ରାୟଗଡା ଷ୍ଟେସନରୁ ୧୦ ନାବାଳକ ଉଦ୍ଧାର

ରାୟଗଡା : ରାୟଗଡା ଚାଇଲଡ ଲାଇନ ପକ୍ଷରୁ ଜିଆରପି ପୁଲିସ ସହାୟତାରେ ସ୍ଥାନୀୟ ରେଳ ଷ୍ଟେସନରୁ ୧୦ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତେ କାଶୀପୁର ବ୍ଲକର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ଟିକିରି ଓଡିଆ ସାହିର ଜଣେ ଥିବା ବେଳେ ପୁକିମୁସ୍କା ଗ୍ରାମର ୩ ଜଣ, କଲାଗାଁର ଜଣେ ଓ ପୁକେଲ ଗ୍ରାମର ୫ ଜଣ ରହିଥିବା ଜଣାପଡିଛି। ସେମାନଙ୍କୁ ଚାଇଲଡ ଲାଇନ କାର୍ଯ୍ୟାଳୟରେ ପଚରା ଉଚୁରା ବେଳେ ଆନ୍ଧ୍ରପ୍ରଦେଶର ବୋବିଲିରେ କେବୁଲ କାମ ପାଇଁ ୪ ଜଣ ଯିବାକୁ ଥିବା ବେଳେ ଅନ୍ୟ ୬ ଜଣ କୁକୁଡା ଫାର୍ମରେ କାମ କରିବା ପାଇଁ ତାମିଲନାଡୁ ଯିବାକୁ ବିଜୟୱାଡା ପାସେଞ୍ଜର ଟ୍ରେନକୁ ଅପେକ୍ଷା କରିଥିଲେ। ତେବେ ଜିଆରପି ପୁଲିସ ସନ୍ଦେହରେ ଅଟକ ରଖିଥିଲା। ଏହି ଘଟଣାରେ ଜିଆରପି ପୁଲିସ ଦୁଇ ଜଣ ଦଲାଲ ଦିଲ୍ଲୀପ କନ୍ଧପାନ ଏବଂ ନିତିନ ପେରିସିକାଙ୍କୁ ଅଟକ ରଖି ଜିଲ୍ଲା ଶ୍ରମ ବିଭାଗକୁ ଖବର ଦେବା ପରେ ଜିଲ୍ଲା ଶ୍ରମ ଅଧିକାରୀ ଷ୍ଟେସନରେ ପହଞ୍ଚି ଜେରା କରୁଥିବା ଜଣାପଡିଛି। ଆସନ୍ତାକାଲି ସିଡବ୍ଲୁସିରେ ହାଜର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଚାଇଲଡ ଲାଇନ ସଂଯୋଜକ ପ୍ରତାପ ନାଏକ ସୂଚନା ଦେଇଛନ୍ତି। ନାବାଳକଙ୍କୁ ଉଦ୍ଧାର ବେଳେ ଚାଇଲଡ ଲାଇନର ରଞ୍ଜିତ ମାଝୀ, ବିଜୟ କେତନ ସାହୁ, ବିଚିତ୍ର ରାଉତ, କେ.ନୀଳାବେଣୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର