ପାଟପୁର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ୍‌ ଜିଉରା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ କୃମିନାଶକ ଔଷଧ ଖାଇଥିବା ୧୦ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏମାନଙ୍କ ମଧ୍ୟରେ ୩ ଛାତ୍ରୀ ଓ ୭ ଜଣ ଛାତ୍ର ଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଓ ସେମାନଙ୍କୁ ଅନୁଧ୍ୟାନରେ ରଖା ଯାଇଥିବା ଡାକ୍ତର କହିଛନ୍ତି। ଏ ନେଇ ଗ୍ରାମରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବାହନ ଦାସ କହିଛନ୍ତି। କୃମିନାଶକ ଔଷଧ ଖାଇବା ପରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ହୋଇଥିବା ସେ କହିଛନ୍ତି। ଏଥିରେ ଭୟ କରିବାର କୌଣସି କାରଣ ନାହିଁ ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

Advertisment

ସୂଚନା ପ୍ରକାରେ, ଗତକାଲି ଅପରାହ୍‌ଣ ୨ଟାରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବା ପରେ କୃମିନାଶକ (ଆଲ୍‌ବେଣ୍ଡାଜୋଲ୍ ୪୦୦ ଏମ୍‌ଜି ଡୋଜ୍‌) ଦିଆ ଯାଇଥିଲା। ତେବେ ଔଷଧ ଖାଇବାର ଦୁଇଘଣ୍ଟା ପରେ ଅପରାହ୍‌ଣ ୪ ଟାରେ ୫ମଶ୍ରେଣୀର ୩ ଜଣ ଛାତ୍ରୀ ପ୍ରଥମେ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍କୁଲର କର୍ତ୍ତୃପକ୍ଷ ଓ ଶିକ୍ଷକ ପ୍ରାଥମିକ ଚିକିତ୍ସା କରି ଦାୟିତ୍ବରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ଜଣାଇଥିଲେ। ସେମାନେ କିଛି ଔଷଧ ଦେବା ପରେ ପିଲାମାନେ ଘରକୁ ଫେରିଥିଲେ। ଆଜି ସକାଳ ୮ ଟାରେ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ପରେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଡ଼ପଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।