ରଥଯାତ୍ରା ପ୍ରସ୍ତୁତି, ଦାୟିତ୍ବରେ ୧୦ ବରିଷ୍ଠ ଆଇପିଏସ୍‌

କଟକ: ପୁରୀ ଆକାଶରୁ ରଥଯାତ୍ରାରେ ତୀକ୍ଷ୍‌ଣ ନଜର ରଖିବ ଡ୍ରୋନ୍‌। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୦ବରିଷ୍ଠ ଆଇପିଏସ୍‌ ଅଫିସର୍‌ଙ୍କୁ ଦାୟିତ୍ବ ଦିଆଯିବ। ଆଜି ପୁଲିସ ପକ୍ଷରୁ ମୁଖ୍ୟାଳୟରେ ଆୟୋଜିତ ରଥଯାତ୍ରା ନେଇ ପ୍ରଥମ ପର୍ଯ୍ୟାୟ ସୁରକ୍ଷା ସମୀକ୍ଷା ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ଆସନ୍ତା ୬ତାରିଖରେ ପୁରୀରେ ହେବାକୁ ଥିବା ବୈଠକରେ ଫୋର୍ସ ମୁତୟନ ଓ ସ୍କ୍ବାଡ୍‌ ଗଠନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଚଳିତ ରଥଯାତ୍ରାରେ ପୁରୀ ସହରରେ ଆଇନ ଶୃଙ୍ଖଳାକୁ ଅଧିକ ବ୍ୟବସ୍ଥିତ କରିବା ଉପରେ ଏଥର ଜୋର୍ ଦେଇଛି ରାଜ୍ୟ ପୁଲିସ। ଏହି କ୍ରମରେ ଆସନ୍ତା ୧୭ ତାରିଖରେ ଆରମ୍ଭ ହେଉଛି ତିନି ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା। ପରେ ନେତ୍ର ଉତ୍ସବ ଓ ନବ ଯୌବନ ଦର୍ଶନ, ରଥଯାତ୍ରା, ନବମୀ ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଯାତ୍ରା, ସୁନା ବେଶ ଏବ˚ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବରିଷ୍ଠ ଆପିଏସ୍‌, ଓପିଏସ୍‌ ଅଫିସ ଏବ˚ କମାଣ୍ତାଣ୍ଟଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟନ କରାଯାଇଛି। ରେଳବାଇ ଓ ତଟ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ରେଳ ଷ୍ଟେସନ୍‌ରେ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ ଉପରେ ନଜର ରଖିବେ। ତାଙ୍କୁ କଟକ ରେଳବାଇ ଏସ୍‌ପି କିଶୋର କୁମାର ଡଙ୍ଗାୟତଙ୍କ ସହଯୋଗ କରିବେ। ପୁରୀରେ ସମସ୍ତ ପ୍ରକାର ଆଇନ ଶୃଙ୍ଖଳା ଦାୟିତ୍ବରେ ରହିବେ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୀବ ପଣ୍ତା। ତାଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବ˚ ପୁରୀ ଏସ୍‌ପି ଡକ୍ଟର ଉମାଶଙ୍କର ଦାସ ଆଇନ ଶୃଙ୍ଖଳା କାର୍ଯ୍ୟ ତଦାରଖରେ ସହଯୋଗ କରିବେ। ଅନ୍ୟପଟେ ସୁରକ୍ଷା ଏବ˚ ସମସ୍ତ ପ୍ରକାର ଗୁଇନ୍ଦା ତଥ୍ୟରେ କିଭଳି ଉପଯୁକ୍ତ ବିନିଯୋଗ କରାଯାଇପାରିବ, ସେଥିପାଇଁ ଗୁଇନ୍ଦା ଆଇଜି ଆର‌୍‌.କେ ଶର୍ମାଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ରଥଯାତ୍ରା, ବାହୁଡ଼ା, ସୁନାବେଶ ସମେତ ରଥଯାତ୍ରା ସହିତ ଜଡ଼ିତ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା ଦାୟିତ୍ବ ସ୍ବତନ୍ତ୍ର ସଶସ୍ତ୍ର ପୁଲିସ ଆଇଜି ଅମିତାଭ ଠାକୁରଙ୍କ ହାତରେ ନ୍ୟସ୍ତ କରାଯାଇଛି। ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ମାଡକର ସନ୍ଦିପ ସମ୍ପତ ଏବ˚ ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର‌୍‌ ଟ୍ରାଫିକ ସହଯୋଗ କରିବେ। ତିନି ଠାକୁରଙ୍କ ନବଯୌବନ ଦର୍ଶନଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମନ୍ଦିର ଭିତରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମର ତଦାରଖ କରିବେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ ଉଭୟ ମନ୍ଦିର ପ୍ରଶାସନ ଏବ˚ ସେବାୟତ ନିଯୋଗ ସହିତ ଉପଯୁକ୍ତ ସମନ୍ବୟ ରକ୍ଷା କରି କିଭଳି ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦେବେ। ଭିଡ଼ ନିୟନ୍ତ୍ରଣ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଥିବାରୁ ପୁଲିସ ମୁଖ୍ୟାଳୟ ଆଇଜି ଅସିତ ପାଣିଗ୍ରାହୀ ଏହାର ଦାୟିତ୍ବରେ ରହିବେ। ତାଙ୍କୁ ମୁଖ୍ୟାଳୟ ଏଆଇଜି ବିବେକାନନ୍ଦ ଶର୍ମା ସହଯୋଗ କରିବେ।

ରଥ ଚାରିପଟେ ପୁଲିସ କର୍ଡନ କରିବା ସହିତ ଦଳାଚକଟା ଯେଭଳି ନ ହୁଏ, ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାକୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଭିଏଚ୍‌ଏଫ୍‌ ମାଧ୍ୟମରେ ପୁଲିସର ଯୋଗାଯୋଗ ସେବା ସ˚କ୍ରାନ୍ତ ସମସ୍ତ କାର୍ଯ୍ୟର ଠିକ୍‌ ଢ˚ଗରେ ପରିଚାଳନା ଦାୟିତ୍ବ ସିଗ୍‌ନାଲ ଏସ୍‌ପି ବି.ଏନ୍‌. ଦାସଙ୍କୁ ଦିଆଯାଇଛି। ପର୍ଯ୍ୟାପ୍ତ ଭିଏଚ୍‌ଏଫ୍‌ ଏବ˚ ପରିଚାଳନା ପାଇଁ କର୍ମଚାରୀ ଯୋଗାଇ ଦେବାକୁ କୁହାଯାଇଛି। ରଥଯାତ୍ରାରେ କଟକ ଏବ˚ ଭୁବନେଶ୍ବରରୁ ଭିଆଇପିଙ୍କ ଅଧିକ ସ˚ଖ୍ୟାରେ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କ ସୁରକ୍ଷା ଦାୟିତ୍ବ ଖୋର୍ଧା ଷଷ୍ଠ ବାଟାଲିୟନର କମାଣ୍ତାଣ୍ଟ ଆର‌୍‌. କେ. ସାହୁଙ୍କୁ ଦିଆଯାଇଛି। ପୁଲିସ କର୍ମଚାରୀଙ୍କ ପାଇଁ ଖୋଲାଯିବାକୁ ଥିବା କ୍ୟାମ୍ପ ଏବ˚ ଉପଯୁକ୍ତ ପରିବେଶ ଯେଭଳି ଯୋଗାଇ ଦିଆଯିବ, ସେଥିପାଇଁ ବିଟିଆର‌୍‌ ବୁର୍ଲାର କମାଣ୍ତାଣ୍ଟ ବି. କେ. ନନ୍ଦଙ୍କୁ ଦାୟିତ୍ବ ଦିଆଯାଇଛି। ପୁରୀ ଟାଉନ୍‌ ଥାନାରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଏଠାରୁ ରଥଯାତ୍ରୀ ସ˚କ୍ରାନ୍ତ ଜଡ଼ିତ ସମସ୍ତ କାର୍ଯ୍ୟର ନିୟନ୍ତ୍ରଣ କରାଯିବ। କଟକର ଅତିରିକ୍ତ ଏସ୍‌ପି ଏ. ସି ପହି ଦାୟିତ୍ବରେ ରହିବେ।

ସମ୍ବନ୍ଧିତ ଖବର