ବଜ୍ରାଘାତରେ ୧୦ମେଣ୍ଢା, ୫ଗୋରୁ ମୃତ

କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଭାଲୁଡଙ୍ଗରୀ ଗ୍ରାମରେ ବଜ୍ରାଘାତ ଘଟି ୧୦ଟି ମେଣ୍ଢା ଓ ୫ଟି ଗୋରୁର ମୃତ୍ୟୁ ଘଟିଛି। ଏହି ସମୟରେ ଗାଈ ଚରାଳି ଅଳ୍ପକେ ବର୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ଭାଲୁଡଙ୍ଗରୀ ଗ୍ରାମର ଜଣେ ଗାଈ ଚରାଳି ଆଜି କିଛି ଗାଈ ଓ ମେଣ୍ଢା ଚରାଇବାକୁ ଗାଁ ନିକଟସ୍ଥ ପଡିଆକୁ ନେଇଥିଲେ। ତେବେ ଅପରାହ୍ନ ପ୍ରାୟ ୪ଟାରେ ହଠାତ୍ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ହିଁ ୧୦ଟି ମେଣ୍ଢା ଓ ୫ଟି ଗୋରୁର ମୃତ୍ୟୁ ହୋଇଯାଇଥିଲା। ବଜ୍ରାଘାତରେ ଭାଲୁଡଙ୍ଗରୀ ଗ୍ରାମର ଗୁରୁ ଭତରାଙ୍କ ୪ଟି ମେଣ୍ଢା, ସନୁ ଭତରାଙ୍କ ୪ଟି ମେଣ୍ଢା, ଚମାର ଭତରାଙ୍କ ୨ଟି ମେଣ୍ଢା ଓ ଗୋଟିଏ ଗୋରୁ ଏବଂ ରାଇଧର ଭତରାଙ୍କ ୪ଟି ଗୋରୁ ମୃତ୍ୟୁବରଣ କରିଥିଲେ। ଏହି ସମୟରେ ଗାଈ ଚରାଳି ଜଣକ ଘଟଣାସ୍ଥଳରୁ ଅଳ୍ପ ଦୂରରେ ଥିବାରୁ ଅଳ୍ପକେ ବର୍ତି ଯାଇଥିଲେ। ଖବର ପାଇ କୋଷାଗୁମୁଡା ବ୍ଲକ ଅତିରିକ୍ତ ପ୍ରାଣୀଧନ ଚିକିତ୍ସକ ସୁବାଶିଷ ରାୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ଫେରିଛନ୍ତି। ବଜ୍ରାଘାତରେ ମୃତ ମେଣ୍ଢା ଓ ଗୋରୁ ମାଲିକଙ୍କୁ କ୍ଷତିପୂରଣ ବାବଦରେ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ବୋଲି ଶ୍ରୀ ରାୟ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର