ପଞ୍ଚାୟତିରାଜ ବିଭାଗରେ ମାସକରେ ଗଡ଼ିଲା ୧୦ ମୁଣ୍ଡ

ଦୁର୍ନୀତି ପ୍ରମାଣ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ବର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ନିସ୍ତାର ନାହିଁ। ମାସକ ଭିତରେ ଦୁର୍ନୀତି ଅଭିଯୋଗରେ ବିଭାଗର ୧୦ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିରେ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲା ସ୍ତରର କର୍ମଚାରୀ ଅଛନ୍ତି। ପ୍ରମାଣ ମିଳିଲେ ଆଗାମୀ ଦିନରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ସତର୍କ କରାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ହଟାଇବା ପାଇଁ ‘ଶୂନ୍ୟ ସହନଶୀଳତା’ ଘୋଷଣା କରିଥିବା ବେଳେ ବିଭାଗରେ ମୋ ସରକାର ଓ ୫-ଟି ଲାଗୁ ହୋଇଛି। ଗତ ମାସରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ କର୍କଟନାସା ପଞ୍ଚାୟତର ସରପଞ୍ଚ ଇଗ୍ନେସିଅସ୍‌ ହାରୋ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସୁଲଣ ପଞ୍ଚାୟତର ସରପଞ୍ଚ ଅଲିଭା ପଲେଇ ଏବଂ ଶୋଷ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାୟକ, ଭଦ୍ରକ ଜିଲ୍ଲା ବେଟରା ପଞ୍ଚାୟତର ସରପଞ୍ଚ ବିମ୍ବାଧର ଦାସ, ବରଗଡ଼ ଜିଲ୍ଲା କଳାପାଣି ପଞ୍ଚାୟତ ସରପଞ୍ଚ କେ.ଭି ରେଡ୍ଡି, ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ହଳଦୀପାଲ ପଞ୍ଚାୟତର ସରପଞ୍ଚ ମଙ୍ଗଲ୍‌ ହାଂସଦା, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ପାତ୍ରପଡ଼ା ପଞ୍ଚାୟତ ସରପଞ୍ଚ ଦୁଃଶାସନ ବିଶ୍ବାଳ, ବାଲେଶ୍ବର ଜିଲ୍ଲା ସୋର ବ୍ଲକର କେଦାରପୁର ପଞ୍ଚାୟତର ସରପଞ୍ଚ ଅଭିମନ୍ୟୁ ଜେନା, ଜଳେଶ୍ବର ବ୍ଲକର କୋଟସାହି ସରପଞ୍ଚ ମଞ୍ଜୁଲତା ପ୍ରଧାନ ଓ କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅନଲ୍‌ ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ମହାନ୍ତିଙ୍କ ବିରୋଧରେ ଦୁର୍ନୀତି ପ୍ରମାଣିତ ହେବା ପରେ ନିଲମ୍ବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର