ରାଜ୍ୟରେ ୧୦ ହଜାର ଟପିଲା କରୋନା ସଂକ୍ରମଣ: ଦିନକରେ ୫୭୧ ପଜିଟିଭ୍, ୬ ମୃତ

ଭୁବନେଶ୍ବର: ଜୁଲାଇ ମାସର ପ୍ରଥମ ସପ୍ତାହରେ ରାଜ୍ୟରେ କରୋନା ଅସମ୍ଭାଳ ପରିସ୍ଥିତି ସୃଷ୍ଟି କଲାଣି। ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହା ଭିତରେ ୧୧୪ ଦିନ ବିତି ଯାଇଛି। ରାଜ୍ୟରେ ଏବେ ପଜିଟିଭ୍‌ ସଂଖ୍ୟା ୧୦ ହଜାର ପାର୍ କରିଛି। ଏବେ ପ୍ରତ୍ୟେକ ଦିନ ହାରାହାରି ପ୍ରାୟ ୫ଶହ ପଜିଟିଭ୍ ଚିହ୍ନଟ ହେଉଥିବାରୁ ଚଳିତ ମାସ ଶେଷ ବେଳକୁ ରାଜ୍ୟରେ କରୋନା ସଂଖ୍ୟାରେ ସବୁ ରେକର୍ଡ ଭାଙ୍ଗିଦେବା ଭଳି ଆଶଙ୍କା ସୃଷ୍ଟି ହେଲାଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୭୧ ପଜିଟିଭ୍ ଚିହ୍ନଟ ହେବା ସହିତ ଏକ ନୂଆ ରେକର୍ଡ ହୋଇଛି। ଏହାସହ ରାଜ୍ୟର ଦ୍ବିତୀୟ ଜିଲ୍ଲା ଭାବେ ଖୋର୍ଧା ୧ହଜାର କରୋନା ସଂକ୍ରମଣ ସଂଖ୍ୟାକୁ ପାର୍ କରିଛି। ଗୁରୁତ୍ବପୂର୍ଣ୍ଣ ହେଉଛି ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ସୁପରସ୍ପ୍ରେଡର ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୪୯ ଜଣ ପଜିଟିଭ୍ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏହାସହ ଆଜି ୬ଜଣଙ୍କ ମୁଣ୍ଡ ନେଇଛି କରୋନା। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ ଛୁଇଁଥିବା ସରକାରୀ ଭାବେ ଘୋଷଣା ହୋଇଛି। ପ୍ରଥମଥର ଲାଗି ରାଜ୍ୟରେ ଏବେ ୩ ହଜାରରୁ ଅଧିକ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

ଗତ କିଛିଦିନ ଧରି ରାଜ୍ୟରେ କୋଭିଡ୍‌ ପରୀକ୍ଷା ବଢ଼ିବା ପରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଥିବା ନଜରକୁ ଆସିଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ କରୋନା ବିସ୍ଫୋରଣ ହୋଇଛି। ଚଳିତମାସ ଆରମ୍ଭରୁ ହିଁ ପ୍ରତ୍ୟେକ ଦିନ ହାରାହାରି ୧୦୦/୨୦୦ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କେବଳ ପଜିଟିଭ୍ ନୁହେଁ, ଜିଲ୍ଲାରେ କରୋନା ମୃତ୍ୟୁ ମଧ୍ୟ ବଢ଼ି ବଢ଼ି ଚାଲିଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୪ କରୋନା ମୃତ୍ୟୁ ସଂପର୍କରେ ଘୋଷଣା ହୋଇଥିବା ବେଳେ ତହିଁରୁ ୩ଜଣ ଗଞ୍ଜାମରୁ ରହିଛନ୍ତି। ମଧୁମେହର ପୀଡ଼ିତ ଥିବା ୭୦ ଓ ୬୦ ବର୍ଷର ଦୁଇ ଜଣ ବୃଦ୍ଧ ରହିଛନ୍ତି। ଏହାସହ ୫୩ବର୍ଷର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ମାତ୍ର ତାଙ୍କ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇ ନାହିଁ। ଏହାସହ କଟକ ଜିଲ୍ଲାରେ ମଧୁମେହ ଓ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡ଼ିତ ଥିବା ୪୮ବର୍ଷର ବ୍ୟକ୍ତି ମଧ୍ୟ କରୋନାର ଶିକାର ହୋଇଛନ୍ତି। ଅପରପକ୍ଷରେ ପ୍ରୋଷ୍ଟ୍ରେଟ୍ କର୍କଟ ସହିତ ମେଟାଷ୍ଟାସିସ୍‌ରେ ଆକ୍ରାନ୍ତ କଟକ ଜିଲ୍ଲାର ୮୦ବର୍ଷର ବୃଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାର ଅନ୍ତନଳୀ କର୍କଟରେ ପୀଡ଼ିତ ୪୫ବର୍ଷର ବ୍ୟକ୍ତି ଅଣ କୋଭିଡ୍‌ରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା ହୋଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୨ଜଣ ଅଣ କୋଭିଡ୍‌ରେ ପ୍ରାଣ ହରାଇ ସାରିଲେଣି।

ଗତ ୨୪ଘଣ୍ଟାରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ବାହାରିଛନ୍ତି। ୨୭୩ ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ଆୟୁଷ ଡାକ୍ତର ରହିଥିବା ଜଣାପଡ଼ିଛି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୨୧ରେ ପହଞ୍ଚିଛି। ଏହାବାଦ୍ ଗଜପତି ଜିଲ୍ଲାରୁ ୫୬ଜଣ ଓ ସୁନ୍ଦରଗଡ଼ରୁ ୫୧ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ୫୧ଜଣଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ରହିଥିବା ବେଳେ ଜଣେ ଆଣ୍ଡାମାନ ଫେରନ୍ତା ଅଛନ୍ତି। ତେବେ ପୂର୍ବରୁ ସଂକ୍ରମିତ ଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ରା‌ଉରକେଲା ସେକ୍ଟର ୧୬ ଅଞ୍ଚଳର ୪୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର କୌଣସି କରୋନା ଲକ୍ଷଣ ଦେଖିବାକୁ ମିଳି ନ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଖୋର୍ଧାରୁ ୩୭ଜଣ ରହିଛନ୍ତି। ଫଳରେ ରାଜ୍ୟର ଦ୍ବିତୀୟ ଜିଲ୍ଲା ଭାବେ ଖୋର୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୧୦୨୯ରେ ପହଞ୍ଚିଛି। ବାଲେଶ୍ବର ୨୮, ଜଗତସିଂହପୁର ୧୭, ଯାଜପୁର ୧୬, ମୟୂରଭଞ୍ଜ ୧୪, ରାୟଗଡ଼ା ୧୦, କେନ୍ଦୁଝର ୭, ସମ୍ବଲପୁର ୬, ବଲାଙ୍ଗୀର ୫, ପୁରୀ ଓ ଅନୁଗୁଳରୁ ୪ଜଣ ଲେଖାଏ, କେନ୍ଦ୍ରାପଡ଼ା ୩, ଢେଙ୍କାନାଳ, ଝାରସୁଗୁଡ଼ା, ନୟାଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ୫୭୧ ପଜିଟିଭ୍‌ଙ୍କ ମଧ୍ୟରୁ ୪୦୩ଜଣ ସଙ୍ଗରୋଧରୁ ଓ ୧୬୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୨୨ଟି ଜିଲ୍ଲାରୁ ଏବେ ଶହେରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳା ସଂକ୍ରମିତଙ୍କ ସଂଖ୍ୟା ଯଦିଓ କମ୍ ରହିଛି, ଏବେ ସୁଦ୍ଧା ୨୧୬୯ଜଣ ମହିଳା ରୋଗୀ ଚିହ୍ନଟ ହୋଇ ହୋଇସାରିଲେଣି। ଯାହାକି ସମୁଦାୟ ଆକ୍ରାନ୍ତଙ୍କ ୨୧.୫ ପ୍ରତିଶତ।
ଅପରପକ୍ଷରେ ଆଜି ରାଜ୍ୟରେ ୨୧୭ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ସର୍ବାଧିକ ୯୬ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ଏହାବାଦ୍ ଖୋର୍ଧା ୧୮, ବାଲେଶ୍ବର ୧୬, ମୟୂରଭଞ୍ଜ ୧୫, ବରଗଡ଼ ୧୩, କେନ୍ଦୁଝର ୧୨, ଝାରସୁଗୁଡ଼ା ୮, ମାଲକାନାଗିରି ୭, ଯାଜପୁର ୬, ଅନୁଗୁଳ ଓ କଟକର ୫ଜଣ ଲେଖାଏ, ଢେଙ୍କାନାଳ ଓ ପୁରୀର ୪ଜଣ ଲେଖାଏ, ଜଗତସିଂହପୁର ୩, କେନ୍ଦ୍ରାପଡ଼ା ଓ ସୋନପୁରରୁ ୨ଜଣ ଓ ବଲାଙ୍ଗୀରର ଜଣେ ରହିଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୭୦୩ରେ ପହଞ୍ଚିଛି। ତେବେ ରାଜ୍ୟରେ ପ୍ରଥମଥର ଲାଗି ଏବେ ୩୩୪୦ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସୁସ୍ଥ ହାର ୬୬ ପ୍ରତିଶତକୁ ଖସି ଆସିଛି। ରାଜ୍ୟରେ କୋଭିଡ୍‌ ପରୀକ୍ଷା ୩ ଲକ୍ଷ ପାର୍ କରିଛି। ଫେବ୍ରୁଆରି ମାସରେ ରାଜ୍ୟରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହେବା ପରେ ଏବେ ସୁଦ୍ଧା ୩ଲକ୍ଷ ୨ହଜାର ୭୮୦ ପରୀକ୍ଷା କରାଯାଇଛି। ରାଜ୍ୟ ସରକାର ଏବେ ‌କୋଭିଡ୍‌ ପରୀକ୍ଷା ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର