଜାକୁ ଚାଲି ଯାଉଛି। ନଈପଠାରେ ଅଟ୍ଟାଳିକା ମୁଣ୍ଡ ଟେକିବାରେ ଲାଗିଛି। ବର୍ଷା ଦିନେ ବି ଏସବୁ ନଦୀରେ ସଂପୂର୍ଣ୍ଣ ଜଳ ପ୍ରବାହ ହେଉ ନଥିବାରୁ ନଈ ଶୁଖିଲା ରହି ପଠା ସୃଷ୍ଟି ହେବା ସହିତ ଜବରଦଖଲରେ ନିର୍ମାଣ କାର୍ଯ୍ୟ ବି ବଢି ଚାଲିଛି। ନଦୀଶଯ୍ୟା ବି ପୋତି ହୋଇ ଯାଉଛି। ମହାନଦୀର ନିମ୍ନ ଅବବାହିକାରେ ନଈ ଭିତରେ ଏ ପ୍ରକାର ବେଆଇନ୍ ନିର୍ମାଣ କାର୍ଯ୍ୟକୁ ନେଇ ଏକାଧିକ ମାମଲା ଏବେ ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ (ଏନ୍ଜିଟି)ରେ ଗଡ଼ୁଛି।
ମହାନଦୀରେ ଜଳ ପ୍ରବାହ ହ୍ରାସ, ବର୍ଷା ଅଭାବ ଏବଂ ନଈ ପଠା ଜବରଦଖଲ ହୋଇ ବଢି ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ପରିବେଶ ସନ୍ତୁଳନ ବି ବିଗିଡ଼ିବାରେ ଲାଗିଛି। ମହାନଦୀର ନିମ୍ନ ଅବବାହିକାରେ ଏହାର ଜଳ ଏବେ ବ୍ୟବହାର ଉପଯୋଗୀ ହୋଇ ରହି ନାହିଁ। ପାଣିର ମାନକୁ ନେଇ ବାୟୋକେମିକାଲ୍ ଅକ୍ସିଜେନ୍ ଡିମାଣ୍ଡ (ବିଓଡି) ଏବଂ କୋଲିଫର୍ମ ପରୀକ୍ଷାର ରିପୋର୍ଟ ଅତ୍ୟନ୍ତ ଉଦ୍ବେଗଜନକ ରହିଛି। ପାନୀୟ ଜଳ ଭାବେ ଏହାକୁ ବ୍ୟବହାର କରିବା ଦୂରର କଥା, କୃଷି ତଥା ଅନ୍ୟ ଅତ୍ୟାବଶ୍ୟକ ବ୍ୟବହାର ପାଇଁ ବି ଧୀରେ ଧୀରେ ଏହା ଅନୁପଯୁକ୍ତ ହେବାରେ ଲାଗିଛି। ଏଭଳି ସ୍ଥିତି ଏହି ସବୁ ନଦୀ ଅବବାହିକା ଅଞ୍ଚଳର ଭୂତଳ ଜଳର ମାନକୁ ବି ଗଭୀର ଭାବେ ପ୍ରଭାବିତ କରି ଚାଲିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଭୂତଳ ଜଳ ଏକ୍ଷେତ୍ରରେ ବିଶେଷ ଭାବେ ପ୍ରଭାବିତ ହେବା ସହିତ ଭୂତଳ ଜଳରେ ଲୁଣି ଅଂଶ ବୃଦ୍ଧି ପାଇବାରେ ଲାଗିଛି। ନଈରେ ଜଳ ପ୍ରବାହ ରହୁ ନଥିବାରୁ ନଈ ପୋତି ହୋଇ ଏହାର ଜଳଧାରଣ କ୍ଷମତା ବି ଗୁରୁତର ଭାବେ ହ୍ରାସ ପାଇ ଚାଲିଛି।
ନଈକୁ ଜବରଦଖଲ ମୁକ୍ତ କରିବା, ନଦୀ ଶଯ୍ୟା ଖନନ ଭଳି ବିଭିନ୍ନ ପ୍ରସଙ୍ଗ ବର୍ତ୍ତମାନର ଆହ୍ବାନ ହୋଇଥିବା ବେଳେ ଏଯାଏ ଏ ଦିଗରେ ସେତିକି ଗୁରୁତ୍ବର ସହ ପଦକ୍ଷେପ ନିଆଯାଇ ନାହିଁ। ଏଭଳି ସ୍ଥିତିରେ ମହାନଦୀର ନିମ୍ନ ଅବବାହିକାର ୪ଟି ଜିଲ୍ଲାର କୃଷି ଏବଂ ପାନୀୟ ଜଳର ସ୍ଥିତି ଆଗାମୀ ଦିନରେ ଯେ ଗୁରୁତର ସଙ୍କଟର ସମ୍ମୁଖୀନ ହେବ, ତାହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଲାଣି।